ମୋ ସାଇକେଲ ପରେ ଏବେ ସିଟି ବସ୍ ପାଳି : ଶାଗମାଛ ଦରରେ କରାଯାଉଛି କବାଡିଆଙ୍କୁ ବିକ୍ରି
ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଗୋଟିଏ ପରେ ଗୋଟିଏ ଯୋଜନା କବାଡିଆଙ୍କ ହାତକୁ ଯାଉଛି । ନିକଟରେ ମୋ’ ସାଇକେଲ ଯୋଜନାରେ ଯେତେ ସବୁ ସାଇକେଲ କିଣା ହୋଇଥିଲା ତାହା ଶେଷରେ ନଷ୍ଟ ହୋଇ କବାଡିଆଙ୍କୁ ୫୦୦ ଟକାରେ ବିକ୍ରି ହେଉଥିବା ଘଟଣାର ତାତି କମିନଥିବା ବେଳେ ଏବେ ସିଟି ବସକୁ କବାଡିଆଙ୍କୁ ବିକ୍ରି କରିବା ଘଟଣା ରାଜ୍ୟସରକାରଙ୍କ ଯୋଜନା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବର୍ଷ ବର୍ଷ ଧରି ଖରା, ବର୍ଷାରେ ପଡି ଖତ ଖାଇବା ପରେ ଶେଷରେ କବାଡିଆଙ୍କୁ ଶାଗମାଛ ଦରରେ ୧୨୧ ସିଟି ବସକୁ ବିକ୍ରି କରି ଦିଆଯାଇଛି । କୋଲକାତାର ଏକ ସ୍କ୍ରାପେଜ ସଂସ୍ଥାକୁ ଏସବୁ ବସକୁ ବିକ୍ରି କରାଯାଇଛି । ତେବେ ୨୦୧୦ରେ ସିଟି ବସ୍ ସେବା ଆରମ୍ଭ ହୋଇଥିଲା । ଜବାହାରଲାଲ ନେହେରୁ ଜାତୀୟ ସହରାଞ୍ଚଳ ନବୀକରଣ ମିଶନ ଯୋଜନରେ ୧୨୫ଟି ବସ୍ କିଣାଯାଇଥିଲା । ପ୍ରାୟ ୨୨ କୋଟି ଟଙ୍କା ବିନିମୟରେ ଏହି ସିଟି ବସଗୁଡ଼ିକୁ କିଣା ଯାଇଥିଲା । ଭୁବନେଶ୍ୱର ପୁରୀ ଟ୍ରାନ୍ସପୋର୍ଟ ସର୍ଭିସ ଲିମିଟେଡ୍ ଘରୋଇ ସଂସ୍ଥା ଡ୍ରିମ ଟିମ୍ ସାହା ସହ ୭ବର୍ଷିଆ ଚୁକ୍ତି କରିଥିଲା । ଆଉ ୭ ବର୍ଷ ଚାଲିବା ପରେ ଗାଡିଗୁଡିକ ଆଉ ଗଡି ନଥିଲା । ଗାଡି ଗଡିକୁ ପୋଖରିପୁଟ ଡିପୋରେ ପକାଇ ଦେଇଥିଲେ କର୍ତୁପକ୍ଷ । ବର୍ଷ ବର୍ଷ ଧରି ବାହାରେ ପଡ଼ି ଖତ ଖାଇବା ପରେ କବାଡିଆଙ୍କୁ ୧୨୧ ଟି ସିଟି ବସଗୁଡ଼ିକୁ ବିକ୍ରି କରି ଦିଆଯାଇଛି। ତେବେ କଥା ଉଠୁଛି ଯେଉଁ ରାଜ୍ୟରେ ଅର୍ଥ ସଂକଟକୁ ଦେଖାଇ ରାଜ୍ୟ ସରକାର ରାଜ୍ୟର ଅନେକ ଯୁବପିଢ଼ିଙ୍କ ପାଇଁ ଚାକିରୀ ଗୋଟିଏ ଦେଇପାରୁନାହାଁନ୍ତି, ଆଉ ଯେଉଁ କେତେକଙ୍କୁ ଦେଉଛନ୍ତି ତାଙ୍କୁ ପୁଣି ୬ ବର୍ଷ କାଳ ଚୁକ୍ତିନାମାରେ ରଖି ନିଜ ରାଜ୍ୟରେ ଦାଦନ ଖଟିଲା ଭଳିକା ଖଟଉଛନ୍ତି , ସେଠି ଏଭଳି ଦିଶାହୀନ ଯୋଜନା କରି କୋଟି କୋଟି ଟଙ୍ଙ୍କାକୁ ପାଣିରେ ପକାଉଛନ୍ନ୍ତି ତାହା କେତେଦୂର ସଠିକ । ରାଜ୍ୟ ସରକାର କେବଳ ନିଜର ଛବି ଓ ମୂଲ୍ୟହୀନ ପ୍ରଶଂସା ସାଉଁଟିବା ପାଇଁ ରାଜ୍ୟର ଅର୍ଥକୁ ପାଣିରେ ପକାଉଛନ୍ତି ।


