ଯେଉଁ ମନ୍ଦିରରେ ପୂଜା ପାଏ କୁକୁର

ଉତ୍ତର ପ୍ରଦେଶ ବୁନ୍ଦେଲଖଣ୍ଡର ଝାନ୍ସୀ ରାଜପଥରେ ରୱେନ ଓ କକୱାରା ଗାଁ ମଝିରେ କୁକୁର ମହାରାଣୀଙ୍କର ଏକ ମନ୍ଦିର ରହିଛି । ଯେଉଁଠି କଳା ମାଈ କୁକୁରର ମୂର୍ତ୍ତିକୁ ପୂଜା କରାଯାଉଛି । ପ୍ରତିଦିନ ଲୋକେ ପରିବାରର ମଙ୍ଗଳକାମନା କରି ଏଠାରେ ପୂଜା କରିବା ସହ ମହିଳାମାନେ ଜଳଲାଗି କରିଥାଆନ୍ତି । ବିଶ୍ୱାସ ହେଉ ବା ଅନ୍ଧ ବିଶ୍ୱାସ ଲୋକଙ୍କର ଏଠାରେ ଅନେକ ଥର ମନସ୍କାମନା ପୂରଣ ହୋଇଥାଏ ବୋଲି କୁହନ୍ତି । ରାସ୍ତା କଡରେ ଏକ ଚଉତରା ନିର୍ମାଣ କରାଯାଇ ସେଥିରେ ତାର ଜାଲି ଭିତରେ କଳା ମାଈ କୁକୁରର ମୂର୍ତ୍ତିଟିକୁ ପୂଜା କରାଯାଉଛି । କାଳେ ମୂର୍ତ୍ତିର କିଛି କ୍ଷତି ହେବ ସେଥିପାଇଁ ଏହାକୁ ତାର ଜାଲି ଘେରାଇ ଦିଆଯାଇଛି । ଲୋକକଥା ଅନୁଯାୟୀ, ରୱେନ ଓ କକୱାରା ଗାଁରେ କୌଣସି ଭୋଜି ହେଲେ ଏକ ସ୍ୱତନ୍ତ୍ର ବାଜା ବଜାଯାଇ ଲୋକଙ୍କୁ ନିମନ୍ତ୍ରଣ କରାଯାଇଥାଏ । ଆଉ ଏହି ବାଜାର ଶବ୍ଦ ଶୁଣି କୁକୁରମାନେ ମଧ୍ୟ ସେଠାରେ ପହଞ୍ଚିଥାନ୍ତି । ହେଲେ ଅତୀତରେ ଦିନେ ଉଭୟ ଗାଁରେ ଭୋଜି ଥିବାବେଳେ ଗୋଟିଏ କଳା କୁକୁର ଅସୁସ୍ଥତା କାରଣରୁ ବିଳମ୍ବରେ ପ୍ରଥମେ କକୱାରା ଗାଁରେ ପହଞ୍ଚିଲା ବେଳକୁ ସେଠାରେ ଭୋଜି ସରିଯାଇଥିଲା । ସେହିପରି ପୁଣିଥରେ ସେହିଦିନ ରୱେନ ଗାଁରେ ମଧ୍ୟ କୁକୁରଟି ପହଞ୍ଚିବା ବେଳକୁ ଭୋଜି ସରିଯାଇଥିଲା । ଶେଷରେ କୁକୁରଟି ନିରାଶ ହୋଇ ରାସ୍ତାକଡ଼ରେ ଏକ ନିଛାଟିଆ ସ୍ଥାନରେ ଶୋଇପଡିଥିଲା । ହେଲେ ପରଦିନ ତା’ର ମୃତ୍ୟୁ ହୋଇଥିବା ଗାଁ ଲୋକେ ଦେଖିଥିଲେ । ପରେ ଲୋକେ ସେହିଠାରେ ହିଁ କୁକୁରଟିକୁ ପୋତିଦେଇ ଏକ ମନ୍ଦିର ତିଆରି କରି ଦେଇଥିଲେ । ଯେଉଁଠି କଳା ମାଈ କୁକୁରର ଏକ ମୂର୍ତ୍ତି ମଧ୍ୟ କରାଯାଇଥିଲା । ହେଲେ ପରବର୍ତ୍ତୀ ଅବସ୍ଥାରେ ଲୋକେ ତାକୁ ଠାକୁରାଣୀ ଭାବି ପୂଜା କରି ଆସୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ