ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲାପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସ୍ମାର୍ଟ୍ ସ୍କୁଲ୍ ପରିଦର୍ଶନ
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଆଜି ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଗଞ୍ଜାମ ଜିଲ୍ଲାପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଡି . କିର୍ତ୍ତୀ ଭାସନ୍ ଦିନିକିଆ ବେଲଗୁଣ୍ଠା ଗସ୍ତରେ ଆସି ବ୍ଳକ୍ ର ପାଞ୍ଚୋଟି ସ୍ମାର୍ଟ୍ ସ୍କୁଲ୍ ପରିଦର୍ଶନ କରିବା ସହିତ ବ୍ଳକ୍ ରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ I ଆଜି ମୁଖ୍ୟ ଉନ୍ନୟନ ଅଧିକାରୀ ମହୋଦୟ ପ୍ରଥମେ ଗାଙ୍ଗପୁର ସ୍ଥିତ ଶରତଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟରେ ପହଞ୍ଚି ସେଠାରେ ହୋଇଥିବା ୫T କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିବ ସହିତ ବିଦ୍ୟାଳୟକୁ କମ୍ପ୍ୟୁଟର୍ ଯୋଗାଣ ଏବଂ ଏବଂ ବିଜ୍ଞାନଗାର ନିର୍ମାଣ ସମ୍ପର୍କରେ ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୋଶନ୍ ଶତପଥୀ ଏବଂ ଅନୁଷ୍ଠାନର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁଙ୍କ ସହ ଆଲୋଚନା କରିଥିଲେ I ବିଦ୍ୟାଳୟ ପରିଦର୍ଶନ ସମୟରେ ମୁଖ୍ୟ ଉନ୍ନୟନ ଅଧିକାରୀ ମହୋଦୟଙ୍କ ବିଡ଼ିଓ ଶ୍ରୀ ଶତପଥୀ, ସ୍ଥାନୀୟ ସରପଞ୍ଚ ସୁରେନ୍ଦ୍ର କୁମାର ଡାକୁଆ, ପଂଚାୟତ କାର୍ଯ୍ୟ ନୀର୍ବାହୀ ଅଧିକାରୀ ସୁବାଷ ଚନ୍ଦ୍ର ଦଳବେହେରା, ଗ୍ରାମ ରୋଜଗାର ସେବକ ବାଳକୃଷ୍ଣ ନାୟକ ,କନିଷ୍ଠ ଯନ୍ତ୍ରୀ ହୃଦାନନ୍ଦ ମାଝି, ସହକାରୀ ଯନ୍ତ୍ରୀ ରବୀନ୍ଦ୍ର କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ I ଏହା ସହିତ ତୃତୀୟ ପର୍ଯ୍ୟାୟରେ ୫T ନିର୍ମାଣ କାର୍ଯ୍ୟ ଚାଲିଥିବା ବୋରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ,ତନରଡା ଆର୍ଯ୍ୟକନ୍ଯା ଗୁରୁକୂଳ,ଜିରୋଳି ଉଚ୍ଚ ବିଦ୍ୟାଳୟ,ମଙ୍ଗଳପୁର ଉଚ୍ଚ ବିଦ୍ୟାଳୟ ସହିତ ବନ୍ୟାପ୍ଳାବିତ ଅଞ୍ଚଳରେ ଥିବା ଇଙ୍ଗିନାଠି ଉଚ୍ଚ ବିଦ୍ୟାଳୟକୁ ପରିଦର୍ଶନକରି ରୂପାନ୍ତରଣ କାର୍ଯ୍ୟକ୍ରମକୁ ଅନୂଧ୍ୟାନ କରିବା ସହିତ ଆସନ୍ତା ମାର୍ଚ୍ଚ ପାଞ୍ଚ ତାରିଖ ସୁଦ୍ଧା କାର୍ଯ୍ୟକ୍ରମ ସାରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ I ଏହା ସହିତ ସେ ଖଇରପୁଟି ସିଦ୍ଧେଶ୍ୱରୀ ମନ୍ଦିରରେ ଚାଲିଥିବା ଉନ୍ନୟନମୂଳକ କାର୍ଯ୍ୟକ୍ରମକୁ ପରିଦର୍ଶନକରିଥିଲେ I ନାଟଙ୍ଗା ସ୍ଥିତ ଗୋଶାଳା ପରିଦର୍ଶନକରି ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ I ଏହା ସହିତ ପିତଳ ମାଛ ନିର୍ମାଣ ପାଇଁ ତାଲିମ୍ ନେଇଥିବା ପାଲକଷଣ୍ଢାର ଉତ୍ପାଦିକା ସଂଘ ସହ ସେମାନଙ୍କ କାର୍ଯ୍ୟଶୈଳି ସମ୍ପର୍କରେ ଆଲୋଚନା କରିଥିଲେ I ଏହାପରେ ବିଡିଓ ଶ୍ରୀ ଶତପଥୀଙ୍କ ତତ୍ତ୍ୱାବଧାନରେ ଏକ ସମୀକ୍ଷା ବୈଠକରେ ନିର୍ମାଣ କାର୍ଯ୍ୟଗୁଡ଼ିକୁ ତ୍ଵରାନ୍ୱିତ କରିବା ସମ୍ପର୍କରେ ଆଲୋଚନା କରିଥିଲେ I ଏହି ଅବସରରେ ପ୍ରଧାନ ଶିକ୍ଷକଙ୍କ ନିଷ୍ଠାପର ଚେଷ୍ଟା ବଳରେ ହିଁ ରୂପାନ୍ତରିତ ବିଦ୍ୟାଳୟ କାର୍ଯ୍ୟକ୍ଷମ ହୋଇପାରିବ ବୋଲି ସେ ପ୍ରକାଶ କରିଥିଲେ I ଆଜି ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ବେଲଗୁଣ୍ଠା ଗସ୍ତ ପରେ ବିଭିନ୍ନ ବିଭାଗ ତତ୍ପର ହୋଇ ଉଠିଛନ୍ତି I


