ଜଳାତଙ୍କ ପ୍ରତିରୋଧ ନେଇ ସଚେତନତା ଅଭିଯାନ

ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ): ଗାଙ୍ଗପୁରସ୍ଥିତ ଶରତ ଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟ ପରିସରରେ ଜଳାତଙ୍କ ପ୍ରତିରୋଧ ସମ୍ପର୍କରେ ଏକ ସଚେତନତା ଅଭିଯାନ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହଯୋଗରେ ଅନୁଷ୍ଠିତ ହୋଇଛି। ଏଥିରେ ପ୍ରାୟ ୧୦୦ ଜଣ ଛାତ୍ରଛାତ୍ରୀ ଯୋଗଦେଇଥିଲେ। ଗାଙ୍ଗପୁରର ଭେଟେରିନାରୀ ଆସିଷ୍ଟାଣ୍ଟ ସର୍ଜନ୍‌ ଡ. ଅବିନାଶ ସାହୁ ଛାତ୍ରଛାତ୍ରୀଙ୍କୁ ଜଳାତଙ୍କ ରୋଗର କାରଣ, ସଂକ୍ରମଣର ମାଧ୍ୟମ, ପ୍ରତିରୋଧ ଉପାୟ ଏବଂ ପଶୁ କାମୁଡ଼ିବା ପରେ ତୁରନ୍ତ ଟିକା ନେବାର ଗୁରୁତ୍ୱ ସମ୍ପର୍କରେ ସଚେତନ କରାଇଥିଲେ। ସଂକ୍ରମିତ ପଶୁ, ବିଶେଷକରି କୁକୁରର କାମୁଡ଼ା କିମ୍ବା ଆଘାତ ଯୋଗୁଁ ଜଳାତଙ୍କ ସଂକ୍ରମଣ ହୋଇପାରେ ବୋଲି ସେ କହିଥିଲେ। କୁକୁର ଓ ଅନ୍ୟ ଅପରିଚିତ ପଶୁଙ୍କ ସହ ଅନାବଶ୍ୟକ ସମ୍ପର୍କରୁ ଦୂରେଇ ରହିବା, କୁକୁର ଖାଉଥିବା କିମ୍ବା ଛୁଆଙ୍କ ଯତ୍ନ ନେଉଥିବା ସମୟରେ ତାକୁ ବିଚଳିତ ନକରିବା ନେଇ ପରାମର୍ଶ ଦିଆଯାଇଥିଲା। କୌଣସି ପଶୁ କାମୁଡ଼ିଲେ କିମ୍ବା ଆଘାତ କଲେ କ୍ଷତସ୍ଥାନକୁ ତୁରନ୍ତ ସାବୁନ ଓ ପ୍ରବାହିତ ପାଣିରେ ଅତି କମ୍‌ରେ ୧୫ ମିନିଟ୍‌ ଧୋଇବା ସହ ବିଳମ୍ବ ନକରି ଚିକିତ୍ସକଙ୍କ ପରାମର୍ଶ ନେବାକୁ କୁହାଯାଇଥିଲା। ସମ୍ପୂର୍ଣ୍ଣ ଟିକାକରଣ ପାଠ୍ୟକ୍ରମ ପାଳନର ଗୁରୁତ୍ୱ ମଧ୍ୟ ବୁଝାଇ ଦିଆଯାଇଥିଲା।‘ପ୍ରତିରୋଧ ହିଁ ଏକମାତ୍ର ବିକଳ୍ପ’ ବାର୍ତ୍ତାକୁ ଗୁରୁତ୍ୱ ଦେଇ ଆୟୋଜିତ ଏହି ଅଭିଯାନରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଓ କର୍ମଚାରୀ ସକ୍ରିୟ ସହଯୋଗ କରିଥିଲେ। ଛାତ୍ରଛାତ୍ରୀଙ୍କ ମାଧ୍ୟମରେ ଜଳାତଙ୍କ ପ୍ରତିରୋଧର ବାର୍ତ୍ତା ପରିବାର ଓ ସମାଜ ମଧ୍ୟରେ ପହଞ୍ଚାଇବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ସେହିପରି ବ୍ଳକ୍ ର ବେଣୀପଲ୍ଲୀ ସ୍ଥିତ ଶ୍ରୀ ଗୋପୀନାଥ ସ୍ବାମୀ ବିଦ୍ୟାପୀଠରେ ମଧ୍ୟ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ