ଯୁକ୍ତଦୁଇ କଳାରେ ବାଲେଶ୍ୱର ଜିଲା ଆଗୁଆ
ବାଲେଶ୍ୱର, (ସରୋଜ ପଣ୍ଡା):ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଗୁରୁବାର ପ୍ରକାଶ ପାଇଛି ଯୁକ୍ତଦୁଇ କଳା ଓ ଧନ୍ଦାମୂଳକ ଶିକ୍ଷା (ଭୋକେସନାଲ) ଫଳ । ଚଳିତବର୍ଷ କଳାରେ ରାଜ୍ୟର ପାସହାର ୭୮.୮୮ ପ୍ରତିଶତ ହୋଇଥିବା ବେଳେ ବାଲେଶ୍ୱର ଜିଲା ୮୪.୯୭ ପ୍ରତିଶତ ଛୁଇଁବା ସହିତ ଓଡ଼ିଶାରେ ୧ନଂ ସ୍ଥାନ ଅଧିକାର କରିଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଉତ୍ତର ଓଡ଼ିଶା ଶାଖା ବୋଲି ଉପ-ସଚିବ ଜୟଦେବ ପରମାଣିକଙ୍କ ସୂଚନା ଅନୁସାରେ ବାଲେଶ୍ୱର ଜିଲାରେ କଳା ପରୀକ୍ଷା ପାଇଁ ୧୩ ହଜାର ୮୨ ଜଣ ଛାତ୍ରଛାତ୍ରୀ ପଞ୍ଜିକରଣ କରିଥିବା ବେଳେ ସେଥି ମଧ୍ୟରୁ ୧୨ହଜାର ୯୩୬ଜଣ ପରୀକ୍ଷୀ ଦେଇଥିଲେ । ତନ୍ମଧ୍ୟରୁ ୧୦ହଜାର ୯୯୩ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ୯ ହଜାର ୯୪୬ ଜଣ ପ୍ରଥମ ଶ୍ରେଣୀରେ, ୨ ହଜାର୧୬୧ ଦ୍ୱିତୀୟ ଶ୍ରେଣୀରେ ଏବଂ ୫ ହଜାର ୮୭୨ଜଣ ଛାତ୍ରଛାତ୍ରୀ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏଥିରେ ୧୪ଜଣ କମ୍ପାଡମେଣ୍ଟାଲରେ ପାସ କରିଥିବା ବେଳେ ୪ଜଣ ଏମପିରେ ବୁକ ହୋଇଛନ୍ତି । ସେହିପରି ଜିଲାରେ ଧନ୍ଦାମୂଳକ ପରୀକ୍ଷାରେ ୨୦୭ଜଣ ପଞ୍ଜୀକରଣ କରି ୨୦୬ଜଣ ପରୀକ୍ଷା ଦେଇଥିଲେ । ସେଥିରୁ ପ୍ରଥମ ୬୦ଜଣ ପ୍ରଥମ ଶ୍ରେଣୀରେ, ୭୫ଜଣ ଦ୍ୱିତୀୟ ଶ୍ରେଣୀରେ ଏବଂ ୧୩ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ତନ୍ମଧ୍ୟରୁ ୩ ଜଣ କମ୍ପାଡମେଣ୍ଟାଲରେ ପାସ କରିଛନ୍ତି । ୧୫୧ଜଣ ପାସ କରିଥିବା ବେଳେ ଜିଲାର ପାସହାର ୭୮.୩୦ ପ୍ରତିଶତ ହୋଇଛି ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।


