ମୋଟ ୧୦ କୋଟି ପରୀକ୍ଷଣ ମାଇଲଖୁଣ୍ଟ ଅତିକ୍ରମ କଲା ଭାରତ
ନୂଆଦିଲ୍ଲୀ: ଜାନୁୟାରୀ ୨୦୨୦ ଠାରୁ ଭାରତ କୋଭିଡ-୧୯ ନମୁନା ପରୀକ୍ଷଣରେ ଦ୍ରୁତ ଅଭିବୃଦ୍ଧି ଘଟାଇଛି । ଏହି ପରୀକ୍ଷଣ ସଂଖ୍ୟା ଆଜି ୧୦ କୋଟି (୧୦,୦୧,୧୩,୦୮୫) ଅତିକ୍ରମ କରିଛି । ଅନ୍ୟ ଏକ ସଫଳତାରେ, ଗତ ୨୪ ଘଣ୍ଟା ମଧ୍ୟରେ ୧୪,୪୨,୭୨୨ଟି ନମୁନା ପରୀକ୍ଷା କରାଯାଇପାରିଛି ।
ବର୍ତ୍ତମାନ ଦେଶରେ ପାଖାପାଖି ୨୦୦୦ ପରୀକ୍ଷାଗାର ସ୍ଥାପିତ ହୋଇପାରିଛି । କେନ୍ଦ୍ର, ରାଜ୍ୟ ଓ କେନ୍ଦ୍ରଶାସିତ ସରକାରଙ୍କ ମିଳିତ ପ୍ରୟାସରେ ଏହି ପରୀକ୍ଷଣ କ୍ଷମତା ବହୁଗୁଣିତ ହୋଇଛି । ଏହାଫଳରେ ପ୍ରତିଦିନ ୧୫ ଲକ୍ଷରୁ ଅଧିକ ନମୁନା ପରୀକ୍ଷା କରାଯାଇପାରୁଛି । ଦେଶରେ ପରୀକ୍ଷାଗାର ଭିତ୍ତିଭୂମିର ପ୍ରଗତି ଦେଶବ୍ୟାପୀ ପରୀକ୍ଷଣ ସଂଖ୍ୟାର କ୍ରମାଗତ ବୃଦ୍ଧିରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ୧,୧୨୨ ସରକାରୀ ଏବଂ ୮୬୭ ବେସରକାରୀ ପରୀକ୍ଷାଗାର ସହିତ ଦେଶରେ ବର୍ତ୍ତମାନ ୧୯୮୯ଟି ପରୀକ୍ଷାଗାର ରହିଛି, ଯାହାଦ୍ଵାରା ଦୈନିକ ପରୀକ୍ଷଣ କ୍ଷମତା ଯଥେଷ୍ଟ ବୃଦ୍ଧି ପାଇଛି ।
ଉଚ୍ଚ ସ୍ତରୀୟ ପରୀକ୍ଷଣ ଯୋଗୁଁ ଜାତୀୟ ସକ୍ରିୟ ମାମଲା ହାର ହ୍ରାସ ପାଇଛି । ଏହା ସୂଚିତ କରୁଛି ଯେ ସଂକ୍ରମଣର ବିସ୍ତାର ହାରକୁ ପ୍ରଭାବଶାଳୀ ଢଙ୍ଗରେ ପ୍ରତିରୋଧ କରାଯାଇପାରିଛି । ସମୁଦାୟ ନମୁନା ପରୀକ୍ଷା ସଂଖ୍ୟା ୧୦ କୋଟି ଅତିକ୍ରମ କରିବା ଫଳରେ ବର୍ଦ୍ଧିତ ସଂକ୍ରମଣ ହାର ହ୍ରାସ ପାଇବାରେ ଲାଗିଛି । ଜାତୀୟ ପଜିଟିଭ ହାର ଆଜି ୭.୭୫ ପ୍ରତିଶତରେ ପହଞ୍ଚିଛି । କେନ୍ଦ୍ର ସରକାରଙ୍କ ପରୀକ୍ଷା, ଚିହ୍ନଟ, ଚିକିତ୍ସା ଏବଂ ଟେକ୍ନୋଲୋଜି ରଣନୀତିକୁ ସଫଳତାର ସହିତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଦ୍ଵାରା କାର୍ୟ୍ୟକାରୀ କରାଯିବାର ଏହା ହେଉଛି ଫଳାଫଳ । ଦେଶରେ ପ୍ରଭାବୀ ପରୀକ୍ଷଣ ଦ୍ଵାରା ପଜିଟିଭ ମାମଲା ଗୁଡ଼ିକର ଶୀଘ୍ର ଚିହ୍ନଟ ହୋଇପାରିଛି । ଦକ୍ଷ ନିରୀକ୍ଷଣ ଏବଂ ଅନୁସନ୍ଧାନ ମାଧ୍ୟମରେ ତୁରନ୍ତ ଚିହ୍ନଟ ଏବଂ ଘରେ ସମୟାନୁଯାୟୀ ତଥା ପ୍ରଭାବୀ ଚିକିତ୍ସା ସହିତ ଗୁରୁତର ମାମଲାଗୁଡିକୁ ହସ୍ପିଟାଲରେ ତୁରନ୍ତ ଚିକିତ୍ସା ପ୍ରଦାନ କରିବା ଭଳି ପଦକ୍ଷେପ ଯୋଗୁଁ ମୃତ୍ୟୁ ହାରକୁ ହ୍ରାସ କରାଯାଇପାରିଛି । ଦେଶର ଶେଷ ଏକ କୋଟି ପରୀକ୍ଷଣ ମାତ୍ର ୯ ଦିନରେ କରାଯାଇଥିଲା । ଜାତୀୟ ଆକଳନ ତୁଳନାରେ ୧୫ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡିକରେ ଅଧିକ ସଂକ୍ରମିତ ମାମଲା ଦେଖାଦେଉଛି ଯାହା ଏହି ରାଜ୍ୟଗୁଡିକରେ ପ୍ରଭାବୀ ଏବଂ ବିସ୍ତୃତ ପରୀକ୍ଷଣର ଆବଶ୍ୟକତା ଥିବା ସୂଚିତ କରୁଛି ।


