ରାଜରାସ୍ତା ଜବରଦଖଲ ଉଚ୍ଛେଦ ନେଇ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଦାବିପତ୍ର ପ୍ରଦାନ
ଛତ୍ରପୁର, (ଦେବଦତ୍ତ ମହାରଣା) :-ଗଂଜାମ ଜିଲ୍ଲା ପାତ୍ରପୁର ବ୍ଲକ ଜୟନ୍ତୀପୁର ଗ୍ରାମ ପଂଚାୟତ ଅନ୍ତର୍ଗତ ବୋରିବାଡ ଗ୍ରାମରେ ସରକାରୀ ରାସ୍ତା ଜବର ଦଖଲ କରାଯାଇଥିବା ଅଭିଯୋଗ ଆଣିଛନ୍ତି ବୋରିବାଡ ଗ୍ରାମର ଧୋବା ସାହି ବାସିନ୍ଦା । ବୋରିବାଡ ଗ୍ରାମରେ ଖାତା ନଂ ୬୯୧, ପ୍ଲଟ ନଂ ୬୫୭ ର କିସମ ଗ୍ରାମ୍ୟ ରାସ୍ତା ରହିଥିଲା ବେଳେ ଖାତା ନଂ ୬୯୨, ପ୍ଲଟ ନଂ ୬୩୬ ର କିସମ ଗ୍ରାମ୍ୟ ପାଣି ନାଳ ରହିଅଛି । ଏହା ସାଧାରଣ ବାସଉପଯୋଗି ନଥିବା ସହ ସରକାରୀ ଜମି ହୋଇଥିଲେ ମଧ୍ୟ ଉଭୟ ପ୍ଲଟକୁ ଗ୍ରାମର ଜୈନିକ ବ୍ୟକ୍ତି ଜବର ଦଖଲ କରି ନିଜ ଅକ୍ତିଆର ରଖିଥିବା ଉକ୍ତ ଦାବୀ ପତ୍ର ଉଲ୍ଲେଖ କରାଯାଇଛି । ଏହା ସହିତ ବାଡି ରାସ୍ତା ଆର ପାଶ୍ୱର୍ରେ ଥିବା ପାଣି ନାଳ କିସମ ସରକାରୀ ଜମିକୁ ଜବର ଦଖଲ କରି କାଠବେଢା ବାନ୍ଧି କବଜା କରିଛନ୍ତି । ଉକ୍ତ ବିଷୟକୁ ନେଇ ବୋରିବାଡ ଗ୍ରାମ ଧୋବା ସାହି ବାସିନ୍ଦା ପୂର୍ବରୁ ବିଭିନ୍ନ ପ୍ରଶାସନିକ ଅଧିକାରୀ ମାନଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ସୋମବାର ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର ଅଭିଯୋଗ ପ୍ରକୋଷ୍ଠ ପ୍ରଦାନ କରିଛନ୍ତି । ଏହି ଦାବିପତ୍ର ପ୍ରଦାନ ବେଳେ ଝରା ସେଠୀ, ଟଙ୍କଧର ସେଠୀ, ମୋହନ ରାଓ ସେଠୀ, ଭାନୁ ସେଠୀ, ଉର୍ମିଳା ସେଠୀ, ଡାଲି ସେଠୀ, ପୁଷ୍ପା ସେଠୀ ଓ ଦିଲ୍ଲୀ ସେଠୀଙ୍କ ସମେତ ବହୁ ସାହି ବାସିନ୍ଦା ମାନେ ଉପସ୍ଥିତ ଥିଲେ ।


