ଲକଡାଉନ୍ ନିୟମ ପାଳନ ବେଳେ ସମ୍ବେଦନଶୀଳତା ଜରୁରୀ: ଏନଏଚଆରସି
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଦେଶରେ କୋରୋନା ଭୂତାଣୁର ବ୍ୟାପକତା ରୋକିବା ସକାଶେ ଲାଗୁ କରିଥିବା ଲକଡାଉନ୍ ନିୟମକୁ ଆହୁରି ୧୯ ଦିନ ବଢ଼ାଇ ଦେଇଛନ୍ତି। ଫଳରେ ଆସନ୍ତା ମେ’ ୩ ତାରିଖ ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ରହିବ ବୋଲି ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି। ତେବେ ଦେଶରେ ଲକଡାଉନ୍ ନିୟମ ପାଳନ ବେଳେ ସରକାରୀ ଅଧିକାରୀମାନେ ବିଶେଷ ଭାବେ ସମ୍ବେଦନଶୀଳ ହେବା ଉପରେ ଜାତୀୟ ମାନବାଧିକାର କମିଶନ୍ (ଏନ୍ଏଚ୍ଆରସି) ପକ୍ଷରୁ ଗୁରୁତ୍ବାରୋପ କରାଯାଇଛି। ତେଣୁ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ସରକାରମାନଙ୍କୁ ସେମାନଙ୍କ ଅଧିକାରୀମାନଙ୍କୁ ସମ୍ବେଦନଶୀଳ ହେବା ସକାଶେ ନିର୍ଦେଶ ଦେବାକୁ ଏନ୍ଏଚ୍ଆରସି ପକ୍ଷରୁ ଅନୁରୋଧ କରାଯାଇଛି। ଏ ସଂକ୍ରାନ୍ତରେ କମିଶନ୍ ପକ୍ଷରୁ ଜାରି ଏକ ବିବୃତ୍ତିରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରାଳୟ ମାଧ୍ୟମରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମାନଙ୍କ ପାଇଁ କେନ୍ଦ୍ର ସରକାର ସ୍ବତନ୍ତ୍ର ନିର୍ଦେଶନାମା ଜାରି କରିବା ସକାଶେ କୁହାଯାଇଛି।
ଲକଡାଉନ୍ ନିୟମ ପାଳନ ବେଳେ ସରକାରୀ କର୍ମଚାରୀ, ବିଶେଷକରି ପୋଲିସ୍ କର୍ମଚାରୀ ସାଧାରଣ ଲୋକଙ୍କ ପ୍ରତି ବିବେକବାନ ଆଚରଣ କରିବା ଉଚିତ। ଦେଶର ସମସ୍ତ ନାଗରିକଙ୍କର ମାନବାଧିକାର ରହିଥିବାରୁ ପୋଲିସ୍ କର୍ମଚାରୀଙ୍କ ଆଚରଣ ଯେପରି ସେମାନଙ୍କଠାରୁ ସେ ଅଧିକାର ଛଡ଼ାଇ ନ ନିଏ, ତା’ ଉପରେ ସେମାନେ ଗୁରୁତ୍ବ ଦେବା ଉଚିତ ବୋଲି ଏହି ବିବୃତିରେ କମିଶନ୍ ପକ୍ଷରୁ କୁହାଯାଇଛି। ଲକଡାଉନର ପ୍ରଥମ ପର୍ଯ୍ୟାୟରେ ବିଭିନ୍ନ ସ୍ଥାନରେ ନିୟମ ପାଳନ ବେଳେ ମାନବାଧିକାର ଉଲ୍ଲଙ୍ଘନ ନେଇ ବ୍ୟାପକ ଅଭିଯୋଗ ଆସିବା ପରେ କମିଶନ୍ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି। କମିଶନ୍ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଆହୁରି ମଧ୍ୟ କୁହାଯାଇଛି ଯେ ସମାଜର ଦଳିତ ବର୍ଗର ଲୋକମାନଙ୍କ ସହ ପୋଲିସ୍ କର୍ମଚାରୀମାନେ ଅଧିକ ସଚେତନ ହୋଇ ନିଜର ବିବେକର ଉପଯୋଗ କରି ଆଚରଣ କରିବା ଉଚିତ। ଏହି ଅବସରରେ କମିଶନ୍ ପକ୍ଷରୁ ଦେଶରେ କୋରୋନା ଭୂତାଣୁ ଦାଉରୁ ଲୋକମାନଙ୍କୁ ରକ୍ଷା କରିବା କ୍ଷେତ୍ରରେ ସରକାରୀ ପ୍ରତିଷ୍ଠାନମାନେ ପ୍ରଶଂସନୀୟ କାର୍ଯ୍ୟ କରୁଛନ୍ତି ବୋଲି ପ୍ରଶଂସାସୂଚକ ମନ୍ତବ୍ୟ ଦିଆଯାଇଛି।


