ରାଜସ୍ଥାନ ସରକାର ଉପସ୍ଥାପନ କଲେ ଚଳିତ ବର୍ଷର ବଜେଟ୍‌

ରାଜସ୍ଥାନ : ରାଜସ୍ଥାନ ସରକାର ଆଜି ୨୦୨୦-୨୧ ବର୍ଷ ପାଇଁ ବଜେଟ୍‌ ଉପସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ବଜେଟ୍‌ ଆଗତ କରିବା ସହିତ କିଛି ଯୋଜନାର ମଧ୍ୟ ଘୋଷଣା କରିଛନ୍ତି। ରାଜସ୍ଥାନ ସରକାର ପ୍ରତ୍ୟେକ ଘରକୁ ଜଳ ଯୋଗାଣ ପାଇଁ ଜଳ ଜୀବନ ମିଶନ ଯୋଜନାର ଘୋଷଣା କରିଛନ୍ତି।
ସେହିପରି କୃଷି ପାଇଁ ୩୪୨୦ କୋଟି ଟଙ୍କାର ବ୍ୟୟବରାଦ ରଖିଛନ୍ତି। ନେହେରୁ ବାଳ ସଂରକ୍ଷଣ କୋଷର ଘୋଷଣା କରିବା ସହିତ ଏହି ଯୋଜନା ପାଇଁ ୧୦୦ କୋଟିର ବ୍ୟୟ ବରାଦ କରିଛନ୍ତି ରାଜସ୍ଥାନ ସରକାର। ୨୫୦୦୦ ନୂତନ ସୋଲାର ପମ୍ପ୍‌ ଲଗାଇବା ପାଇଁ ମଧ୍ୟ ଚଳିତ ବଜେଟ୍‌ରେ ଘୋଷଣା କରାଯାଇଛି । ହସ୍ପିଟାଲ୍‌ରେ ଜୀ ପ୍ଲସ୍‌୮ ଆଧାରରେ ନୂତନ ବୋର୍ଡ ନିର୍ମାଣକୁ ମଧ୍ୟ ମଞ୍ଜୁରି ଦେଇଛନ୍ତି। ନ୍ୟୁକ୍ଲିୟର୍‌ ମେଡିସିନ୍‌ ବିଭାଗର ସ୍ଥାପନା କରାଯିବା ନେଇ ଘୋଷଣା କରାଯାଇଛି। ବଜେଟ୍‌ରେ ମୂକ ବଧିର ଶିଶୁଙ୍କ ଚିକିତ୍ସା ପାଇଁ ନୂତନ ଘୋଷଣା କରାଯାଇଛି। ଏପର୍ଯ୍ୟନ୍ତ ୮୯୯ ଶିଶୁକୁ ସହାୟତା ଦିଆଯାଇଛି ।
ରୋଜଗାରକୁ ନେଇ ମଧ୍ୟ ଗେହଲେଟ୍‌ ସରକାର ୫୦ ହଜାର ଯୁବକଙ୍କ ପାଇଁ ସ୍ବରୋଜଗାରର ଘୋଷଣା କରିଛନ୍ତି । କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫ ପ୍ରତିଶତ ବୃଦ୍ଧି କରାଯାଇ ୧୨ପରିବର୍ତ୍ତେ ୧୭ ପ୍ରତିଶତ ଦିଆଯିବ ବୋଲି ଘୋଷଣା କରାଯାଇଛି। ମହିଳାଙ୍କ ସଶକ୍ତିକରଣ ପାଇଁ ମଧ୍ୟ ୧୦୦ କୋଟି ଟଙ୍କା ଘୋଷଣା କରାଯାଇଛି। ୪୧ କୋଟି ୬୦ ଲକ୍ଷ ବିନିମୟରେ ସଂଖ୍ୟାଲଘୁଙ୍କ ଶିଶୁଙ୍କ ପାଇଁ ଛାତ୍ରବାସ ନିର୍ମାଣ କରାଯିବାର ଘୋଷଣା ମଧ୍ୟ କରାଯାଇଛି । ରାଜସ୍ଥାନ ସରକାର ଚଳିତ ବଜେଟ୍‌ରେ ରାଜ୍ୟରେ ଆର୍ଥିକ ପଛୁଆ ବର୍ଗଙ୍କ ପାଇଁ ଏକ ବୋର୍ଡ ଗଠନ କରିବାର ଘୋଷଣା କରିଛନ୍ତି। ଏହା ସହିତ ରାଜ୍ୟରେ ଫାଷ୍ଟ ଟ୍ରାକ୍‌ କୋର୍ଟ ସ୍ଥାପନ କରାଯିବ ବୋଲି କୁହାଯାଇଛି।
ଚଳିତ ବଜେଟ୍‌ରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ୍‌ ଶିକ୍ଷା ଉପରେ ଫୋକସ୍‌ କରିଛନ୍ତି। ମହାବିଦ୍ୟାଳୟଗୁଡ଼ିକରେ ଅଫ୍‌ଲାଇନ୍‌-ଅନଲାଇନ୍‌ ଭିଡିଓ ଶିକ୍ଷା ଦିଆଯିବା ନେଇ ରାଜୀବ ଗାନ୍ଧି ଇ-କଣ୍ଟେଣ୍ଟ ଲାଇବ୍ରେରୀର ସୁବିଧା କରାଯିବ ବୋଲି ଘୋଷଣା କରାଯାଇଛି। ସରକାରୀ ସ୍କୁଲରେ ଶନିବାର ଦିନକୁ ‘ନୋ ବ୍ୟାଗ୍‌ ଡେ’ କରାଯିବ ବୋଲି ଘୋଷଣା କରାଯାଇଛି। ଏଣିକି ଶନିବାର ଦିନ ସ୍କୁଲରେ ବିଭିନ୍ନ ପ୍ରକାରର ଖେଳ ସହିତ ବିଦ୍ୟାର୍ଥୀଙ୍କ କୌଶଳ ବୃଦ୍ଧି ପାଇଁ କାର୍ଯ୍ୟକ୍ରମ କରାଯିବ ବୋଲି ଘୋଷଣା କରାଯାଇଛି । ସେହିପରି ବାଳିକା ଶିକ୍ଷାକୁ ଅଗ୍ରାଧିକାର ଦେଇ ତିନି ବର୍ଷରେ ରାଜ୍ୟରେ ଆଉ ୬୬ଟି କସ୍ତୁରବା ଗାନ୍ଧି ସ୍କୁଲର ଘୋଷଣା କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ