ମେଡିକାଲ କଲେଜ ପ୍ରଫେସରଙ୍କୁ ସମ୍ବର୍ଦ୍ଧନା
ବାଲେଶ୍ୱର, (ସରୋଜ ପଣ୍ଡା) :ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲେଖନୀୟ ଅବଦାନ ପାଇଁ ଫକୀର ମୋହନ ମେଡିକାଲ କଲେଜ ହସପିଟାଲର ଅଧୀକ୍ଷକ ତଥା କାର୍ଯ୍ୟରତ ମହିଳା ଓ ପ୍ରସୂତି ବିଭାଗର ପ୍ରଫେସର ଡାକ୍ତର ସୁଜାତା ମିଶ୍ର ଓ ଅସ୍ଥିଶଲ୍ୟ ବିଭାଗର ପ୍ରଫେସର ଡାକ୍ତର ଅତନୁ ମହାନ୍ତିଙ୍କୁ ମେଡିକାଲ କଲେଜ କ୍ରିୟାନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘର ସଭାଗୃହରେ ମମତା ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ କମିଟିର କାର୍ଯ୍ୟକାରୀ ସଭାପତି ନିରଞ୍ଜନ ପରିଡ଼ା, ସାଧାରଣ ସମ୍ପାଦକ ପ୍ରଦୀପ ଦାସ ଓ ଚୟନ କମିଟିର ସଦସ୍ୟା କାଞ୍ଚନବାଳା ପାତ୍ର ପ୍ରମୁଖ ଏଥିରେ ଉପସ୍ଥିତ ରହି ବାଲେଶ୍ୱରରେ ମେଡିକାଲ୍ କଲେଜ୍ ପ୍ରତିଷ୍ଠାର ଗୌରବମୟ ସଂଗ୍ରାମର ସୂଚନା ଦେଇ ଉଭୟ ଡାକ୍ତରଙ୍କ କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଥିଲେ । ଉପଦେଷ୍ଟା ବରିଷ୍ଠ ଆଇନଜୀବୀ ଶମ୍ଭୁନାଥ ମହାନ୍ତି ଓ ଭଗବାନ ରାଉତ ଡାକ୍ତର ଦ୍ୱୟଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ସମ୍ବଦ୍ଧିତ ଅବସରରେ ପ୍ରଫେସର ମିଶ୍ର ବାଲେଶ୍ୱରରେ ଡାକ୍ତର ଅଭାବରୁ ଉପଯୁକ୍ତ ସ୍ୱାସ୍ଥ୍ୟ ସେବାପାଇଁ କେତେକ ରୋଗୀଙ୍କୁ ସ୍ଥାନାନ୍ତର କରାଯାଉଛି ବୋଲି କହିଥିଲେ । ଏ ସଂପର୍କରେ ସରକାରଙ୍କୁ ଅବଗତ କରାଯାଇଛି । ଅଳ୍ପ କିଛିଦିନ ପରେ ଏହି ସମସ୍ୟାର ନିଶ୍ଚୟ ସମାଧାନ ହେବ ବୋଲି ସେ ଆଶା ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଗୌରାଙ୍ଗ ପାଣିଗ୍ରାହୀ ମଞ୍ଚ ଆହ୍ୱାନ କରିଥିବା ବେଳେ ଇଂ. ବନମାଳି ନାୟକ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କ୍ରିଷ୍ଣା ସାହା, ସ୍ନେହଲତା ପତି, ଭବେଶ ପଣ୍ଡା ଓ ଯୋଗେନ୍ଦ୍ର ମାହାର୍ଣ୍ଣା ପ୍ରମୁଖ ସହଯୋଗ କରିଥିଲେ ।


