ବିନା ଲାଇଭ ଅଡିଆନ୍ସରେ ଦ କପିଲ ଶର୍ମା ଶୋ’
ହାସ୍ୟ ଅଭିନେତା କପିଲ ଶର୍ମା ଲକଡାଉନ ମଧ୍ୟରେ ମଧ୍ୟ ଦର୍ଶକଙ୍କ ମନୋରଞ୍ଜନ କରିବାର ଉପାୟ ବାହାର କରିଛନ୍ତି। ଏବେ ସେ ଘରୁ ନିଜ କମେଡି ଶୋ’ ‘ଦ କପିଲ ଶର୍ମା ଶୋ’ ଶୁଟିଂ କରିବାକୁ ଯାଉଛନ୍ତି। କୋରୋନା ଭାଇରସ କାରଣରୁ ସାରା ଦେଶରେ ଲକଡାଉନ ଲାଗିଛି। ଏହି କାରଣରୁ ଫିଲ୍ମ ଓ ଟିଭି ଇଣ୍ଡଷ୍ଟ୍ରୀରେ ତାଲା ଲାଗିଛି। ଏପରିସ୍ଥଳେ କପିଲ ନିଜ ନୂଆ ଏପିସୋଡ୍ ଶୁଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମିଳିଥିବା ଖବର ଅନୁସାରେ ଶୋ’ର ପ୍ରଯୋଜକ ବିନା ଲାଇଭ୍ ଅଡିଆନ୍ସରେ ଏହି ଶୋ’କୁ ପୁଣିଥରେ ଆରମ୍ଭ କରିବା ଲାଗି ଯୋଜନା କରୁଛନ୍ତି। ତେଣୁ କପିଲ ନିଜ ଘରୁ ଶୁଟିଂ କରିପାରନ୍ତି। ସୂଚନାଯୋଗ୍ୟ, କୋରୋନା ଭାଇରସ କାରଣରୁ ଆମେରିକାର ବଡ଼ ବଡ଼ ଟକ୍ ଶୋ’ ହୋଷ୍ଟ ଜିମି ଫ୍ଯାଲନ, ଜିମି କିମଲ ଓ ଏଲନ ଡିଜେନେରସ ମଧ୍ୟ ବିନା ଦର୍ଶକରେ ଶୋ’ ଶୁଟ୍ କରୁଛନ୍ତି। ଏପରିକି ସେମାନେ ନିଜ ଘରେ ମଧ୍ୟ ରେକର୍ଡ କରୁଛନ୍ତି। କପିଲ ମଧ୍ୟ କୋରୋନାକୁ ହରାଇବା ଲାଗି ଏହି ଉପାୟ ଆପଣାଇ ପାରନ୍ତି। ସୂଚନାଯୋଗ୍ୟ, କପିଲ ଲକଡାଉନ ଆଶୀର୍ବାଦ ବୋଲି ଭାବୁଛନ୍ତି। କାରଣ ଏଥିପାଇଁ ସେ ଘର ଓ ପରିବାର ସହିତ ସମୟ ବିତାଇ ପାରୁଛନ୍ତି। ଏଥିସହିତ ସେ ତାଙ୍କ ନବଜାତ ଝିଅ ଅନାୟରା ସହିତ ଖେଳିବାକୁ ସମୟ ପାଉଛନ୍ତି ବୋଲି କପିଲ କହିଛନ୍ତି।


