ରାଜାଙ୍କର ଅଛନ୍ତି ୬୦ ପତ୍ନୀ
ପୂର୍ବକାଳରେ ରାଜାମାନଙ୍କର ଏକାଧିକ ପତ୍ନୀ ରହୁଥିବାର ନଜିର ରହିଛି । ସେହିପରି ବର୍ତ୍ତମାନର ଆଧୁନିକ ଯୁଗରେ ମଧ୍ୟ ରହିଛି କେତେ ଜଣ ରାଜାଙ୍କର ଥାଟବାଟ । ନାଗାଲାଣ୍ଡର ଲୋଙ୍ଗବା ଗ୍ରାମରେ ନଗୋବାଙ୍ଗ ବୋଲି ଜଣେ ରାଜା ଅଛନ୍ତି । ତାଙ୍କର ୬୦ ପତ୍ନୀ ଥିଲାବେଳେ ତାଙ୍କ ଖାଇବା ଟେବୁଲ ମ୍ୟାନ୍ମାରରେ ରହିଛି । ଆଉ ଶୋଇବା ଘର ଭାରତରେ ରହିଛି । ଗ୍ରାମରେ ମୁଖ୍ୟତଃ କୋନ୍ୟାକ ଜନଜାତିର ଲୋକ ବସବାସ କରିଥାନ୍ତି । ଏଠାକାର ୭୫ଟି ଗ୍ରାମରେ ରାଜାଙ୍କର ଶାସନ ଚଳିଥାଏ । ଲୋଙ୍ଗବା ଗ୍ରାମର ଅଧା ଅଂଶ ମ୍ୟାନ୍ମାରରେ ଥିବାବେଳେ ଅଧା ଅଂଶ ଭାରତ ସୀମାରେ ରହିଛି । ରାଜାଙ୍କର ଘର ମଝି ଦେଇ ଯାଇଛି ମ୍ୟାନ୍ମାର-ଭାରତର ସୀମାରେଖା । ତେଣୁ ରାଜାଙ୍କ ଖାଇବା ଘର ମ୍ୟାନ୍ମାର ପଟେ ଥିବାବେଳେ ଶୋଇବା ଘର ରହିଛି ଭାରତରେ । ଏହି ଅଞ୍ଚଳର ଲୋକଙ୍କୁ ଦୁଇ ଦେଶର ନାଗରିକତ୍ୱ ପ୍ରଦାନ କରାଯାଇଛି । ମ୍ୟାନ୍ମାର ଯିବା ପାଇଁ ସେମାନଙ୍କର ଭିସା କିମ୍ବା ଭାରତ ପାଇଁ ପାସ୍ପୋର୍ଟର ଆବଶ୍ୟକତା ପଡି ନ ଥାଏ ।


