ମୋଟର ଯାନ ଶୁଳ୍କ ପଇଠର ବୈଧତା ଓ ସମୟ ଅବଧି ବୃଦ୍ଧି
ନୂଆଦିଲ୍ଲୀ : କୋଭିଡ-୧୯ ମହାମାରୀ କାରଣରୁ ସମ୍ପୂର୍ଣ୍ଣ ଲକଡାଉନ ଲାଗୁ କରିବା ନିମନ୍ତେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ୨୪ ମାର୍ଚ୍ଚ, ୨୦୨୦ ଜାରି ହୋଇଥିବା ଦିଶାନିର୍ଦ୍ଦେଶ ସଂଖ୍ୟା-୪୦-୩/୨୦୨୦-ଊଗ-ଓ(ଇ) ଏବଂ ଏହାର ପରବର୍ତ୍ତୀ ଅବଧିରେ ଦିଆଯାଇଥିବା ସଂଶୋଧିତ ଦିଶାନିର୍ଦ୍ଦେଶ ଦୃଷ୍ଟିରେ ରଖି ମୋଟର ଯାନ ଆଇନ, ୧୯୮୮ ଏବଂ କେନ୍ଦ୍ରୀୟ ମୋଟର ଯାନ ଆଇନ, ୧୯୮୯ ଅନ୍ତର୍ଗତ ସମସ୍ତ କାଗଜପତ୍ରର ବୈଧତା ଅବଧି ବୃଦ୍ଧି ଲାଗି ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ମାର୍ଚ୍ଚ ୩୦, ୨୦୨୦ରେ ଏକ ମାର୍ଗଦର୍ଶିକା ଜାରି କରାଯାଇଥିଲା। ଲକଡାଉନ କାରଣରୁ ଯେଉଁ କାଗଜପତ୍ରର ବୈଧତା ସମ୍ପ୍ରସାରଣ ହୋଇପାରିନାହିଁ କିମ୍ବା ଏଥିପାଇଁ ଅନୁମତି ମିଳିନାହିଁ ଏବଂ ଏଗୁଡ଼ିକର ବୈଧତା ଅବଧି ଫେବୃଆରୀ ପହିଲା, ୨୦୨୦ ଠାରୁ ଶେଷ ହୋଇଯାଇଛି କିମ୍ବା ୩୦ ଜୁନ ୨୦୨୦ ସୁଦ୍ଧା ଶେଷ ହୋଇଯିବ, ସେପରି କାଗଜପତ୍ରର ବୈଧତାକୁ ଜୁନ ୩୦, ୨୦୨୦ ପର୍ୟ୍ୟନ୍ତ ଗ୍ରହଣ କରିବା ଲାଗି କ୍ଷମତାପ୍ରାପ୍ତ କର୍ତ୍ତୃପକ୍ଷଙ୍କୁ ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଦିଆଯାଇଥିଲା। ଏହା ଦୃଷ୍ଟିକୁ ଆସିଛି ଯେ ଲକଡାଉନ କାରଣରୁ ସରକାରୀ ପରିବହନ କାର୍ଜ୍ୟଳୟଗୁଡ଼ିକ ବନ୍ଦ ରହିବା କାରଣରୁ କେନ୍ଦ୍ରୀୟ ମୋଟର ଯାନ ନିୟମାବଳୀ, ୧୯୮୯ ଅଧୀନ ନିୟମ ୩୨ ଓ ୮୧ ଅନୁଯାୟୀ ବାଧ୍ୟତାମୂଳକ ଭାବେ ପଇଠ କରାଯିବାକୁ ଥିବା ବିଭିନ୍ନ ଶୁଳ୍କ ଓ ବିଳମ୍ବିତ ଶୁଳ୍କ ପରିଶୋଧ କରିବାରେ ନାଗରିକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆହୁରି କେତେକ କ୍ଷେତ୍ରରେ ଦୃଷ୍ଟିକୁ ଆସିଲେ ଯେ ସେବା ଏବଂ ନବୀକରଣ ପାଇଁ ଶୁଳ୍କ ପଇଠ କରାଯାଇଥିଲେ ସୁଦ୍ଧା ଲକଡାଉନ କାରଣରୁ ସେଗୁଡ଼ିକର ପ୍ରକ୍ରିୟା ଶେଷ ହୋଇପାରିନାହିଁ। ଆହୁରି, ଆରଟିଓ କାର୍ଜ୍ୟଳୟ ବନ୍ଦ ରହିବା କାରଣରୁ ନାଗରିକମାନେ ସେମାନଙ୍କ ଶୁଳ୍କ ପଇଠ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କୋଭିଡ-୧୯ ଲକଡାଉନକୁ ଦୃଷ୍ଟିରେ ରଖି ନାଗରିକମାନଙ୍କୁ ସୁବିଧା ଦେବା ସକାଶେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ବୈଧାନିକ ଆଦେଶ ଜାରି କରାଯାଇଛି। ଏହି ଆଦେଶ ଅନୁଯାୟୀ, ନବୀକରଣ ସମେତ ବିଭିନ୍ନ କାର୍ୟ୍ୟ ପାଇଁ ଫେବୃଆରୀ ପହିଲା ୨୦୨୦ କିମ୍ବା ଏହା ପରେ ଦାଖଲ କରାଯାଇଥିବା ଶୁଳ୍କର ପ୍ରକ୍ରିୟାକରଣ ଯଦି ହୋଇପାରିନାହିଁ, ତା’ହେଲେ ଉକ୍ତ କାଗଜପତ୍ରର ବୈଧତା ବଜାୟ ରହିବ। ଏହାଛଡ଼ା ଫେବୃଆରୀ ପହିଲା, ୨୦୨୦ ଠାରୁ ଲକଡାଉନ ସରିବା ପର୍ୟ୍ୟନ୍ତ ଯଦି ଶୁଳ୍କ ଦାଖଲ କରିବାରେ ବିଳମ୍ବ ହୋଇଛି ତା’ହେଲେ ଏହି ବିଳମ୍ବ ପାଇଁ ଜୁଲାଇ ୩୧, ୨୦୨୦ ପର୍ୟ୍ୟନ୍ତ କୌଣସି ବିଳମ୍ବିତ କିମ୍ବା ଅତିରିକ୍ତ ଶୁଳ୍କ ଲାଗୁ କରାଯିବ ନାହିଁ ।


