ମ୍ୟାଟ୍ରିକ୍‍ ଟପ୍ଟରଙ୍କ ଉଚ୍ଚ ଶିକ୍ଷାପାଇଁ ସହାୟତାର ହାତ ବଢାଇଲେ ପୁଲିସ ଅଧିକାରୀ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):ନିକଟରେ ପ୍ରକାଶିତ ହୋଇଥିବା ଦଶମ ଶ୍ରେଣୀ ପରୀକ୍ଷାରେ କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଳକ ଏକ ଦୁର୍ଗମ ସଲାଗୁଡ଼ା ପଞ୍ଚାୟତର ଅପହଞ୍ଚ ନେଡ଼ିପଦର ଗ୍ରାମର ରତ୍ନୀ ଦିଗାଲ ଓ ସୁମନ୍ତି ଦିଗାଲଙ୍କ ମଧ୍ୟମ ଝିଅ ଶ୍ରଦ୍ଧାଞ୍ଜଳୀ ଦିଗାଲ ବ୍ଳକରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ତେବେ ଉଚ୍ଚ ଶିକ୍ଷା ପାଇଁ ତାଙ୍କ ପରିବାର ପାଖରେ ଅର୍ଥର ଅଭାବ ଖବର ପାଇବା ପରେ ମଙ୍ଗଳବାର ଦିନ ଉକ୍ତ ଅହପଞ୍ଚ ଇଲାକାରେ ପହଁଚିଥିଲେ ଫିରିଙ୍ଗିଆ ଥାନର ଏସ୍‍.ଆଇ ଦଶରଥ ହେମ୍ରମ୍‍। ଦୁର୍ଗମ ଅଞ୍ଚଳରେ ହୋଇଥିଲେ ମଧ୍ୟ ନିଜର ଚେଷ୍ଟା ବଳରେ ଶ୍ରଦ୍ଧାଞ୍ଜଳୀ ବ୍ଳକରେ ଟପ୍ଟର ହୋଇ ପାରିଛି। ଘରର ଆର୍ଥିକ ସ୍ଥିତି ଭଲ ନଥିବାରୁ ଆଜି ପର୍ଯ୍ୟନ୍ତ ସେ ଫର୍ମ ପୁରଣ ପାଇଁ ମଧ୍ୟ ଇଛା ପ୍ରକାଶ କରିନଥିଲା। ତେବେ ପୁଲିସ୍‍ ଅଧିକାରୀଙ୍କ ଠାରୁ ଆର୍ଥିକ ସହାୟତା ମିଳିବା ପରେ ସେ ନିଶ୍ଚିତ ଭାବେ ତାହାର ସ୍ୱପ୍ନ ସାକାର କରିବ ବଡ଼ହୋଇ ଜଣେ ଡ଼ାକ୍ତର ହେବ ବୋଲି ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ନିଜେ ଯେଉଁ ଅଞ୍ଚଳରେ ରହୁଛନ୍ତି ସେହି ଅଞ୍ଚଳବାସୀ କିଭଳି ଭାବେ ସ୍ୱାସ୍ଥ୍ୟସେବା ପାଇଁ କଲବଲ ହେଉଛନ୍ତି ସେ ସଂପର୍କରେ ସେ ପ୍ରକାଶ କରିବା ସହିତ ବଡ଼ହୋଇ ସେ ଜଣେ ଡ଼ାକ୍ତର ହେବେ ଓ ଅଞ୍ଚଳବାସୀଙ୍କ ସେବା କରିବେ ବୋଲି ମଧ୍ୟ ପ୍ରକାଶ କରିଛନ୍ତି। ପ୍ରକାଶଯେ, ଶ୍ରଦ୍ଦାଞ୍ଜଳୀ ଫିରିଙ୍ଗିଆ ବ୍ଳକ ଅନ୍ତର୍ଗତ ଫିରିଙ୍ଗିଆ ପଞ୍ଚାୟତର ନେଡ଼ିପଦର ସ୍ଥିତ ବାଳିକା ଉଚ୍ଚ ବିଦ୍ୟାଳୟ (ଆଶ୍ରମ)ରେ ରହି ପାଢ ପଢୁଥିଲେ।ଆର୍ଥିକ ସ୍ଥିତି ସଂପର୍କରେ ଜାଣିବାପରେ ପୁଲିସ୍‍ ଅଧିକାରୀଙ୍କ ସହିତ ନେଡ଼ିପଦର ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ପାଢୀ , ବିଜ୍ଞାନ ଶିକ୍ଷକ ଅଙ୍ଗଦ କହଁର , ଗଣମାଧ୍ୟମ ପ୍ରତିନିଧି ଉତ୍ତମ ଖମାରି ପ୍ରମୁଖ ପ୍ରବଳ ବର୍ଷାରେ କିଛିବାଟ ଗାଡ଼ିରେ ଯାଇଥିଲେ ଓ ପରବର୍ତ୍ତି ସମୟରେ ରାସ୍ତା ଭଲ ନଥିବା ଯୋଗୁଁ ଗାଡ଼ି ଯିବା ସମ୍ଭ୍‍ବ ହୋଇନଥିଲା। ଫଳରେ ଚାଲି ଚାଲି ଯାଇ ଶ୍ରଦ୍ଦାଞ୍ଜଳୀଙ୍କ ଘରେ ପହଞ୍ଚିଥିଲେ। ସେଠାରେ ପରିବାରର ସଦସ୍ୟଙ୍କ ଉପସ୍ଥିତିରେ ପୁଲିସ୍‍ ଅଧିକାରୀ ଶ୍ରୀ ହେମ୍ରମ୍‍ ୧୦ ହଜାର ଟଙ୍କା ପ୍ରଦାନ କରିବା ସହିତ ଝିଅକୁ ଉଚ୍ଚ ଶିକ୍ଷା ପାଇଁ ମଧ୍ୟ ପରାମର୍ଶ ଦେଇଥିଲେ। ଜଣେ ପୁଲିସ୍‍ ଅଧିକାରୀଙ୍କ ଏଭଳି ମହାନିୟତା ଓ ସହାୟତା ପାଇଁ ନିଜେ ଶ୍ରଦ୍ଧାଞ୍ଜଳୀ ଓ ପରିବାର ବର୍ଗ ଓ ଗ୍ରାମବାସୀ ମାନେ ସାଧିବାଦ ଜଣାଇଛନ୍ତି। ପ୍ରକାଶଯେ,ସଲାଗୁଡ଼ା ପଞ୍ଚାୟତର ନେଡ଼ିପଦର ଗ୍ରାମ ଏକ ଉପାନ୍ତ ଅଞ୍ଚଳ। ଉକ୍ତ ଗ୍ରାମରେ ପହଞ୍ଚିବାକୁ ଗୋଛାପଡ଼ା ଠାରୁ ଯେଉଁ ୯ କିଲୋମିଟ ବାଟ ଦେଇ ଯିବାକୁ ପଡ଼ିବ ତାହା ଅତ୍ୟନ୍ତ ଖରାପ ରାସ୍ତା। ଆଜି ପର୍ଯ୍ୟନ୍ତ ଉକ୍ତ ଗ୍ରାମକୁ ଭଲ ରାସ୍ତାଟିଏ ନଥିବା ବେଳେ ଶିକ୍ଷା , ସ୍ୱାସ୍ଥ୍ୟ , ଟେଲି ଯୋଗାଯୋଗ ଭଳି ସମସ୍ତ ମୌଳିକା ସୁବିଧାରୁ ଉକ୍ତ ଗ୍ରାମ ଆଜି ପର୍ଯ୍ରନ୍ତ ବଞ୍ଚିତ ହୋଇ ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ