ରାଜ୍ୟରେ ପ୍ରଥମ ଆକାଶରେ ଉଡ଼ି ଦୃଷ୍ଟିବାଧିତ ରଚିଲେ ନୂଆ ଇତିହାସ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଦୃଷ୍ଟିବାଧିତ ଦୁନିଆର ଆଲୋକ ଦେଖିପାରେ ନାହିଁ, ଏକଥା ସତ । କିନ୍ତୁ ସାରା ଦୁନିଆକୁ ସେ ଆଲୋକ ଦେଖାଇ ପାରିଥାଏ । ଦୁନିଆ ସାମ୍ନାରେ ରଖିପାରିଥାଏ ଅନେକ ଚାଲେଞ୍ଜ । ଅସମ୍ଭବକୁ ସମ୍ଭବରେ ପରିଣତ କରିପାରିଥାଏ । ସେମାନଙ୍କ ପାଖରେ ଥାଏ ସୁପରପାୱାର । ସେମାନଙ୍କ ମଧ୍ୟରେ ବି ବିଭିନ୍ନ କ୍ଷେତ୍ରରେ ଦକ୍ଷତା ବି ରହିଛି । ଯାହାକୁ ପ୍ରମାଣ କରି ଦେଖାଇଛନ୍ତି ନୟାଗଡ଼ ଜିଲ୍ଲା ଶରଣକୂଳ ଭିକାରୀପଡ଼ା ଗ୍ରାମର ଦୃଷ୍ଟିବାଧିତ ଯୁବକ ବାପିନା ନାୟକ । ସମୁଦ୍ର ପତ୍ତନ ଠାରୁ ୩୩୦ ଫୁଟ ଉଚ୍ଚରେ ଏକାକୀ ଆକାଶରେ ଉଡ଼ି ରଚିଛନ୍ତି ଏକ ନୂଆ ଇତିହାସ । ଶତପ୍ରତିଶତ ଦୃଷ୍ଟିବାଧିତ ବାପିନା ଅନେକ ଦିନରୁ ଆକାଶରେ ଉଡ଼ିବା ପାଇଁ ରହିଥିଲା ସ୍ୱପ୍ନ । ଶାରୀରିକ ଅକ୍ଷମତାକୁ ସେ ସକ୍ଷମତାରେ ପରିଣତ କରି ଦେଖାଇଛନ୍ତି । ସେ କୁହନ୍ତି ଜୀବନରେ କେବେ ବି ଆଶା ଛାଡ଼ିବା କଥା ନୁହେଁ । ଯେଉଁ କାମ କରୁଛନ୍ତି ସେଥିପାଇଁ ଧୈର୍ଯ୍ୟ, ସାହାସ ଦରକାର । ସେ ସାରା ବିଶ୍ୱକୁ ବାର୍ତ୍ତା ଦେଇଛନ୍ତି ହମ୍ କିସିସେ କମ୍ ନେହିଁ, ଅର୍ଥାତ୍ ଆମେ କୌଣସି ଗୁଣରେ କମ୍ ନୋହୁଁ । ସହଯୋଗ ମିଳିଲେ ଆମେ ସବୁକିଛି କରିପାରିବୁ । ବାପିନାଙ୍କୁ ଏ କ୍ଷେତ୍ରରେ ସହଯୋଗର ହାତ ବଢ଼ାଇଛନ୍ତି ତାଙ୍କର କୋଚ୍ ତ୍ରିଲୋଚନ ବେଉରା, ସାମାଜିକ କର୍ମୀ ସୁଶାନ୍ତ ସାହୁ, ଚନ୍ଦ୍ରଶେଖର ପାଲ୍ ଏବଂ ପ୍ରିୟବ୍ରତ ପଣ୍ଡା ।
କୋଚ୍ ଓ ଶୁଭେଚ୍ଛୁଙ୍କ ଉପସ୍ଥିତିରେ କୋଣାର୍କ ସ୍ଥିତ ଇକୋ ରିଟ୍ରିଟ୍‌ର ବେଳାଭୂମିରେ ପାରାସେଲିଂ ଦ୍ୱାରା ବାପିନା ଆକାଶକୁ ଲଙ୍ଘିପାରିଛନ୍ତି । ଏଭଳି ଦୁଃସାହସିକ କ୍ରୀଡ଼ା ପ୍ରଦର୍ଶନ କରିବାରେ ସେ ହେଉଛନ୍ତି ରାଜ୍ୟର ପ୍ରଥମ ଦୃଷ୍ଟିବାଧିତ । ଦିବ୍ୟାଙ୍ଗ ହେଲେ ବି ବାପିନାଙ୍କ ସଂକଳ୍ପ ନିଆରା । ସୂଚନାଯୋଗ୍ୟ, କିଛି ମାସ ତଳେ ବାପିନା ଚନ୍ଦକା-ଡ଼ମପଡ଼ା ହସ୍ତୀ ଅଭୟାରଣ୍ୟ ନିକଟରେ ଥିବା ୧୧୦୦ ଫୁଟ ଉଚ୍ଚତା ବିଶିଷ୍ଟ ପାହାଡ଼କୁ ସଫଳତାର ସହ ଶିଖର ଚଢ଼ି ଜାତୀୟ ପତାକା ଉଡ଼ାଇବା ପାଇଁ ସକ୍ଷମ ହୋଇଥିଲେ । ଦିବ୍ୟାଙ୍ଗମାନଙ୍କ ପାଇଁ ସେ ଆଜି ଉଦାହରଣ ଓ ପ୍ରେରଣା ପାଲଟି ଯାଇଛନ୍ତି । ବାପିନା ସଫଳତାର ସହ ପାରାସେଲିଂ ପ୍ରଦର୍ଶନ ପରେ ସ୍ଥାନୀୟ ଅଞ୍ଚଳର ଜଣାଶୁଣା ସାମାଜିକକର୍ମୀ ରାମକୃଷ୍ଣ ମହାନ୍ତି, ନିରଞ୍ଜନ ତ୍ରିପାଠୀଙ୍କ ସମେତ ଉପସ୍ଥିତ ଜନସାଧାରଣ ବାପିନାଙ୍କର ଏହି ଦୁଃସାହସିକ ଯାତ୍ରାକୁ ସାବାସୀ ଜଣାଇବା ସହ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଉପସ୍ଥିତ ଜନତା ବାପିନାଙ୍କୁ ରିୟଲ ହିରୋ ବୋଲି ସମ୍ବୋଧନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ