ମୋଦୀଙ୍କ କାର୍ଯ୍ୟକ୍ରମର ସିଧା ପ୍ରସାରଣ ନକରି ଚେନ୍ନାଇ ଦୂରଦର୍ଶନ କେନ୍ଦ୍ରର ଅଧିକାରୀ ନିଲମ୍ବିତ
ନୂଆଦିଲ୍ଲୀ :ଗତମାସ ୩୦ ତାରିଖରେ ଆଇଆଇଟି ମାଡ୍ରାସର ଗବେଷଣା କେନ୍ଦ୍ରରେ ଅନୁଷ୍ଠିତ ସିଙ୍ଗାପୁର-ଭାରତ ହ୍ୟାକାଥନ୍ ୨୦୧୯ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାଷଣର ସିଧା ପ୍ରସାରଣ ନକରିବା କାରଣରୁ ଚେନ୍ନାଇସ୍ଥିତି ଦୂରଦର୍ଶନ କେନ୍ଦ୍ରର ସହକାରୀ ନିର୍ଦ୍ଦେଶିକା ଆର ବାସୁମତୀଙ୍କୁ ପ୍ରସାର ଭାରତୀ ନିଲମ୍ବିତ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଉଦବୋଧନ ଦେଇଥିଲେ । କିନ୍ତୁ ଡିଡି ପୋଧିଗାଇରେ ଏହାର ପ୍ରସାରଣ କରାଯାଇ ନଥିଲା । ପ୍ରସାର ଭାରତୀ ପକ୍ଷରୁ ବାସୁମତୀଙ୍କୁ ଦିଆଯାଇଥିବା ନିଲମ୍ବନ ଆଦେଶରେ ଯଦିଓ ତାଙ୍କୁ ନିଲମ୍ବିତ କରାଯିବାର କାରଣ ସମ୍ପର୍କରେ କିଛି କୁହାଯାଇନାହିଁ ତଥାପି ଏକ ସୂତ୍ରରୁ ଜଣାଯାଇଛି ମୋଦୀଙ୍କ କାର୍ଯ୍ୟକ୍ରମର ସିଧା ପ୍ରସାରଣ ନକରିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।


