ରଥ ଖଳାର ଇଷ୍ଟ ଦେବୀ ଓ ରକ୍ଷାକର୍ତ୍ତୀ ମା ଚର୍ଚ୍ଚିକା

ସନ୍ତୋଷ କୁମାର ଦାଶ
ପୁରୀ ଶ୍ରୀ କ୍ଷେତ୍ର ର ରାଜ ନଅର ସମ୍ମୁଖ ରେ ପୂଜା ପାଉଛନ୍ତି ମା ଚର୍ଚ୍ଚିକା ଠାକୁରାଣୀ। ମା ହେଉଛନ୍ତି ରଥଖଳା ର ଇଷ୍ଟ ଦେବୀ ଓ ରଥଖଳା ର ରକ୍ଷାକର୍ତ୍ତୀ। ମା ଚର୍ଚ୍ଚିକା ଠାକୁରାଣୀ ଙ୍କ ବାମ ପାର୍ଶ୍ୱରେ ମା ଚଣ୍ଡୀ, ଦକ୍ଷିଣ ପାର୍ଶ୍ୱରେ ମା ଚାମୁଣ୍ଡା ଓ ନିକଟରେ ଶ୍ରୀ ହନୁମାନ ପୂଜା ପାଉଛନ୍ତି। ବିଶ୍ଵ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ରଥ ଖଳା ରେ ଶ୍ରୀ ଜୀଉ ମାନଙ୍କର ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ଶ୍ରୀ ମନ୍ଦିର ସିଂହଦ୍ୱାର ଠାରୁ ଅଳ୍ପ ଦୂରରେ ଦେବୀ ଚର୍ଚ୍ଚିକାଙ୍କ ପାଖରେ ରଥଖଳା ଅବସ୍ଥିତ। ଓଡ଼ିଆ ଙ୍କ ଆରାଧ୍ୟ ଦେବତା ତଥା ଜଗତର ନାଥ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ପବିତ୍ର ରଥଯାତ୍ରା ପାଇଁ ତିନୋଟି ରଥ ନିର୍ମାଣ କରାଯାଏ। ଦେବୀ ଚର୍ଚ୍ଚିକା ହେଉଛନ୍ତି ରଥ ନିର୍ମାଣର ଇଷ୍ଟ ଦେବୀ। ଶ୍ରୀନଅର ସମ୍ମୁଖରେ ଏହି ଦେବୀ ବିରାଜିତା। ତେଣୁ ସେହି ସ୍ଥାନରେ ରଥଖଳା କରାଯାଇ ରଥ ନିର୍ମାତା ବିଶ୍ୱକର୍ମା ଓ ସହଯୋଗୀ ମହାରଣାଙ୍କ ଦ୍ୱାରା କରାଯାଏ ଶ୍ରୀଜୀଉଙ୍କ ରଥ। ଦେବୀ ଚର୍ଚ୍ଚିକାଙ୍କ କରୁଣାରୁ ଶାସ୍ତ୍ରୀୟ ବିଧିରେ ରଥ ନିର୍ମାଣ ସୁରୁଖୁରୁ ରେ ସଂପନ୍ନ ହେଇଥାଏ ବୋଲି ବିଶ୍ୱାସ ରହିଛି । ଅକ୍ଷୟ ତୃତୀୟା ତିଥିରେ ଅକ୍ଷି ପୂଜା ହେବା ପରେ ବିଶ୍ୱକର୍ମା ଓ ତାଙ୍କର ସହଯୋଗୀଗଣ ରଥ ନିର୍ମାଣରେ ପ୍ରବୃତ୍ତ ହୋଇଥାନ୍ତି । ପ୍ରତ୍ୟେକ ରଥ ନିର୍ମାଣର ବିଶେଷ ବିଧି ରହି ଆସିଛି। ବିଶ୍ଵକର୍ମା ମହାରଣା ମାନେ ପୈତୃକ ଗୃହ ରେ ଥିବା ମାପ, ନିର୍ମାଣ ଶୈଳୀ ଅନୁସାରେ ତିନି ରଥ ନିର୍ମାଣ କରିଥାନ୍ତି।ଅକ୍ଷୟ ତୃତୀୟା ରେ ମା ଙ୍କ ମନ୍ଦିର ଆଗରେ ରଥ କାଠ ଅନୁକୂଳ ହୋଇଥାଏ ଓ ଭଉଁରୀ ତିଥିରେ ଚକ ଡେରା ନୀତି କରା ଯାଇଥାଏ। ଅକ୍ଷୟ ତୃତୀୟା ଓ ଭଉଁରୀ ତିଥିରେ ରଥ କୁ ଆଜ୍ଞାମାଳ ବିଜେ ପରେ ସେ ସବୁ ଆଜ୍ଞାମାଳ ଙ୍କୁ ମା ଚର୍ଚ୍ଚିକା ଙ୍କୁ ଅର୍ପଣ କରାଯାଇ ଥାଏ। ବିଶ୍ଵାସ ରହିଛି ମା ଚର୍ଚ୍ଚିକାଙ୍କ ଆଶ୍ରିବାଦ ରୁ ତିନି ରଥ ନିର୍ମାଣ ସୁରୁଖୁରୁ ରେ ସମ୍ପନ୍ନ ହୋଇଥାଏ।
ମା ଚର୍ଚ୍ଚିକା ପୁରୀ ଶ୍ରୀ କ୍ଷେତ୍ର ରେ ପୂଜା ପାଉଥିବା ଅଷ୍ଟ ଚଣ୍ଡୀ ଙ୍କ ମଧ୍ୟରୁ ଅନ୍ୟତମ। ଜୟ ମା ଚର୍ଚ୍ଚିକା।
ତୁଳସୀପୁର। ପୁରୀ
୯୪୩୯୩୬୧୮୮୮


