ରିଜର୍ଭ ବ୍ୟାଙ୍କ ରିପୋର୍ଟରେ ଓଡ଼ିଶାର ଆର୍ଥିକ ସଂସ୍କାର, ଋଣ ପରିଶୋଧ ପାଇଁ ରାଜ୍ୟ ବ୍ୟବହାର କରିବ ସିଏସ୍‌ଏଫ୍ ଟଙ୍କା

ଭୁବନେଶ୍ୱର,(ୱାଇଏନ୍ଏସ୍): ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜାରି କରାଯାଇଥିବା ‘ଷ୍ଟେଟ୍‌ ଫାଇନାନ୍‌ସେସ୍‌: ଏ ଷ୍ଟଡି ଅଫ୍ ବଜେଟ୍‌ସ୍‌ ଅଫ୍‌ ୨୦୨୦-୨୧’ରେ ଓଡ଼ିଶା ସରକାର ୨୦୧୯‌ରେ ଗ୍ରହଣ କରିଥିବା ଏକ ସଂସ୍କାରମୂଳକ ପଦକ୍ଷେପ ବିଷୟରେ ସ୍ବତନ୍ତ୍ର ଆଲୋଚନା କରାଯାଇଛି। ତାହା ହେଉଛି ‘ଆର୍ଥିକ ବିପଦ ପରିଚାଳନା’ ପଦକ୍ଷେପ। ଆଇଏମ୍ଏଫ୍ ଦକ୍ଷିଣ ଏସିଆ ଆଞ୍ଚଳିକ ପ୍ରଶିକ୍ଷଣ ଓ ବୈଷୟିକ ସହାୟତା କେନ୍ଦ୍ର (ସାର୍‌ଟାକ୍‌) ସହାୟତାରେ ରାଜ୍ୟ ସରକାର ଏହି ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଥିଲେ। ଏହାର ଅଂଶ ସ୍ବରୂପ ଅର୍ଥ ବିଭାଗ ଅଧୀନରେ ଏକ ଉତ୍ସର୍ଗୀକୃତ ଆର୍ଥିକ ବିପଦ ଓ ଋଣ ପରିଚାଳନା ସେଲ୍‌ ସ୍ଥାପନ କରାଯାଇଛି ଏବଂ ଏକ ଉଚ୍ଚ-ସ୍ତରୀୟ ଆର୍ଥିକ ବିପଦ କମିଟି ଗଠନ କରାଯାଇଛି। ଆର୍ଥିକ ବିପଦ ପରିଚାଳନା ପାଇଁ ତିନି ସ୍ତରୀୟ ବ୍ୟବସ୍ଥା ଗ୍ରହଣ କରାଯାଇଛି। ତାହା ହେଉଛି-ଆର୍ଥିକ ବିପଦକୁ ଚିହ୍ନଟ କରିବା ଏବଂ ତାହାର ପରିମାଣ ବିଷୟରେ ଜାଣିବା, ଆର୍ଥିକ ବିପଦର ରିପୋର୍ଟିଂ କରିବା ଏବଂ ଆର୍ଥିକ ବିପଦର ପ୍ରଶମନ ଓ ପରିଚାଳନା । ପ୍ରଥମ ସ୍ତରରେ ପ୍ରତିଟି ସମ୍ଭାବ୍ୟ ଆର୍ଥିକ ବିପଦ ଉତ୍ସକୁ ଚିହ୍ନଟ କରାଯାଉଛି ଏବଂ ତାହାର ପ୍ରଭାବକୁ ଜିଏସ୍‌ଡିପିର ଅନୁପାତ ହିସାବରେ ଆକଳନ କରାଯାଉଛି। ସେହି ଅନୁସାରେ କେଉଁ ବିପଦର ମାତ୍ରା କମ୍, ମଧ୍ୟମ ଓ ଉଚ୍ଚ ସ୍ତରର ତାହା ଧାର୍ଯ୍ୟ କରାଯାଉଛି। ଆର୍ଥିକ ବିପଦ ଚିହ୍ନଟ କରିବା ଲାଗି ରାଜ୍ୟ ସରକାର ଅନେକ ପ୍ରକାର ଉତ୍ସକୁ ବ୍ୟବହାର କରୁଛନ୍ତି। ଆନ୍ତର୍ଜାତିକ ସାମଗ୍ରୀ ମୂଲ୍ୟ, ବିନିମୟ ହାର ବିପଦ, ବୈଦେଶିକ ମୁଦ୍ରା ଋଣ ଆଦି ଉତ୍ସକୁ ଏଥିପାଇଁ ବ୍ୟବହାର କରାଯାଉଛି। ଆଇଏମ୍ଏଫ୍‌ର ରାଷ୍ଟ୍ରାୟତ୍ତ ଉଦ୍ୟୋଗ ସ୍ବାସ୍ଥ୍ୟ ପରୀକ୍ଷା ଉପକରଣକୁ ମଧ୍ୟ ଓଡ଼ିଶା ସରକାର ବ୍ୟବହାର କରୁଛନ୍ତି। ଏହି ଆକଳନରୁ ଗ୍ରିଡ୍‌କୋ ଏକ ଉଚ୍ଚ ସ୍ତରର ବିପଦ ଥିବା କଂପାନି ବୋଲି ଜଣାପଡ଼ିଥିବା ବିଷୟରେ ରିଜର୍ଭ ବ୍ୟାଙ୍କ ରିପୋର୍ଟରେ ଉଲ୍ଲେଖ ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ