ରାଜ୍ୟପାଳଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହେଲେ ଓଡ଼ିଆପୁଅ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଭାରତର ନିଷ୍ଟାଇକର ଭାବରେ ସୁପରିଚିତ ସଚିନ ବେହେରା ପାଞ୍ଚକେଜି ଏଙ୍କେଲ ୱେଟ୍ ବାନ୍ଧି ତିନି ମିନିଟ ଆଣ୍ଠୁ ପ୍ରଘାତ ବା ନିଷ୍ଟାଇକ କରି ପୂର୍ବରୁ ପାକିସ୍ତାନର ମୁଷ୍ଟିଯୋଦ୍ଧା ମହମ୍ମଦ ରସିଦଙ୍କ ନାମରେ ଥିବା ୧୭୮ନିଷ୍ଟାଇକକୁ ଭାଙ୍ଗି ୨୦୪ ଆଣ୍ଠୁ ପ୍ରଘାତ କରି ନୂତନ ଗିନିଜ୍ ବୁକ୍ ରେକର୍ଡ଼ ସ୍ଥାପନ କରିଛନ୍ତି । ତାଙ୍କର ଏହି କୃତିତ୍ୱ ପାଇ ସାରା ଓଡ଼ିଶାର କୋଣ ଅନୁକୋଣରୁ ସଚିନଙ୍କ ପାଖକୁ ପ୍ରଶଂସା ଓ ଶୁଭେଚ୍ଛାର ସୁଅ ଛୁଟିଥିଲା ବେଳେ ଓଡ଼ିଶାର ମହାମହୀମ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ସଚିନ ବେହେରାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ରାଜଭବନରେ ସଚିନଙ୍କୁ ଭେଟି ତାଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସମ୍ବର୍ଦ୍ଧିତ କରି ଗିନିଜବୁକ୍ ସାର୍ଟିଫିକେଟ ପ୍ରଦାନ କରିଥିଲେ । ଏଥିସହିତ କ୍ରୀଡ଼ା ପାଇଁ ସଚିନଙ୍କୁ ସବୁପ୍ରକାର ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହି ଅବସରରେ ଗଣେଶୀଲାଲ କହିଥିଲେ ଯେ, କ୍ରୀଡ଼ା କ୍ଷେତ୍ରରେ ସଚିନ ଯେଭଳି ରାଜ୍ୟ ତଥା ଦେଶ ପାଇଁ ସୁନାମ ଆଣିଛନ୍ତି, ଆଜିର ଯୁବ ଖେଳାଳୀମାନେ ସଚିନଙ୍କ ପରି ନିଷ୍ଠା ଓ ପରିଶ୍ରମ କରିପାରିଲେ, ସଚିନଙ୍କ ଭଳି ଅନେକ ପ୍ରତିଭା ଓଡ଼ିଶା ପାଇଁ ଗୌରବ ଆଣିପାରିବେ । ରାଜ୍ୟପାଳଙ୍କ ଠାରୁ ସମ୍ବର୍ଦ୍ଧିତ ହେବା ପରେ ସଚିନ ଭବିଷ୍ୟତରେ ଆହୁରି ଅନେକ ବିଶ୍ୱ ରେକର୍ଡ଼ କରିବେ ବୋଲି ଆଶାବ୍ୟକ୍ତ କରିଛନ୍ତି । ନୂଆପଡ଼ା ଜିଲ୍ଲାର ବୋଡ଼େନ ବ୍ଲକ ଲରକା ଗ୍ରାମର ପିତା ଲକ୍ଷ୍ମୀପ୍ରସାଦ ବେହେରା ଏବଂ ଆରତୀ ବେହେରାଙ୍କ ପୁତ୍ର ସଚିନ ବେହେରା ବର୍ତ୍ତମାନ ହାଇଟେକ କଲେଜ ଅଫ ଫିଜିଓଥେରାପିରେ ଇଣ୍ଟର୍ଣ୍ଣସିପ୍ କରୁଛନ୍ତି । ପିଲାଟି ବେଳରୁ ପାଠ ପଢିବା ସମୟରେ ଖେଳ ପ୍ରତି ରଚି ରଖିଥିଲେ । ଏଥିପାଇଁ ପିତାମାତା ସଚିନକୁ ପ୍ରୋତ୍ସାହନ ଦେଇ ଆସୁଥିଲେ । ତେଣୁ ସଚିନ ଖେଳରେ ସଫଳତା ପାଇବା ପାଇଁ କଠିନ ପରିଶ୍ରମ କରୁଥିଲେ । ପ୍ରଥମେ ସେ ୧୦୦ ମିଟର ଧାବକ ଭାବରେ ପରିିଚିତ ଥିଲେ । ଖାଲି ସେତିକି ନୁହେଁ ସଚିନଙ୍କ ଇଚ୍ଛା ଥିଲା ସେ ଆଣ୍ଠୁ ପ୍ରଘାତରେ ବିଶ୍ୱରେକର୍ଡ଼ କରି ଓଡ଼ିଶା ତଥା ଦେଶ ପାଇଁ ଗୌରବ ଆଣିବେ । ସେଥିପାଇଁ ସଚିନ ଦିନକୁ ୧୦ଘଣ୍ଟାର କଠିନ ପରିଶ୍ରମ କରୁଥିଲେ ଏବଂ ଦୀର୍ଘ ଚାରିମାସ କାଳ ଅକ୍ଲାନ୍ତ ପରିଶ୍ରମ କରି ନିଜ ନାମ ଗିନିଜ ବୁକରେ ଲିପିବଦ୍ଧ କରିବା ପାଇଁ ପ୍ରସ୍ତୁତ ହୋଇଥିଲେ । ଆଜି ତାଙ୍କ ସ୍ୱପ୍ନ ପୂରଣ ହୋଇଥିବାରୁ ସଚିନ ତାଙ୍କ ସଫଳତା ପାଇଁ ପିତାମାତାଙ୍କ ସମେତ ପ୍ରଶିକ୍ଷକମାନଙ୍କୁ ସବୁ ଶ୍ରେୟ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ