ଯାତ୍ରୀବାହୀ ଅଟୋ ଓଲଟି ଜଣେ ଗୁରୁତର
ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ମଙ୍ଗଳବାର ସନ୍ଧ୍ୟାରେ ହିଞ୍ଜିଳି ଥାନା ବୁରୁପୋଡା କାଳି ମନ୍ଦିର ଛକ ନିକଟରେ ଏକ ଯାତ୍ରୀବାହୀ ଅଟୋ ଓଲଟି ପଡିବାରୁ ଜଣେ ଗୁରୁତର ଆହତ ହୋଇଛନ୍ତି । ଆହତ ଜଣଙ୍କ ହେଲେ ହିଞ୍ଜିଳି ଥାନା ନରେନ୍ଦ୍ରପୁର ଗ୍ରାମର ମହନ୍ତ ପୋଲାଇ (୪୮) । ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ହେବାରୁ ଅଧିକ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ପ୍ରକାଶ ଯେ, ଯାତ୍ରୀବାହୀ ଅଟୋଟି ନରେନ୍ଦ୍ରପୁର ଗ୍ରାମରୁ ହିଞ୍ଜିଳିକାଟୁ ଅଭିମୁଖେ ଯାଉଥିବା ବେଳେ ବୁରୁପୋଡା କାଳି ମନ୍ଦିର ଛକ ନିକଟରେ ଅଟୋ ସମ୍ମୁଖକୁ କିଛି ମଇଁଷି ଆସିବାରୁ ଚାଳକ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଓଲଟି ପଡିଥିଲା । ଅଟୋରେ ଯାତ୍ରା କରୁଥିବା ଅନ୍ୟ ୩ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି ।


