ରୋଗୀ ସେବା କରୁଛନ୍ତି ସୁରକ୍ଷାକର୍ମୀ, ଭିଡିଓ ଭାଇରାଲ ପରେ ତଦନ୍ତ ନିର୍ଦ୍ଦେଶ

ହିଞ୍ଜିଳିକାଟୁ,୧୯ା୮(ଶେଷଦେବ ସାହୁ): ସ୍ବାସ୍ଥ୍ୟ ଭିତ୍ତିଭୂମିର ଉନ୍ନତି ପାଇଁ ୮୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ କୋଠା, ଡାକ୍ତରଖାନାକୁ କାଟାଗୋରୀ-୨ ଉପଖଣ୍ଡ ଚିକିତ୍ସାଳୟର ମାନ୍ୟତା, ରୋଗୀ ସେବାରେ ସୁଧାର ଆଣିବା ଲାଗି ଡାକ୍ତର,ନର୍ସ ଓ କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି ସତ୍ତ୍ୱେ ହିଞ୍ଜିଳିକାଟୁ ଡାକ୍ତରଖାନାରେ ରୋଗୀସେବାରେ ଚରମ ଅବହେଳା ଅଭିଯୋଗ ହୋଇଛି। ଡାକ୍ତର,ନର୍ସ ଓ ସ୍ବାସ୍ଥ୍ୟକର୍ମୀଙ୍କ ରୋଗୀସେବା ବଦଳରେ ଗ୍ରୁପ -୪ ସୁରକ୍ଷାକର୍ମୀଙ୍କ ଦ୍ବାରା ରୋଗୀସେବାର ଏକ ଭିଡିଓ ୨ଦିନ ଧରି ସୋସିଆଲ ମିଡିଆରେ ଭାଇରାଲ ପରେ ଅସଲି ସ୍ବାସ୍ଥ୍ୟସେବାର ଗୁମର ଫିଟିଛି। ବିଶେଷକରି ସନ୍ଧ୍ୟା ପରେ ହିଞ୍ଜିଳିକାଟୁ ଡାକ୍ତରଖାନାର ଏମିତି ପରିବେଶ ରୋଗୀ ଓ ସମ୍ପର୍କୀୟଙ୍କ ପାଇଁ ନାନା ଯନ୍ତ୍ରଣା ଆଣି ଦେଉଛି। କୌଣସି ଡାକ୍ତର ତ ଦୂରର କଥା ନର୍ସ, ସ୍ବାସ୍ଥ୍ୟକର୍ମୀଙ୍କ ବି ଦେଖା ମିଳୁନାହିଁ। ଦୂର ଦୂରଦୂରାନ୍ତରୁ ଆସୁଥିବା ରୋଗୀ ବେଡ଼ରେ ପଡି ଛଟପଟ ହେଉଥିବା ବେଳେ ମେଡିକାଲରେ ନିୟୋଜିତ ସୁରକ୍ଷାକର୍ମୀଙ୍କ ଦ୍ବାରା ଚିକିତ୍ସା ହେଉଛି। ଯାହାର ଦୃଶ୍ୟ ଏବେ ସାମାଜିକ ଗଣମାଧ୍ୟମରେ ଖୁବ ଭାଇରାଲ ହେବାରେ ଲାଗିଛି। ସ୍ବାସ୍ଥ୍ୟସେବାର ଗୁମର ପଦାରେ ପଡ଼ିବା ପରେ ଗଞ୍ଜାମ ସିଡିଏମ୍‌ଓ ଗୁରୁବାର ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆର୍‌ଏମ୍‌ସି ପରିସରରେ ନବନିର୍ମିତ ଡାକ୍ତରଖାନା କୋଠାରେ ରୋଗୀ ସେବା ଆରମ୍ଭ ହୋଇଥିଲା ଗତ ଫେବୃଆରୀ ମାସରେ। ସେଠାରେ ଡାକ୍ତର ଓ କର୍ମଚାରୀଙ୍କ ପାଇଁ କ୍ୱାର୍ଟର ରହିଛି। ତେବେ ଏ ପର୍ଯ୍ୟନ୍ତ ମାତ୍ର ଜଣେ ଡାକ୍ତର, ଫାର୍ମାସିଷ୍ଟ ବ୍ୟତୀତ ଅନ୍ୟ କେହି ଏଠାରେ ରହୁନାହାନ୍ତି। ଡାକ୍ତରମାନେ ବ୍ରହ୍ମପୁର ଠାରେ ରହିବା ସହ ପାଳି କରି ଏଠାକୁ ଆସୁଛନ୍ତି। କିଛି ଡାକ୍ତର ବିଭିନ୍ନ ଅଞ୍ଚଳ ବୁଲି ଘରୋଇ ଚିକିତ୍ସାରେ ବ୍ୟସ୍ତ ରହୁଛନ୍ତି। ଫଳରେ ଗ୍ରୁପ୍‌-୪ ସୁରକ୍ଷାକର୍ମୀ ସ୍ବାସ୍ଥ୍ୟସେବା ଯୋଗାଇ ରୋଗୀଙ୍କଠାରୁ ଅର୍ଥ ଆଦାୟ କରୁଥିବା ଅଭିଯୋଗ ହେଉଛି। ଟଙ୍କାଛାଇ ଅଞ୍ଚଳର ଜଣେ ରୋଗୀ କିଛିଦିନ ତଳେ ଚିକିତ୍ସା ନିମନ୍ତେ ହିଞ୍ଜିଳିକାଟୁ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ହଠାତ୍‌ ଅସୁସ୍ଥତା ଅନୁଭବ କରିବାରୁ ସେଠାରେ ଉପସ୍ଥିତ ସୁରକ୍ଷାକର୍ମୀ ବ୍ଲଡ଼ ପ୍ରେସର ମେଶିନ ସାହାଯ୍ୟରେ ସ୍ବାସ୍ଥ୍ୟ ଯାଞ୍ଚ କରିଥିଲେ। ଏହା ଦେଖି ସେଠାରେ ଉପସ୍ଥିତ ରୋଗୀଙ୍କ ସମ୍ପର୍କୀୟ ଏହାର ଭିଡିଓ ଉତ୍ତୋଳନ କରିବା ସହ ମେଡିକାଲର ଦୁରାବସ୍ଥା ସମ୍ବନ୍ଧରେ ଗୁମର ଖୋଲିଛନ୍ତି। ଏହାର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ