ରାଜନୈତିକ ଦଳ ପ୍ରତିନିଧି ମାନଙ୍କ ଗହଣରେ ପର୍ଯ୍ୟବେକ୍ଷକଙ୍କ ବୈଠକ
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଚଳିତ ମଇମାସ ୧୩ ତାରିଖରେ ଏବଂ ୨୦ ତାରିଖରେ ଦୁଇଟି ପର୍ଯ୍ୟାୟରେ ଗଞ୍ଜାମ ଜିଲ୍ଲାରେ ମତଦାନ ହେବ । ଏଥି ସକାଶେ ସମସ୍ତ ପ୍ରକାର ପ୍ରସ୍ତୁତି ଚାଲିଛି । ଜିଲ୍ଲାରେ ନିର୍ବାଚନକୁ ଅବାଧ, ନିରପେକ୍ଷ ଓ ଶାନ୍ତି ଶୃଙ୍ଖଳାର ସହିତ ପରିଚାଳନା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଭାରତୀୟ ନିର୍ବାଚନ କମିଶନରଙ୍କ ତରଫରୁ ଜିଲ୍ଲାରେ ନିଯୁକ୍ତ ହୋଇଥିବା ପର୍ଯ୍ୟବେକ୍ଷକଗଣ ଜିଲ୍ଲାରେ ଉପସ୍ଥିତ ରହି ସମସ୍ତ ଗତିବିଧି ଉପରେ ନଜର ରଖିଛନ୍ତି । ମଙ୍ଗଳବାର ସଂଧ୍ୟା ସମୟରେ ଜିଲ୍ଲା ପରିଷଦ ଋଷିକୂଲ୍ୟା ସମ୍ମିଳନୀ କକ୍ଷଠାରେ ସମସ୍ତ ରାଜନୈତିକ ଦଳର ପ୍ରତିନିଧି ମାନଙ୍କୁ ନେଇ ନିର୍ବାଚନ ଖର୍ଚ୍ଚ ପରିଚାଳନା, ଆଦର୍ଶ ଆଚରଣବିଧିର ଅନୁପାଳନ ଏବଂ ଅନ୍ୟାନ୍ୟ ସମସ୍ତ ବିଷୟ ନେଇ ଆଲୋଚନା ହୋଇଯାଇଛି । ୨୦-ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀର ସାଧାରଣ ପର୍ଯ୍ୟବେକ୍ଷକ ସ୍ବରୂପ ପି ( ଯୋଗାଯୋଗ ନମ୍ବର-୯୬୯୨୧୯୪୧୪୫) ଖର୍ଚ୍ଚ ପର୍ଯ୍ୟବେକ୍ଷକ ସୌରଭ ଦୁବେ (ଯୋଗାଯୋଗ ନମ୍ବର- ୯୬୯୨୨୦୧୫୩୦) ଏବଂ ୨୦- ବ୍ରହ୍ମପୁର ଲୋକସଭା ଏବଂ ୧୩୪- ଦିଗପହଣ୍ଡି ବିଧାନ ସଭା ସାଧାରଣ ପର୍ଯ୍ୟବେକ୍ଷକ (ଯୋଗାଯୋଗ ନମ୍ବର- ୮୧୪୪୨୧୧୨୦୫) ଅନ୍ ଲାଇନ୍ ମାଧ୍ୟମରେ ଉପସ୍ଥିତ ରହି ନିର୍ବାଚନ ମଇଦାନରେ ଓହ୍ଲାଇଥିବା ପ୍ରାର୍ଥୀଗଣ ନିର୍ବାଚନ ଖର୍ଚ୍ଚକୁ ସଠିକ ଭାବରେ ଉଲ୍ଲେଖ କରିବା ନେଇ ପରାମର୍ଶ ଦେଇଥିଲେ । ସମସ୍ତ ଖର୍ଚ୍ଚର ବିବରଣୀ ରେଜିଷ୍ଟରରେ ଲିପିବଦ୍ଧ କରିବେ । ଏହି ଖର୍ଚ୍ଚ ପୁସ୍ତିକାକୁ ସମୟ ବ୍ୟବଧାନରେ ତଦାରଖ କରିବା ନିମନ୍ତେ ଦାଖଲ କରିବାକୁ କୁହାଯାଇଥିଲା । ଦ୍ବିତୀୟ ପର୍ଯ୍ୟାୟ ରାଣ୍ଡାମାଇଜେସନ୍ ବେଳେ ପ୍ରାର୍ଥୀଙ୍କୁ କିମ୍ବା ପ୍ରାର୍ଥୀଙ୍କ ପ୍ରତିନିଧି ଗଣଙ୍କୁ ଉପସ୍ଥିତ ରହିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଥିଲା । କୌଣସି ଠାରେ ଆଚରଣବିଧି ଉଲଂଘନ କର୍ଯ୍ୟକଳାପ ନଜରକୁ ଆସିଲେ ସେ ସମ୍ପର୍କରେ ଇ-ଭିଜିଲ୍ ଆପ୍ ରେ ଅଭିଯୋଗ ଦାଖଲ କରିବାକୁ କୁହାଯାଇଥିଲା । ମତଦାନ ପରେ ଇଭିଏମ୍ ଗଚ୍ଛିତ ଥିବା ଗୃହକୁ ନଜର ରଖିବା ପାଇଁ ପ୍ରାର୍ଥୀଙ୍କ ପ୍ରତିନିଧିଗଣ ରହିବା ବ୍ୟବସ୍ଥା ସମ୍ପର୍କରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଦିବ୍ଯ ଜ୍ଯୋତି ପରିଡା ଅବଗତ କରାଇଥିଲେ । ଚଳିତ ନିର୍ବାଚନରେ ପ୍ରଥମ କରି ହୋମ୍ ଭୋଟ୍ ଦେବାର ସୁବିଧା କରାଯାଇଥିବା ଅବଗତ କରାଇଥିଲେ । ନିର୍ଦ୍ଦିଷ୍ଟ ଫର୍ମ ପୂରଣ କରି ୮୫ ବର୍ଷରୁ ଉର୍ଦ୍ଧ୍ବ ଭାରତୀୟ ନାଗରିକଙ୍କ ଭୋଟ ଦେବାର ବ୍ୟବସ୍ଥା କରାଯାଇଥିବା ଜଣାଇ ଦିଆଯାଇ ଏହାର ପ୍ରକ୍ରିୟା ସମ୍ପର୍କରେ ସୁବିସ୍ତୃତ ତଥ୍ୟ ପ୍ରଦାନ କରାଯାଇଥିଲା । ନିର୍ବାଚନ କାର୍ଯ୍ଯରେ ନିଯୋଜିତ ଗାଡି ଗୁଡିକର ଅନୁମତି ଗ୍ରହଣ କରି ଅନୁମତି ପତ୍ର ଗାଡିରେ ଲଗାଇ ବ୍ୟବହାର କରିବାକୁ କୁହାଯାଇଛି । ନିର୍ବାଚନର ସମସ୍ତ ବ୍ୟବସ୍ଥା ସମ୍ପର୍କରେ ଅବଗତ କରାଇ ଏହାର ସୁବିଧା ଏବଂ ବ୍ୟବହାର ଦିଗରେ ସମସ୍ତ ପ୍ରତିନିଧି ମାନଙ୍କୁ ଅବଗତ କରାଯାଇଥିଲା ।ବୈଠକରେ ଗଞ୍ଜାମ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଦିବ୍ୟ ଜ୍ଯୋତି ପରିଡା, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ରିଟର୍ଣ୍ଣିଂ ଅଧିକାରୀ ମଧୁମିତା, ସହକାରୀ ମୁଖ୍ୟ ଉନ୍ନୟନ ଅଧିକାରୀ – ତଥା – ରିଟର୍ଣ୍ଣିଂ ଅଧିକାରୀ ପ୍ରତାପ ଚନ୍ଦ୍ର ପ୍ରଧାନ ମଞ୍ଚାସୀନ ରହି ନିର୍ବାଚନର ସମସ୍ତ ବ୍ୟବସ୍ଥା, ସୁବିଧା ଏବଂ ପରିଚାଳନା ସମ୍ପର୍କରେ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ ।


