ଲକଡାଉନ୍ ବେଳେ ଇପିଏଫରୁ ଉଠାଣ ହୋଇଛି ୨୮୦ କୋଟି

ନୂଆଦିଲ୍ଲୀ: ଦେଶର ସରକାରୀ ଓ ବେସରକାରୀ କର୍ମଚାରୀଙ୍କୁ ବାର୍ଦ୍ଧକ୍ୟଜନିତ ପେନସନ୍ ଓ ଆର୍ଥିକ ସହାୟତା ଯୋଗାଇ ଦେଉଥିବା କର୍ମଚାରୀ ଭବିଷ୍ୟ ନିଧି ପାଣ୍ଠି (ଇପିଏଫ୍) ପକ୍ଷରୁ ଲକଡାଉନ୍ ସମୟରେ ଅଗ୍ରୀମ ବାବଦରେ ପାଖାପାଖି ୨୮୦ କୋଟି ଟଙ୍କା ପଇଠ କରାଯାଇଛି। ଲକଡାଉନ୍ ସମୟରେ ନିଜର ଆର୍ଥିକ ଆବଶ୍ୟକତା ପୂରଣ କରିବା ସକାଶେ କର୍ମଚାରୀମାନଙ୍କୁ ଅଗ୍ରୀମ ଉଠାଣର ସୁବିଧା ଘୋଷଣା କରାଯାଇଥିବା ବେଳେ ଅଦ୍ୟାବଧି ୧.୩୭ ଲକ୍ଷ ମାମଲାର ସମାଧାନ କରାଯାଇ ଏ ବାବଦରେ ୨୭୯.୬୫ କୋଟି ଟଙ୍କା ପଇଠ କରାଯାଇଥିବା ଶ୍ରମ ମନ୍ତ୍ରାଳୟ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି। ଏହି ବିବୃତି ଅନୁସାରେ, କର୍ମଚାରୀମାନଙ୍କୁ ସେମାନଙ୍କ ଅର୍ଥ ପଇଠ ପ୍ରକ୍ରିୟା ଆରମ୍ଭ ହୋଇସାରିଛି ଓ ଏହା କେବଳ ଗତ ୧୦ ଦିନ ଭିତରେ ହିଁ କରାଯାଇପାରିଛି। ଇପିଏଫଓରେ ପହଞ୍ଚିଥିବା ଆବେଦନପତ୍ର ମଧ୍ୟରୁ ଯେଉଁଗୁଡ଼ିକର କେୱାଇସି ଅପଡେଟ୍ ରହିଛି, ସେଗୁଡ଼ିକର ସମାଧାନ ମାତ୍ର ୭୨ ଘଣ୍ଟା ମଧ୍ୟରେ ଶେଷ ହୋଇଛି। ଦେଶରେ ମହାମାରୀ ପରିସ୍ଥିତି ଜାରି ରହିଥିବାରୁ ଇପିଏଫଓ ପକ୍ଷରୁ ଯୋଗାଇ ଦିଆଯାଉଥିବା ଅନ୍ୟାନ୍ୟ ସୁବିଧାର ଫାଇଦା ନେବା ସକାଶେ କୌଣସି କର୍ମଚାରୀ ଆବେଦନ କରିଥିଲେ ମଧ୍ୟ ତାଙ୍କୁ ଏହି ଆପାତକାଳୀନ ଯୋଜନାର ଫାଇଦା ମଧ୍ୟ ଦିଆଯାଇଛି। ତେବେ କେୱାଇସି ସମ୍ପୂର୍ଣ୍ଣ ଭାବେ ଅପଡେଟ୍ ଥିଲେ, ଯଥାସମ୍ଭବ କମ୍ ସମୟ ମଧ୍ୟରେ କର୍ମଚାରୀଙ୍କ ଆବେଦନର ତ୍ବରିତ ସମାଧାନ କରାଯାଇପାରିଛି ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ ଯେ କୋରୋନା ଭୂତାଣୁର ବ୍ୟାପକତା ପରିପ୍ରେକ୍ଷୀରେ ଲକଡାଉନ୍ ଘୋଷଣା କରାଯାଇଥିବାରୁ କର୍ମଚାରୀମାନେ ଯେପରି କୌଣସି ପ୍ରକାର ଆର୍ଥିକ ସମସ୍ୟା ଭୋଗ ନ କରିବେ, ସେଥିପାଇଁ ଇପିଏଫ୍ ସ୍କିମରେ ଆବଶ୍ୟକ ସଂଶୋଧନ କରାଯଇ ତିନି ମାସର ଡିଏ ଅବା ସେମାନଙ୍କ ପରିମାଣର ୭୫ ପ୍ରତିଶତ ପର୍ଯ୍ୟନ୍ତ ଅର୍ଥ (ଯାହା କମ୍ ହେବ) ପ୍ରଦାନ କରିବା ସକାଶେ କେନ୍ଦ୍ର ସରକାର ଘୋଷଣା କରିଥିଲେ। କର୍ମଚାରୀମାନଙ୍କୁ ଏହି ଅର୍ଥ ପୁନର୍ବାର ସେମାନଙ୍କ ଆକାଉଣ୍ଟରେ ଜମା କରିବାର ଆବଶ୍ୟକତା ମଧ୍ୟ ନ ଥିବା ସରକାର ସ୍ପଷ୍ଟ କରିଥିଲେ। ତେବେ ଏହା ଅଗ୍ରୀମ ଆକାରରେ ପ୍ରଦାନ କରାଯିବାକୁ ଥିବାରୁ ଏଥିରେ କର୍ମଚାରୀଙ୍କୁ କୌଣସି ପ୍ରକାର କର ରିହାତି ସୁବିଧା ମିଳିବ ନାହିଁ ବୋଲି ଘୋଷଣା କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ