ଶନିଦେବଙ୍କ ମାସିକ ବ୍ରତ ଆରମ୍ଭ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଆଜି କାର୍ତ୍ତିକମାସ ଆରମ୍ଭ ହେଉଥିବାବେଳେ ଶନିଦେବତାଙ୍କ ବ୍ରତଧାରୀ ଭକ୍ତମାନେ ଆଜି ପୂଜାର୍ଚ୍ଚନା କରିଛନ୍ତି । କରୋନା ପାଇଁ ଭଣ୍ଡାରିପୋଖରୀ ବ୍ଲକ ଅଞ୍ଚଳର ସମସ୍ତ ଶନିମନ୍ଦିରରେ ଭକ୍ତଙ୍କ ସଂଖ୍ୟା କମଥିବାବେଳେ ପୂଜକ ମାନେ କେବଳ ପୂଜାର୍ଚ୍ଚନା କରିଥିଲେ । ବ୍ରତଧାରୀମାନେ ମନ୍ଦିରକୁ ନୈବିଦ୍ୟ ଓ ପୁଷ୍ପ ପଠାଇ ମାସକ ବ୍ରତର ଶୁଭାରମ୍ଭ କରିଛନ୍ତି । ବ୍ଲକ ପ୍ରାଙ୍ଗଣ ଶନିମନ୍ଦିର ଠାରେ ପୂଜକ ନାରଣ ପଣ୍ଡା, ନିତ୍ୟ ନୈବେଦିକ ପୂଜା ସହ ଗ୍ରହ ପୂଜା ଆରମ୍ଭ କରି ହୋମ କରିଥିଲେ । ଏହାପରେ ଯେଉଁ ବ୍ରତଧାରୀମାନେ ମନ୍ଦିର ଆସିନଥିଲେ ସେମାନଙ୍କ ପାଇଁ ସଂକଳ୍ପ କରି ଠାକୁରଙ୍କ ନିକଟରେ ମାସକ ପାଇଁ ନଡିଆ ବସାଇଥିଲେ । ପୂଜାର୍ଚ୍ଚନରେ ସରୋଜ ପଣ୍ଡା, ମନୋଜ ପଣ୍ଡା, ସୋମନାଥ ପଣ୍ଡା ସହଯୋଗ କରିଥିଲେ । ସେହିଭଳି ସରସଦା, ଜଳହରି, ଅଗେଇ ବେହେରା ଆଦି ଶନିମନ୍ଦିର ଠାରେ ବ୍ରତଧାରୀ ଶ୍ରଦ୍ଧାଳୁ ମାନଙ୍କ ପକ୍ଷରୁ ପୂଜକ ମାନେ ପୂଜାର୍ଚ୍ଚନା କରିଛନ୍ତି ।


