ମୋହନା ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ସ୍ଥାନୀୟ ପଞ୍ଚାୟତରେ ନବମ ଓ ଦଶମ ଶ୍ରେଣୀରେ ପାଠ ପଢିବା ପାଇଁ ସାଧାରଣ ବର୍ଗ ଓ ପଛୁଆ ବର୍ଗ ଶିକ୍ଷାର୍ଥୀମାନଙ୍କ ପାଇଁ ସ୍ଥାନ ନଥିବାରୁ ଓ ସେମାନେ ନାମଲେଖାରୁ ବଞ୍ଚିତ ହେଉଥିବା ସମସ୍ୟାକୁ ନେଇ ଅଞ୍ଚଳବାସୀଙ୍କ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ମୋହନା ଗ୍ରାମ ପଞ୍ଚାୟତ ଅଧିନ ଖାରିଗୁଡା, କଣ୍ଟେଇକୋଳି, ବେତାରସିଙ୍ଗ, ମୋହନା, ରଙ୍ଗମାଟିଆ ଠାରେ ରହିଥିବା ବିଦ୍ୟାଳୟ ଗୁଡିକରୁ ପ୍ରତ୍ୟେକ ବର୍ଷ ପ୍ରାୟ ୨ ଶହରୁ ଉର୍ଦ୍ଧ୍ବ ବିଦ୍ୟାର୍ଥୀ ଅଷ୍ଟମ ଶ୍ରେଣୀରୁ ଉର୍ତ୍ତୀର୍ଣ୍ଣ ହୋଇଥାନ୍ତି। କିନ୍ତୁ ନୂତନ ଶିକ୍ଷାବର୍ଷ ଆସିଗଲେ ନବମ ଶ୍ରେଣୀରେ ପାଠ ପଢିବା ଶିକ୍ଷାର୍ଥୀ ଓ ଅବିଭାବକ ମାନଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଯାଏ । ମୋହନା ସରକାରୀ ଉଚ୍ଚ ବିଦ୍ୟାଳୟରେ କେବଳ ଅନୁସୂଚିତ ଜନଜାତି ଓ ଜାତି ଛାତ୍ରଛାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବା ବେଳେ ବାଳିକା ଉଚ୍ଚ ବିଦ୍ୟାଳୟରେ ୮୦ ସିଟ ରହିଛି। ଏହା ସହିତ କସ୍ତୁରବା ଆବାସିକରେ ୧୦୦ରୁ ଉର୍ଦ୍ଧ୍ଵ ଛାତ୍ରୀ ଅଧ୍ୟୟନ କରନ୍ତି।ଏହା ବ୍ୟତୀତ ମୋହନା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ପାଠ ପଢା ପାଇଁ ଅବିଭାବକଙ୍କ ଆର୍ଥୀକ ଅଭାବ ଓ ବିମଳା ବାଳିକା ଉଚ୍ଚ ବିଦ୍ୟାଳୟରେ ସୀମିତ ସିଟ୍ ଏବଂ ବାଳକ ମାନଙ୍କ ପାଇଁ ସ୍ଥାନ ନାହିଁ। ଏଣୁ ପ୍ରତ୍ୟେକ ବର୍ଷ ଶତାଧିକ ଛାତ୍ରଛାତ୍ରୀ ମୋହନାଠାରୁ ୪ ରୁ ୮ କିମି ଦୂରରେ ଅବସ୍ଥିତ ପିଣ୍ଡିକି,ଲିଲିଗଡ, ଲୁହାଗୁଡି, କରଚ଼ବାଡି ଆଦି ବିଦ୍ୟାଳୟକୁ ବାଧ୍ୟହୋଇ ପାଠ ପଢିବାକୁ ଯିବା ସହିତ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ନୂତନ ଶିକ୍ଷାବର୍ଷ ଆରମ୍ଭ ହୋଇଗଲେ ପିଲାର କେଉଁ ବିଦ୍ୟାଳୟରେ ନବମ ଶ୍ରେଣୀରେ ନାମ ଲେଖାଯିବ ତାହାକୁ ନେଇ ଅବିଭାବକ ମହଲରେ ଚିନ୍ତା ବଢିଯାଏ । ସାଧାରଣ ବର୍ଗ, ପଛୁଆ ବର୍ଗ, ଆର୍ଥୀକ ଅନଗ୍ରସର ବର୍ଗ ଛାତ୍ରଛାତ୍ରୀଙ୍କ ନାମ ଲେଖାଇବା ସମସ୍ତଙ୍କୁ କଷ୍ଟଦାୟକ ହୁଏ । ଏଣୁ ମୋହନା ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଚଳିତ ୨୦୨୩-୨୪ ଶିକ୍ଷା ବର୍ଷରୁ ଛାତ୍ରଛାତ୍ରୀଙ୍କୁ ପାଠପଢିବାର ଅନୁମତି ପ୍ରଦାନ କରିବା ପାଇଁ ବିଦ୍ୟାର୍ଥୀ, ଅବିଭାବକ, ବୁଦ୍ଧିଜୀବି, ଜନପ୍ରତିନିଧି ଓ ଅଞ୍ଚଳବାସୀ ମିଳିତଭାବେ ଜିଲ୍ଲାପାଳଙ୍କ ନିକଟରେ ଦାବି ଉପସ୍ଥାପନ କରିଛନ୍ତି।ଯଥାଶୀଘ୍ର ଅଞ୍ଚଳବାସୀଙ୍କ ଏହି ଦାବିକୁ ଜିଲ୍ଲା ପ୍ରଶାସନ ତ୍ଵରିତ ପଦକ୍ଷେପ ଗ୍ରହଣ ନକରେ ତେବେ ଆସନ୍ତା ୧୫ ଦିନ ମଧ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଓ ମୋହନା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ଯାଏଁ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଧାରଣା ଦିଆଯିବ ବୋଲି ସ୍ଥାନୀୟ ସମିତି ସଭ୍ୟ ବାଳକୃଷ୍ଣ ମଳିକ, ଶିକ୍ଷାବିତ ମଧୁସୂଦନ ପାଢୀ, ମାର୍ଶାଲ ନାୟକ, ରମେଶ ଚନ୍ଦ୍ର ମହାପାତ୍ର, ସମାଜସେବୀ ଜିତେନ୍ଦ୍ର କୁମାର ବେହେରା, ବୁଦ୍ଧିଜୀବି ସୁବଳ ପାଇକ, ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶିକ୍ଷା କମିଟି ସଭାନେତ୍ରୀ ଗୀତାଜଂଳୀ ନାୟକ, ଉପ ସଭାପତି କାଳିଆ ସ୍ୱାଇଁ, ସଭ୍ୟ ବୁଲୁ ବେହେରା, ମଳୟ କୁମାର ରାଉତଙ୍କ ସମେତ ଶତାଧିକ ଅବିଭାବକଙ୍କ ଉପସ୍ଥିତିରେ ବାଳକ ବିଦ୍ୟାଳୟ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀରେ ନିଜ ନିଜର ମତବ୍ୟକ୍ତ କରିଥିଲେ। ଏହି ସମ୍ମିଳନୀରେ ମୋହନା ପ୍ରେସ କ୍ଳବର ସମସ୍ତ ସାମ୍ବାଦିକମାନେ ଉପସ୍ଥିତ ଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ