୬୫ତମ ରାଜ୍ୟସ୍ତରୀୟ ଭଲିବଲ ପ୍ରତିଯୋଗିତା ଉଦ୍ଯାପିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲ୍ଲା ମହକୁମା ପାରଲାଖେମୁଣ୍ଡି ଠାରେ ଥିବା ଗଜପତି ଷ୍ଟାଡିଅମ୍ରେ ୬୫ତମ ରାଜ୍ୟ ସ୍ତରୀୟ ଭଲିବଲ ପ୍ରତିଯୋଗିତା ଗତ କାଲି ରାତିରେ ଉଦ୍ଯାପିତ ହୋଇଯାଇଛି । ଏଥିରେ ଭୁବନେଶ୍ୱରଟିମ୍ ଚାମ୍ପିଆନ୍ ବିବେଚିତ ହୋଇଛନ୍ତି । ୧୪ବର୍ଷରୁ କମ୍ ବାଳକ ବିଭାଗରେ ଆୟୋଜକ ଗଜପତି ଜିଲା ମାଲକାନାଗିରି ଜିଲାକୁ ଭେଟିଥିବାବେଳେ ସେଥିରେ ମାଲକାନାଗିରି ଜିଲା ଚମ୍ପିଆନ ହୋଇଥିବାବେଳେ ଗଜପତି ଜିଲା ଉପବିଜେତା ହୋଇଥିଲା । ସେହିପରି ଭୁବନେଶ୍ୱର ଓ ନୂଆପଡା ମଧ୍ୟରେ ୧୭ବର୍ଷରୁ କମ୍ ବାଳିକା ବିଭାଗ ମ୍ୟାଚରେ ଭୁବନେଶ୍ୱର ଦଳ ଚମ୍ପିଆନ ହୋଇଥିବାବେଳେ ନୂଆପଡା ଦଳ ଉପବିଜେତା ହୋଇଥିଲା । କ୍ରୀଡାର ଏପରି ଏକ ମହାକୁମ୍ଭର ସମାପ୍ତ ହେବାପରେ ଏହା ଏକ ରଙ୍ଗାରଙ୍ଗ ପରିବେଶ ମଧ୍ୟରେ ଉଦ୍ଯାପନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଉଦ୍ଯାପନୀ କାର୍ଯ୍ୟକ୍ରମରେ ଜିଲାପାଳ ଅନୁପମ ସାହା ମୁଖ୍ୟ ଅତିଥିଭାବେ ଯୋଗଦେଇ ଏପରିଏକ ରାଜ୍ୟସ୍ତରୀୟ କ୍ରୀଡା ପ୍ରତିଯୋଗିତା ଗଜପତି ଜିଲାରେ ଆୟୋଜନ ହୋଇ ସଫଳତାର ସହ ଶେଷ ହୋଇଥିବାରୁ ଏଥିପାଇଁ ସମସ୍ତ ବିଭାଗୀୟ କର୍ମକର୍ତ୍ତା ଏବଂ ଅଧିକାରୀମାନଙ୍କୁ ଧନ୍ୟବାଦ ଦେଇଥିଲେ । ସେହିପରି କାର୍ଯ୍ୟକ୍ରମରେ ସଭାପତିତ୍ୱକରି ଜିଲା ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗ ଏହି ପ୍ରତିଯୋଗିତା ଶେଷ ହୋଇଥିବାବେଳେ ଏଥିରେ ସମସ୍ତେ ସମନ୍ୱୟ ରକ୍ଷାକରି କାର୍ଯ୍ୟ କରିଥିବାରୁ ତାର ଭୂୟସୀ ପ୍ରଶଂସା କରିଥିଲେ । ଶେଷରେ ସଫଳତା ହାସଲ କରିଥିବା ଟିମ୍ ଗୁଡିକୁ ପୁରସ୍କାର ବିତରଣ କରାଯାଇଥିଲା । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ଅତିରିକ୍ତ ଜିଲାପାଳ ସ୍ୱଧା ଦେବସିଂ, ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଚଞ୍ଚଳ ରାଣା, ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଶେଷଦେବ ମିଶ୍ର, ଜିଲା ମଙ୍ଗଳ ଅଧିକାରୀ ସନ୍ତୋଷ କୁମାର ରଥ, କ୍ରୀଡା ଅଧିକାରୀ ପ୍ରଭାକର ତ୍ରିପାଠୀ, ରାଧାବଲ୍ଲଭ ମଠର ରାଧାଚରଣ ଦାସଜୀ ମହାରାଜ ପ୍ରମୁଖ ମଞ୍ଚାସୀନ ଅତିଥିଭାବେ ଉପସ୍ଥିତଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ବିଜ୍ଞାନ ନିରିକ୍ଷକ ସାତ୍ତ୍ିକ ପଟ୍ଟନାୟକ,ପାରଳା ମହାରାଜା ବାଲକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବୃଷକେତୁ ଦାସ,ଶିକ୍ଷୟତ୍ରୀ ମିନାକ୍ଷୀ ପାଢି,ନର୍ମଦା ପଣ୍ଡା,ଏସ.ଏଲ.ରାଓ ପ୍ରମୁଖ ପରିଚାଳନା କରିଥିଲେ ।


