ମିସେଲ୍ ବିରୋଧରେ ଅତିରିକ୍ତ ଚାର୍ଜସିଟ୍
ନୂଆଦିଲ୍ଲୀ(ଏଜେନ୍ସି): ଅଗଷ୍ଟା ୱେଷ୍ଟଲାଣ୍ଡ ହେଲିକପ୍ଟର ଦୁର୍ନୀତି ମାମଲାରେ ଜେଲଦଣ୍ଡ ଭୋଗୁଥିବା ଇଟାଲିଆନ୍ ନାଗରିକ ତଥା ମଧ୍ୟସ୍ଥି କ୍ରିଷ୍ଟିଆନ୍ ମିସେଲ୍ଙ୍କ ବିରୋଧରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ପୁନଃ ଚାର୍ଜସିଟ୍ ଦାଖଲ କରାଯାଇଛି । ଏହାକୁ ଅତିରିକ୍ତ ଚାର୍ଜସିଟ୍ ଭାବେ ଦିଲ୍ଲୀର ଏକ କୋର୍ଟ ସମ୍ମୁଖରେ ଇଡି କର୍ତ୍ତୃପକ୍ଷ ଦାଖଲ କରିଥିବା କୁହାଯାଉଛି । ଏତଦ୍ବ୍ୟତୀତ ଏହି ମାମଲାରେ ଅଭିଯୁକ୍ତ ଭାବେ ସାମ୍ନାକୁ ଆସିଥିବା ଦୁଇଟି ଫାର୍ମ ଯଥା ଗ୍ଲୋବାଲ ସର୍ଭିସେସ୍ ଏଫଜେଡ୍ଇ ଏବଂ ଗ୍ଲୋବାଲ ଟ୍ରେଡର୍ସର ଦୁଇ ନିର୍ଦ୍ଦେଶକଙ୍କ ବିରୋଧରେ ମଧ୍ୟ ଇଡି ଚାର୍ଜସିଟ୍ ଦାଖଲ କରିଛି । ତେବେ ଇଡିର ଏହି ଚାର୍ଜସିଟ୍କୁ ଆସନ୍ତା ୬ ତାରିଖରେ ବିଚାରପ୍ରକ୍ରିୟାକୁ ନିଆଯିବ ବୋଲି ସ୍ୱତନ୍ତ୍ର ବିଚାରପତି ଅରବିନ୍ଦ କୁମାର କହିଛନ୍ତି । ପ୍ରକାଶ ଯେ, ଗତବର୍ଷ ଡିସେମ୍ବର ୨୨ରେ ମିସେଲ୍ଙ୍କୁ ଦୁବାଇରୁ ଭାରତକୁ ପ୍ରତ୍ୟାର୍ପଣ କରି ଅଣାଯିବା ପରେ ଗିରଫ କରାଯାଇଥିଲା । ତକ୍ରାଳୀନ ଭାରତ ସରକାର ଏବଂ ଇଟାଲୀୟ ବିମାନ ପ୍ରସ୍ତୁତକାରୀ କମ୍ପାନୀ ଅଗଷ୍ଟା ୱେଷ୍ଟଲାଣ୍ଡ ସହ ହୋଇଥିବା ହେଲିକପ୍ଟର କିଣା ଚୁକ୍ତି ପ୍ରକ୍ରିୟାରେ ମଧ୍ୟସ୍ଥି ସାଜିଥିବା ୩ ମଧ୍ୟସ୍ଥିଙ୍କ ମଧ୍ୟରୁ ମିସେଲ ଅନ୍ୟତମ । ଅନ୍ୟ ଦୁଇ ମଧ୍ୟସ୍ଥି ହେଲେ ଗୁଇଡୋ ହାସ୍କେ ଏବଂ କାର୍ଲୋ ଗେରୋସା । ମିସେଲ ଏହି ଚୁକ୍ତି ପାଇଁ ମୋଟ୍ ୨୪.୨୫ ମିଲିଅନ୍ ୟୁରୋ ଏବଂ ୧,୬ଠ,୯୬,୨୪୫ ପାଉଣ୍ଡ ଅର୍ଥାତ୍ ମୋଟ୍ ୩ଠ ମିଲିଅନ୍ ପାଉଣ୍ଡ (ଭାରତୀୟ ମୁଦ୍ରା ଅନୁସାରେ ୨୨୫ କୋଟି) ପରିମାଣର ଅର୍ଥ ଲାଞ୍ଚ ଆକାରରେ ପାଇଥିବା ପୂର୍ବରୁ ଇଡି ରିପୋର୍ଟ ଦାଖଲ କରିସାରିଛି । ଏହି ମାମଲାରେ ଇଡି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ପୁତୁରା ରାତୁଲ ପୁରୀଙ୍କୁ ମଧ୍ୟ ଜେରା କରିଥିବା ଜଣାପଡିଛି । ରାତୁଲ ଏହି ଘଟଣାରେ ତାଙ୍କର କୌଣସି ସମ୍ପୃକ୍ତି ନଥିବା ଇଡି ଅଧିକାରୀଙ୍କୁ କହିଛନ୍ତି ।


