ମାଇକ୍ରୋଫାଇନାନ୍ସ ଋଣ ଜାଲିଆତି ଅଭିଯୋଗ
ଛତ୍ରପୁର(ଓ୍ବାଇଏନଏସ): ଋଣ ନେଇନଥିଲେ ବି କିସ୍ତି ପୈଠ ପାଇଁ ମିଳୁଛି ଧମକ, ଉଚ୍ଚସ୍ତରୀୟ ତଦନ୍ତ ସହିତ ଅଭିଯୁକ୍ତ ମାନଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଦାବୀ ଛତ୍ରପୁର, ୨୯/୯: ବେଆଇନ ଘରୋଇ ମାଇକ୍ରୋଫାଇନାନ୍ସ ସଂସ୍ଥା ଓ ଦଲାଲଙ୍କ ଦ୍ୱାରା ଲକ୍ଷାଧିକ ଟଙ୍କାର ଋଣ ଜାଲିଆତି ଏବଂ ମହିଳାଙ୍କୁ ଧମକଚମକ ଦିଆଯାଉଥିବା ଅଭିଯୋଗ ହୋଇଛି। ଏନେଇ ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଅନ୍ତର୍ଗତ କଉଡ଼ିଆ ଓ ଆଖପାଖ ଅଞ୍ଚଳର ମହିଳାମାନେ ଛତ୍ରପୁର କୁ ଆସି ଗଞ୍ଜାମ ଏସ୍ପିଙ୍କ ଉଦ୍ଦେଶ୍ୟରେ ଲିଖିତ ପତ୍ର ପ୍ରଦାନ କରି ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ, ମହିଳାଙ୍କ ନାମରେ ବିଭିନ୍ନ ମାଇକ୍ରୋଫାଇନାନ୍ସ ସଂସ୍ଥାରୁ ଲକ୍ଷାଧିକ ଟଙ୍କା ଋଣ ଉଠାଇ ଦଲାଲମାନେ ଟଙ୍କା ନେଇ ଫେରାର ହୋଇଯାଇଛନ୍ତି। ମହିଳାମାନେ ଋଣ ନେଇନଥିଲେ ମଧ୍ୟ କିସ୍ତି ପୈଠ ପାଇଁ ସଂସ୍ଥାର କର୍ମଚାରୀମାନେ ଘରକୁ ଆସି ଧମକଚମକ ଦେଉଥିବା ସେମାନେ ଅଭିଯୋଗ କରିଛନ୍ତି। ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି ଫେରାର ମୁଖ୍ୟ ଅଭିଯୁକ୍ତଙ୍କ ସମେତ ସମ୍ପୃକ୍ତ ଅନ୍ୟମାନଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ, ଋଣ ଆଦାୟ ନାମରେ ଧମକଚମକ ବନ୍ଦ ଏବଂ ମହିଳାଙ୍କ ଉପରେ କୌଣସି ଚାପ ନଦେବାକୁ ସେମାନେ ଦାବି କରିଛନ୍ତି।


