ବେଲଗୁଣ୍ଠା ଏନଏସିର ଉପ-ନିର୍ବାଚନରେ ପ୍ରିୟମ୍ବଦା ହେଲେ ନୂତନ ଉପାଧ୍ୟକ୍ଷା

ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ):ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ଉପାଧ୍ୟକ୍ଷା ଉପ-ନିର୍ବାଚନ ସମ୍ପନ୍ନ ହୋଇଯାଇଛି।ଏଥିରେ ୪ ନମ୍ବର ୱାର୍ଡର କାଉନସିଲର ପ୍ରିୟମ୍ବଦା ସାମଲ ନୂତନ ଉପାଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି। ରାଜ୍ୟ ନିର୍ବାଚନ ଆୟୋଗଙ୍କ ଆଦେଶ ସଂଖ୍ୟା ୨୦୩ ଏବଂ ଗଞ୍ଜାମ ଜିଲ୍ଲାପାଳଙ୍କ ପତ୍ର ସଂଖ୍ୟା ୧୯୭୫ ଅନୁସାରେ ଆଜି ଏହି ଉପ-ନିର୍ବାଚନ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା।ବୁଗୁଡ଼ା ତହସିଲଦାର ତାପସ ରାଉତଙ୍କୁ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତ କରାଯାଇଥିଲା।
ନିର୍ଦ୍ଧାରିତ ସମୟସୂଚୀ ଅନୁସାରେ ସକାଳ ୧୦:୦୦ ରୁ ୧୧:୦୦ ମଧ୍ୟରେ ନାମାଙ୍କନ ପତ୍ର ଦାଖଲର ସମୟ ରହିଥିଲା। ଏହି ପଦବୀ ପାଇଁ ୧୦ ନମ୍ବର ୱାର୍ଡର କାଉନସିଲର ସୁଜ୍ୟୋତି ସୁବୁଦ୍ଧି ଓ ୪ ନମ୍ବର ୱାର୍ଡର କାଉନସିଲର ପ୍ରିୟମ୍ବଦା ସାମଲ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ପୂର୍ବାହ୍ନ ୧୧:୦୦ ପରେ ପ୍ରାର୍ଥୀପତ୍ର ଯାଞ୍ଚର ସମୟ ଥିଲା। କିନ୍ତୁ ସୁଜ୍ୟୋତି ସୁବୁଦ୍ଧିଙ୍କ ସମର୍ଥକ ୩ ମିନିଟ୍ ବିଳମ୍ବରେ ପହଞ୍ଚିବା ଯୋଗୁଁ ପ୍ରାର୍ଥୀ ପତ୍ରରେ ତାଙ୍କର ଦସ୍ତଖତ ହୋଇ ପାରିନଥିଲା ।ତେଣୁ ନିୟମ ଅନୁଯାୟୀ ସୁଜ୍ୟୋତିଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଯାଇଥିଲା। ପ୍ରାର୍ଥୀପତ୍ର ନାକଚ ହେବା ଫଳରେ ନିର୍ବାଚନ ଅଧିକାରୀ ତାପସ ରାଉତ, ନିର୍ଦଳୀୟ ପ୍ରାଥୀ ପ୍ରିୟମ୍ବଦା ସାମଲଙ୍କୁ ବେଲଗୁଣ୍ଠା ଏନ୍‌ଏସିର ନୂତନ ଉପାଧ୍ୟକ୍ଷା ଭାବେ ଘୋଷଣା କରିଥିଲେ। ଏହି ନିର୍ବାଚନ ସମୟରେ ନଗରପାଳଙ୍କ ସମେତ ସମସ୍ତ କାଉନସିଲର ଉପସ୍ଥିତ ଥିଲେ। ନୂତନ ଉପାଧ୍ୟକ୍ଷା ଭାବେ ନିର୍ବାଚିତ ହେବା ପରେ ପ୍ରିୟମ୍ବଦା ସାମଲଙ୍କୁ ବିଭିନ୍ନ ମହଲରୁ ଶୁଭକାମନା ଓ ଶୁଭେଚ୍ଛା ଜଣାଯାଇଛି। ପ୍ରକାଶ ଥାଉ କି, ବେଲଗୁଣ୍ଠା ଏନ୍‌ଏସିର ପୂର୍ବତନ ଉପାଧ୍ୟକ୍ଷା ଟି. ବବିତା କୁମାରୀ ଅନାସ୍ଥା ଭୋଟରେ ହାରିବା ଫଳରେ ଏହି ପଦବୀ ପ୍ରାୟ ଦୁଇବର୍ଷ ହେବ ଖାଲି ପଡ଼ିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ