ଶିଳ୍ପାନୁଷ୍ଠାନରେ ତାଲିମପ୍ରାପ୍ତ ଯୁବକ/ଯୁବତୀଙ୍କୁ ନିଯୁକ୍ତି ପ୍ରଦାନ ଉପରେ ଗୁରୁତ୍ୱ
ବାଲେଶ୍ୱର, (ଓ୍ବାଇଏନ୍ଏସ୍):ଜିଲ୍ଲା ଦକ୍ଷତା କମିଟି ଆନୁକୂଲ୍ୟରେ ଆଜି ସ୍ଥାନୀୟ ସରକାରୀ ଆଇ.ଟି.ଆଇ ସମ୍ମିଳନୀ କକ୍ଷରେ ଏକ ଶିଳ୍ପ/ଲଘୁ ଉଦ୍ୟୋଗ(ଏମ.ଏସ.ଏମ.ଇ) ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ କେ.ସୁଦର୍ଶନ ଚକ୍ରବର୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ଜିଲ୍ଲାର ବିଭିନ୍ନ ଶିଳ୍ପାନୁଷ୍ଠାନ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ପ୍ରତିନିଧି, ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର କର୍ମକର୍ତା ଓ ଜିଲ୍ଲାସ୍ତରୀୟ ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ । ଶିଳ୍ପାନୁଷ୍ଠାନର ଆବଶ୍ୟକତା ଅନୁଯାୟୀ ଯୁବକ/ଯୁବତୀଙ୍କୁ ବିଭିନ୍ନ ଦକ୍ଷତା ଭିତିକ ପ୍ରଶିକ୍ଷଣ ପ୍ରଦାନ କରାଯିବା ସହିତ ସେମାନଙ୍କୁ ସ୍ଥାନୀୟ ଉଦ୍ୟୋଗ ସମୂହରେ ନିଯୁକ୍ତି ପ୍ରଦାନ ଉପରେ ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତୀ ଗୁରୁତ୍ୱାରୋପ କରିଥିଲେ । ଜିଲ୍ଲାର ଶିକ୍ଷାନୁଷ୍ଠାନ ଏବଂ ଶିଳ୍ପାନୁଷ୍ଠାନ ପାରସ୍ପରିକ ସହଯୋଗ ସହ ନିଜ ନିଜ ଭିତରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କଲେ ଏହା ସମସ୍ତଙ୍କ ପାଇଁ ଲାଭଦାୟୀ ହୋଇପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ । ଆଗାମୀ ଦିନରେ ଜିଲ୍ଲାରେ ବିପୁଳ ପୁଞ୍ଜିନିବେଶ ହେବା ଆଶା କରାଯାଉଥିବା ବେଳେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଦକ୍ଷ ମାନବସମ୍ବଳ ତିଆରି କରିବା ଆମ ସମସ୍ତଙ୍କ ଦାୟିତ୍ୱ ବୋଲି ଜିଲ୍ଲାପାଳ କହିଥିଲେ । ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ଉପନିର୍ଦ୍ଦେଶକ ଶ୍ରୀ ଅସିତ ବରନ୍ ପ୍ରଧାନ ଏହି କର୍ମଶାଳାରେ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ବାଲେଶ୍ୱର ଜିଲ୍ଲାରେ ଉପଯୁକ୍ତ ଭିତିଭୂମି ସହ ଶିକ୍ଷିତ ଯୁବ ସମାଜ ରହିଥିବା ବେଳେ ଏହାର ସଦୁପଯୋଗ କରିବାକୁ ପରାମର୍ଶ ଦେଇଥିଲେ । ବିଶେଷ କରି ସ୍ଥାନୀୟ ଶିଳ୍ପାନୁଷ୍ଠାନରେ ଶିକ୍ଷିତ ଯୁବକ-ଯୁବତୀମାନଙ୍କୁ ଶିକ୍ଷାନବୀଶ ଭାବେ ପ୍ରଶିକ୍ଷଣ ପ୍ରଦାନ କରାଯାଇ ସେମାନଙ୍କୁ ରୋଜଗାରକ୍ଷମ କରାଯାଇପାରିଲେ ଜିଲ୍ଲାର ଅର୍ଥନୀତିରେ ବିକାଶ ହୋଇପାରିବ ଏବଂ ନିଯୁକ୍ତି ପାଇଁ ସେମାନଙ୍କୁ ରାଜ୍ୟ ବାହାରକୁ ଯିବାକୁ ପଡିବ ନାହିଁ ବୋଲି ସେ ଉଲ୍ଲେଖ କରିଥିଲେ । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ରବୀନ୍ଦ୍ର କୁମାର ସାହୁ ଏହି କର୍ମଶାଳାରେ ଯୋଗ ଦେଇ ଜିଲ୍ଲାର ଯୁବକ-ଯୁବତୀମାନଙ୍କ ମଧ୍ୟରେ ଯେଉଁ ଦକ୍ଷତା ବ୍ୟବଧାନ ରହିଛି, ତାହାକୁ ପୂରଣ କରିବା ପାଇଁ ଜିଲ୍ଲାର ଶିଳ୍ପାନୁଷ୍ଠାନ/ଉଦ୍ୟୋଗୀମାନଙ୍କୁ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସରକାରୀ ଆଇ.ଟି.ଆଇ.ଅଧ୍ୟକ୍ଷ ଶ୍ରୀ କେ.ସି.ରାଉତ, ଓରମାସ୍ର ଉପ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଜେ.କେ.ବିଶ୍ୱାଳ, ଏଲଡିଏମ ଶ୍ରୀ ସୁଦୀପ ଡାକୁଆ, ସିପେଟ୍, ବାଲେଶ୍ୱର ଅଧ୍ୟକ୍ଷ ଶ୍ରୀ କେ.କେ.ମହାପାତ୍ର, ଜିଏମ.-ଡିଆଇସି ଶ୍ରୀ ସତ୍ୟାନନ୍ଦ ପଟ୍ଟନାୟକ, ରାଜ୍ୟ ଶିକ୍ଷାନବୀଶ ପର୍ଯ୍ୟବେକ୍ଷଣ ସେଲ୍ର ପ୍ରକଳ୍ପ ପରାମର୍ଶଦାତା ଶ୍ରୀ ବିକ୍ରମ କୁମାର ସିଂହ, ପିଡବ୍ଲ୍ୟୁସିର ଟିମ ଲିଡର ଶ୍ରୀ ମନୋଜ ତ୍ରିପାଠୀ ପ୍ରମୁଖ ଶିଳ୍ପାନୁଷ୍ଠାନ ଓ ଶିକ୍ଷାନୁଷ୍ଠାନ ସହଭାଗିତା ଉପରେ ଆଲୋକପାତ କରିବା ସହିତ ସ୍ଥାନୀୟ ଯୁବକ-ଯୁବତୀଙ୍କ ଦକ୍ଷତା ବୃଦ୍ଧି ଓ ନିଯୁକ୍ତି ଉପରେ ବକ୍ତବ୍ୟ ରଖିଥିଲେ । ଜିଲ୍ଲା ନିୟୋଜନ ଅଧିକାରୀ ଶ୍ରୀ ନିମାଇଁ ଚରଣ ମହାନ୍ତି ସ୍ୱାଗତ ଅଭିଭାଷଣ ପ୍ରଦାନ ସହ କର୍ମଶାଳା ଆୟୋଜନର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ଭଦ୍ରକ ଜିଲ୍ଲା ନିୟୋଜନ ଅଧିକାରୀ ଶ୍ରୀ ଅଜୟ କୁମାର ଦାଶ ଏଥିରେ ସକ୍ରିୟ ସହଯୋଗ କରିଥିବା ବେଳେ ଜିଲ୍ଲା ଦକ୍ଷତା ସଂଯୋଜିକା ଶ୍ରୀମତୀ ଭାରତୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିିଥିଲେ ।


