ଲକଡାଉନ ପାଇଁ ବାଇକ ଚୋରାଇ ଘରକୁ ଫେରିଲେ

ଚେନ୍ନାଇ : କୋଭିଡ ଲକଡାଉନ ଯୋଗୁ ଲକ୍ଷ ଲକ୍ଷ ଲୋକ ବିଭିନ୍ନ ରାଜ୍ୟରେ ଫସି ରହିଛନ୍ତି । ସେମାନେ ନିଜ ରାଜ୍ୟକୁ ଫେରିବା ପାଇଁ ଚେଷ୍ଟା ଚଳାଇଛନ୍ତି । ତାମିଲନାଡୁର ସୁଲ୍ଲୁର ଜିଲ୍ଲାରେ ଜଣେ ବ୍ୟକ୍ତି ନିଜ ଘରକୁ ଫେରିବା ପାଇଁ ଶେଷରେ ବାଇକ ଚୋରାଇବାକୁ ବାଧ୍ୟ ହୋଇଛନ୍ତି । ଚୋରି ବାଇକ ଧରି ନିଜ ଘରେ ପହଞ୍ଚିଛନ୍ତି । କିନ୍ତୁ ସେ ଏହି ବାଇକଟିକୁ ନ ରଖି କୋରିଅର କରି ଏହାର ମାଲିକ ପାଖକୁ ପଠାଇଛନ୍ତି । ନିରୁପାୟ ହୋଇ ସେ ଏଭଳି ଭୁଲ କରିବାକୁ ବାଧ୍ୟ ହେଲେ । କିନ୍ତୁ ଭୁଲ ସୁଧାରିବା ପାଇଁ ସେ ବାଇକଟିକୁ ଫେରାଇ ଦେଇଛନ୍ତି । ଏଥିପାଇଁ ୧,୪୦୦ ଟଙ୍କା ଖର୍ଚ୍ଚ କରିଛନ୍ତି । ସେପଟେ ୩୪ ବର୍ଷୀୟ ସୁରେଶ କୁମାର ତାଙ୍କ ବାଇକ ଫେରି ପାଇବା ପରେ ଖୁସିରେ ଆତ୍ମହରା ହୋଇପଡ଼ିଛନ୍ତି । ସେ ଭାବିଥିଲେ ତାଙ୍କ ବାଇକ ସମ୍ପୂର୍ଣ୍ଣ ଚୋରି ହୋଇଯାଇଛି । ଆଉ ତାହା ମିଳିବ ନାହିଁ । ଏମିତି କି ବାଇକ ଫେରି ନ ପାଇବା ଆଶଙ୍କା କରି ସେ ଥାନାରେ ଅଭିଯୋଗ ବି କରିଥିଲେ । କିନ୍ତୁ କୋରିଅର ଦ୍ୱାରା ବାଇକଟି ଆସି ତାଙ୍କ ଘରେ ପହଞ୍ଚିବା ପରେ ସେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏମିତି କି ତାଙ୍କ ସାହି ପଡ଼ିଶା ଲୋକ ବି ଘଟଣାଟି ଦେଖି ଚକିତ ହୋଇଯାଇଛନ୍ତି । ଅଭିଯୋଗ ପାଇବା ପରେ ପୁଲିସ ମାମଲା ଦାଏର କରି ନଥିଲା । ଲକଡାଉନ ହଟିବା ପରେ ମାମଲା ଦାୟର ହେବ ଏବଂ ଚୋରି ବାଇକ ଖୋଜିବା ଲାଗି ଚେଷ୍ଟା କରାଯିବ ବୋଲି ଥାନା ପକ୍ଷରୁ କୁହାଯାଇଥିଲା । କିନ୍ତୁ ଲକଡାଉନ ଶେଷ ନ ହେଉଣୁ ଗାଡ଼ି ପହଞ୍ଚିଛି । କିଛି ଦିନ ତଳେ ପାର୍କିଙ୍ଗ ସ୍ଥାନରୁ ଗାଡ଼ି ଚୋରି ହୋଇଥିଲା । ବାଇକ ଚୋରି କରିଥିବା ବ୍ୟକ୍ତିର ନାମ ପାରସନାଥ ବୋଲି ଜଣାପଡ଼ିଛି । ସେ କନ୍ନମପାଲୟମ ପିରିବୁ ସ୍ଥିତ ଏକ ପାଉଁରୁଟି କାରଖାନାରେ କାମ କରୁ୍‍ଥିଲେ । ମନ୍ନାରଗୁଡ଼ିର ବାସିନ୍ଦା ପାରସନାଥ ଲକଡାଉନ ଯୋଗୁଁ ଫସି ଯାଇଥିଲେ । ତେଣୁ ସେ ଘରକୁ ଫେରିବା ଲାଗି ବାଇକ ଚୋରାଇଥିଲେ । ୧,୪୦୦ ଟଙ୍କା ଖର୍ଚ୍ଚ କରି ସେ କୋରିଅର ଦ୍ୱାରା ଏହାକୁ ଫେରାଇଥିଲେ । ଏହା ପରେ ସୁରେଶ ନିଜ ଅଭିଯୋଗ ପ୍ରତ୍ୟାହାର କରି ନେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ