ରାଜ୍ୟ ପାଇଁ ଗୌରବ ସାଜିଲେ ଓଡ଼ିଆ ପୁଅ ଗିରିଶ

ଶ୍ରୀନଗର: ନବଗଠିତ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀରର ପ୍ରଥମ ଉପରାଜ୍ୟପାଳ ଭାବେ ଅଞ୍ଚଳର ଶାସନଭାର ଗ୍ରହଣ କରିଛନ୍ତି ଓଡ଼ିଆ ପୁଅ ଗିରିଶ ଚନ୍ଦ୍ର ମୁର୍ମୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର ଅମଳରେ ଗିରିଶଙ୍କୁ ମିଶାଇ ୩ ଜଣ ଓଡ଼ିଆ ଏଭଳି ସାମ୍ବିଧାନିକ ପଦବୀରେ ଅବସ୍ଥାପିତ ହୋଇଛନ୍ତି । ଏଥି ପୂର୍ବରୁ ଝାଡ଼ଖଣ୍ଡର ରାଜ୍ୟପାଳ ଭାବେ ଦ୍ରୌପଦୀ ମୁର୍ମୁ ଓ ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ଭାବେ ବିଶ୍ୱଭୂଷଣ ହରିଚନ୍ଦନ ନିଯୁକ୍ତ ହୋଇଥିଲେ । ଅନ୍ୟପକ୍ଷରେ ସେ ସାମ୍ବିଧାନିକ ପଦବୀ ହାସଲ କରିଥିବା ମୟୁରଭଞ୍ଜ ଜିଲ୍ଲାର ଦ୍ୱିତୀୟ ବ୍ୟକ୍ତି । ଝାଡ଼ଖଣ୍ଡର ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କ ପରେ ବରିଷ୍ଠ ଆଇଏଏସ୍ ଗିରିଶ ଚନ୍ଦ୍ର ମୁର୍ମୁ ମୟୂରଭଞ୍ଜ ଜିଲ୍ଲାକୁ ଗୌରବାନ୍ୱିତ କରିଛନ୍ତି । ନବଗଠିତ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀରର ପ୍ରଥମ ଉପରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି ଗିରିଶ ।
ମୟୂରଭଞ୍ଜ ଜିଲ୍ଲା ବାରିପଦା ବ୍ଲକ୍ ଖଡ଼ିଶୋଳ ଗ୍ରାମ ପଞ୍ଚାୟତ କୁଞ୍ଚିଶୋଳ ଗାଁର ସ୍ୱର୍ଗତ ଭାଗବତ ମୁର୍ମୁ ଏବଂ ପାର୍ବତୀ ମୁର୍ମୁଙ୍କର ୬ ପୁଅ ଏବଂ ୨ ଝିଅଙ୍କ ମଧ୍ୟରୁ ସବା ବଡ଼ପୁଅ ହେଉଛନ୍ତି ଗିରିଶ । ୨୧ ନଭେମ୍ବର, ୧୯୫୯ରେ ଜନ୍ମଗ୍ରହଣ କରିଥିବା ଗିରିଶ ନିଜ ଗାଁରୁ ପ୍ରାଥମିକ ଶିକ୍ଷା ଆରମ୍ଭ କରିଥିଲେ । ପରେ ବାରିପଦା ଏବଂ ରାଉରକେଲାରେ ଅଧ୍ୟୟନ ପରେ ସେ ଉକ୍ରଳ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର କରି ଜେଏନ୍ୟୁରେ ଉଚ୍ଚଶିକ୍ଷା ଲାଭ କରିଥିଲେ । ୧୯୮୫ରେ ଗିରିଶ ସିଭିଲ୍ ସର୍ଭିସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଗୁଜୁରାଟ କ୍ୟାଡର୍ ଆଇଏଏସ୍ ଅଧିକାରୀ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ଏଥି ପୂର୍ବରୁ ଗିରିଶ ଭାରତ ସରକାରଙ୍କର ଅର୍ଥ ମନ୍ତ୍ରାଳୟରେ ସଚିବ ଭାବେ କାର୍ଯ୍ୟରତ ଥିଲେ । ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରୁ ଭାରତର ପ୍ରଥମ ଆଦିବାସୀ ମହିଳା ରାଜ୍ୟପାଳ ଭାବେ ଦ୍ରୌପଦୀ ମୁର୍ମୁଙ୍କୁ କେନ୍ଦ୍ର ସରକାର ନିଯୁକ୍ତି ଦେଇଥିଲେ । ଆଉ ଦ୍ୱିତୀୟ ମୟୂରଭଞ୍ଜିଆ ଭାବେ ଜିଲ୍ଲାର ଗୌରବ ଗିରିଶଙ୍କୁ ଜମ୍ମୁକଶ୍ମୀର ଭଳି ସମ୍ବେଦନଶୀଳ କେନ୍ଦ୍ରଶାସିତ ଅଞ୍ଚଳର ପ୍ରଥମ ଉପରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ