ଯୁବରାଣୀ ପ୍ରିୟମ୍ବଦାଙ୍କୁ ନାରୀଶକ୍ତି ପୁରସ୍କାର
ଅନୁଗୋଳ,- ଅନୁଗୋଳ ଜିଲ୍ଲା ତାଳଚେର ସବ୍ଡ଼ିଭିଜନ୍ର ତାଳଚେରର ଯୁବରାଣୀ ପ୍ରିୟମ୍ବଦା ସିଂହଙ୍କୁ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ବିଶ୍ୱ ମହିଳା ଦିବସ ଅବସରରେ ନାରୀଶକ୍ତି ୨୦୧୮ ସମ୍ମାନରେ ସମ୍ମାନିତ କରିଛନ୍ତି । ରାଷ୍ଟ୍ରପତି ଭବନଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସମାଜରେ ବିଭିନ୍ନ ଉନ୍ନୟନ କାର୍ଯ୍ୟ ଓ ନାରୀ ଶଶକ୍ତିକରଣ ପାଇଁ ଦେଶରେ ୪୪ଜଣ ମହିଳାଙ୍କୁ ରାଷ୍ଟ୍ରପତି ଏହି ପୁରସ୍କାର ପ୍ରଦାନ କରିଥିଲେ । ବ୍ୟକ୍ତିଗତ ଭାବେ ମହିଳା ତଥା ତଦ୍ ସମ୍ବନ୍ଧିୟ ଅନୁଷ୍ଠାନ ମାନଙ୍କୁ ଏପରି ସମ୍ମାନ ପ୍ରଦାନ କରାଯାଉଥିବା ବେଳେ ଯୁବରାଣୀ ପ୍ରିୟମ୍ବଦାଙ୍କୁ ଏହି ସଫଳତା ମିଳିପାରିଛି । ଯୁବରାଣୀ ନିଜର ୧୪୮ ବର୍ଷ ପୁରୁଣା ପୈତୃକ ଦୁର୍ଗକୁ ପୁନଃ ବିକଶିତ କରି ‘ହୋମ୍ ଷ୍ଟେ’ରେ ପରିଣତ କରିବା ସହ ଗ୍ରାମାବସୀ ମାନଙ୍କ ନିମନ୍ତେ ରୋଜଗାର ସୃଷ୍ଟି କରିପାରିଛନ୍ତି । ଏହିପରି ମହିୟସୀ ମହିଳା ମାନେ ନିଜନିଜ କ୍ଷେତ୍ରରେ ତଥା ରାଷ୍ଟ୍ର ନିର୍ମାଣରେ ଅସାଧାରଣ ଯୋଗଦାନ ଦେଇଛନ୍ତି । ସେହିପରି ଉନ୍ନତମାନର ସମାଜର ନିର୍ମାଣ ଓ ମହିଳା ମାନଙ୍କର ସାହସ, ସମର୍ପଣର ପ୍ରତିକ ସାଜି ସମାଜରେ ଦିଗ୍ଦର୍ଶନ ଭାବେ ଉଭା ହୋଇଛନ୍ତି । ଯୁବରାଣୀ ପ୍ରିୟମ୍ବଦାଙ୍କୁ ନାରୀଶକ୍ତି ୨୦୧୮ ସ୍ୱରୁପ ମାନପତ୍ର ଶହ ୧ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା । ଆମ ଦେଶରେ ଏହି ନାରୀଶକ୍ତି ପୁରସ୍କାର ମହିଳା ମାନଙ୍କ ନିମନ୍ତେ ସର୍ବୋଚ୍ଚ ପୁରସ୍କାର ରହିଛି । ସମସ୍ତ ତାଳଚେର ତଥା ଅନୁଗୁଳ ଅଂଚଳରେ ଯୁବରାଣୀଙ୍କ ଏହି ସମ୍ମାନ ଜନକ ପୁରସ୍କାର ପାଇଁ ଖୁସିର ମାହୋଲ୍ ଦେଖାଯାଇଛି ।


