ଲାଲବାହାଦୂର ଉଚ୍ଚଶିକ୍ଷାଶ୍ରମ ପୁରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ଗ୍ରାମପଞ୍ଚାୟତର ମେହେନ୍ଦିପୁର ଲାଲବାହାଦୂର ଉଚ୍ଚ ଶିକ୍ଷାଶ୍ରମର ୧୯୮୨ ମାଟ୍ରିକ ବ୍ୟାଚ ଛାତ୍ରଛାତ୍ରୀମାନଙ୍କର ଏକ ବନ୍ଧୁମିଳନ ଉତ୍ସବ ସ୍ଥାନୀୟ କନ୍ତିଆମଠ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ୪୦ ପୁରାତନ ଛାତ୍ରଛାତ୍ରୀ ସପରିବାର ଯୋଗଦେଇ ମଠ ପରିସରକୁ ସଫେଇ କରିବା ସହ ମଠ ପରିସରରେ ବିଭିନ୍ନ ବୃକ୍ଷର ଚାରା ରୋପଣ କରିଥିଲେ । ବନ୍ଧୁ ସୁଧାଂଶୁ କୁମାର ଦାସଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ବାବାଜୀ ଚରଣ ମହାନ୍ତି ମନ୍ତ୍ର ଉଚ୍ଚାରଣ ସହ ସ୍ୱରଚିତ କବିତା ପାଠ କରିଥିଲେ । ବନ୍ଧୁ ତନୁଜ କିଶୋର ରାଉତ, ମଞ୍ଜୁଶ୍ରୀ ନାୟକ, କସ୍ତୁରୀବାଳା ଜେନା, ପୁଷ୍ପଲତା ବିଶ୍ୱାଳ ଓ ରଞ୍ଜନ କୁମାର ନାୟକ ପ୍ରମୁଖ ଉଦବୋଧନ ଦେଇ ସେମାନଙ୍କ ଅଧ୍ୟୟନ ସମୟର ଅନୁଭୂତି ପ୍ରକାଶ କରିବା ସହ ବନ୍ଧୁତ୍ୱର ସ୍ମୃତିଚାରଣ କରିଥିଲେ । କନ୍ତିଆ ମଠର ମଠାଧିଶ ବାବା ସିଦ୍ଧାର୍ଥ ଶଙ୍କର ଦାସ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୁବପିଢୀଙ୍କୁ ସଦମାର୍ଗରେ ରହି ସାମାଜିକ କାର୍ଯ୍ୟରେ ଯୋଗଦେଇ ଜନମାନସର ହିତ ସାଧନ ନିମନ୍ତେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରସନ୍ନ କୁମାର ଦଳାଇ, କେଳୁ ଚରଣ ସାହୁ, ଶରତ ଜେନା, ସ୍ନେହପ୍ରଭା ଦାସ, ରଞ୍ଜନ ଗ୍ରହାଚାର୍ଯ୍ୟ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବନ୍ଧୁ ମଞ୍ଜୁଶ୍ରୀ ନାୟକ ସ୍ୱରଚିତ କବିତା ଆବୃତ୍ତି କରିଥିବା ବେଳେ ବନ୍ଧୁ ବାବାଜୀ ଚରଣ ମହାନ୍ତି ପୁରାତନ ଛାତ୍ର ସଂସଦ ଦ୍ୱାରା ନିର୍ମାଣା ଧୀନ ମା’ କାଳୀଙ୍କ ମନ୍ଦିରର ପୂର୍ଣ୍ଣାଙ୍ଗ ଓ ରକ୍ଷଣାବେକ୍ଷଣ ନିମନ୍ତେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ସଙ୍ଗୀତ ଜ୍ଞ ଗୋଲକ ସେଠୀଙ୍କ ପ୍ରାରମ୍ଭିକ ଓ ବିଦାୟୀ ଆଧ୍ୟାତ୍ମିକ ସଂଗୀତ ସମସ୍ତଙ୍କୁ ମନମୁଗ୍ଧ କରିଦେଇଥିଲା । ପୁରୀରୁ ଆସିଥିବା ମହାପ୍ରସାଦ ଓ କେଉଁଝରରୁ ଆସିଥିବା ଫଳ ସମସ୍ତଙ୍କୁ ବଣ୍ଟନ କରାଯାଇଥିଲା । ଶେଷରେ ସୁଧାଂଶୁ କୁମାର ଦାସ ମଠର ମଠାଧିଶ ଓ ସହପାଠୀ ଆୟୋଜକ ବନ୍ଧୁମାନଙ୍କ ନିଷ୍ଠାପର ଉଦ୍ୟମ ଏବଂ ଉପସ୍ଥିତି ପାଇଁ କୃତଜ୍ଞତା ଅର୍ପଣ କରିଥିଲେ ।


