ରାଜ୍ୟପାଳଙ୍କୁ ଭେଟି ସ୍ମାରକପତ୍ର ଦେଲା ସମାଜବାଦୀ ପାର୍ଟି
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):୧୯୯୦ ମସିହାରେ କେନ୍ଦ୍ର ସରକାର ନିଯୁକ୍ତି କ୍ଷେତ୍ରରେ ଓବିସିଙ୍କୁ ୨୭% ସ୍ଥାନ ସଂରକ୍ଷର ଦେବା ପାଇଁ ଘୋଷଣା କଲେ । କେନ୍ଦ୍ର ସରକାରଙ୍କର ଏହି ଘୋଷଣା ପରେ ପରେ ବିଭିନ୍ନ ରାଜ୍ୟରେ ସରକାରୀ ଚାକିରି କ୍ଷେତ୍ରରେ ପଛୁଆବର୍ଗଙ୍କ ପାଇଁ ୨୭% ସ୍ଥାନ ସଂରକ୍ଷଣ ଲାଗୁ କରାଗଲା । ଓଡ଼ିଶା ସରକାର ୧୯୯୪ ମସିହାରୁ ସରକାରୀ ନିଯୁକ୍ତି କ୍ଷେତ୍ରରେ ପଛୁଆବର୍ଗଙ୍କୁ ୨୭% ସ୍ଥାନ ସଂରକ୍ଷଣ ଦେଲେ । କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ କୋର୍ଟ ରାୟର ଆଳ ଦେଖାଇ ଏହାକୁ ୧୧.୨୫କୁ ଖସାଇ ଦେଲେ । ଫଳରେ ପଛୁଆବର୍ଗର ନିଯୁକ୍ତି ଆଶାୟୀ ପ୍ରାର୍ଥୀମାନେ ୧୫.୭୫ଭାଗ ସ୍ଥାନ ସଂରକ୍ଷଣ ହରାଇଲେ ଯାହା ଆଜି ପର୍ଯ୍ୟନ୍ତ ପୂରଣ ହୋଇପାରି ନାହିଁ । ସେହିଭଳି କେନ୍ଦ୍ର ସରକାରର ୨୦୦୫-୦୬ ଶିକ୍ଷାବର୍ଷ ଠାରୁ କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟ, ଆଇଆଇଟି, ଆଇଆଇଏମ୍ ଓ ଅଖିଳ ଭାରତ ଆୟୁର୍ବିଜ୍ଞାନରେ ନାମଲେଖା କ୍ଷେତ୍ରରେ ପଛୁଆବର୍ଗ ଛାତ୍ରଛାତ୍ରୀଙ୍କୁ ୨୭% ସ୍ଥାନ ସଂରକ୍ଷଣ ନିଶ୍ଚିତ କଲେ । ପରେ ସୈନିକ ସ୍କୁଲ୍ ଓ କେନ୍ଦ୍ରୀୟ ବିଦ୍ୟାଳୟ ମାନଙ୍କରେ ମଧ୍ୟ ଏହି ସଂରକ୍ଷଣକୁ ଲାଗୁ କରାଗଲା । କିନ୍ତୁ ୨୦୦୫-୦୬ରୁ ୨୦୨୩-୨୪ ଦୀର୍ଘ ୧୮ ବର୍ଷ ବିତି ଯାଇଥିଲେ ମଧ୍ୟ ଓଡ଼ିଶା ସରକାର ସରକାରୀ କଲେଜ ଓ ବିଶ୍ୱବିଦ୍ୟାଳୟ ମାନଙ୍କରେ ପଛୁଆବର୍ଗ ଛାତ୍ରଛାତ୍ରୀଙ୍କ ପାଇଁ ନାମଲେଖାରେ ସଂରକ୍ଷଣ ସୁଯୋଗ ଦେଇନାହାଁନ୍ତି । ଫଳରେ ରାଜ୍ୟର ୫୪ଭାଗ ପଛୁଆବର୍ଗର ଛାତ୍ରଛାତ୍ରୀମାନେ ଡାକ୍ତରୀ, ଇଞ୍ଜିନିୟରିଂ ସମେତ ଉଚ୍ଚଶିକ୍ଷା କ୍ଷେତ୍ରରେ ବଞ୍ôଚତ ହେବାରେ ଲାଗିଛନ୍ତି । ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ଓବିସି ସଂରକ୍ଷଣକୁ ନେଇ ବହୁବାର ରାସ୍ତା ଉପରକୁ ଆସିଛି ଏବଂ ଧାରଣା, ଧର୍ମଘଟର ଡାକରା ଦେଇଛି । ସମାଜବାଦୀ ପାର୍ଟି ସମେତ ଅନ୍ୟାନ୍ୟ ପଛୁଆବର୍ଗ ସଂଗଠନ ମାନଙ୍କର ଚାପ ଫଳରେ ରାଜ୍ୟ ସରକାର ବିଧାନସଭାରେ ପଛୁଆବର୍ଗ ଜନଗଣନା କରିବା ପାଇଁ ଏକ ସର୍ବସମ୍ମତ ମତ ପାରିତ କରି ରାଜ୍ୟ ପଛୁଆବର୍ଗ କମିଶନଙ୍କୁ ଓଡ଼ିଶାରେ ଓବିସି ସଂରକ୍ଷଣ ପାଇଁ ଦାୟିତ୍ୱ ପ୍ରଦାନ କରିଥିଲେ । ମାନ୍ୟବର କମିଶନ ୨୦୨୩ ମସିହା ମେ ୧ ତାରିଖରୁ ଜୁଲାଇ ୧୦ ତାରିଖ ପର୍ଯ୍ୟନ୍ତ ଓବିସି ସର୍ବେକ୍ଷଣ କରି ଅଗଷ୍ଟ ପ୍ରଥମ ସପ୍ତାହରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି । କିନ୍ତୁ ଦୀର୍ଘ ୫ ମାସ ବିିତି ଯାଇଥିଲେ ସୁଦ୍ଧା ରାଜ୍ୟ ସରକାର ଏପର୍ଯ୍ୟନ୍ତ ଏହି ରିପୋର୍ଟକୁ ସାର୍ବଜନିନ କରିନାହାଁନ୍ତି । ଫଳରେ ଓଡ଼ିଶାର ପଛୁଆବର୍ଗ ନାମଲେଖା ନିଯୁକ୍ତିରେ ୨୭% ସଂରକ୍ଷଣରୁ ବଞ୍ôଚତ ହେଉଛନ୍ତି । ସମାଜବାଦୀ ପାର୍ଟିର ରାଜ୍ୟ ସଭାପତି ରବି ବେହେରାଙ୍କ ନେତୃତ୍ୱରେ ସର୍ବଶ୍ରୀ ସଞ୍ଜୟ ନାୟକ, ସୁବ୍ରତ ଲେଙ୍କା, ଦେଶପ୍ରିୟ ଦାସ ଓ ନରେନ୍ଦ୍ରନାଥ ପଣ୍ଡା ପ୍ରମୁଖ ଶୁକ୍ରବାର ମାନ୍ୟବର ରାଜ୍ୟପାଳଙ୍କୁ ଭେଟି ପଛୁଆବର୍ଗ ସର୍ବେକ୍ଷଣ ରିିପୋର୍ଟ ପ୍ରକାଶ କରିବା ଏବଂ ରାଜ୍ୟର ପଛୁଆବର୍ଗଙ୍କୁ ୨୭% ସଂରକ୍ଷଣ ଦେବା ପାଇଁ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ମାନ୍ୟବର ରାଜ୍ୟପାଳ ଏ ସମ୍ପର୍କରେ ରାଜ୍ୟ ସରକାରଙ୍କୁ ପତ୍ର ଲେଖିବେ ବୋଲି ପ୍ରତିନିଧି ଦଳଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।