ଶୌଚପାଇଁ ଯାଇଥିବା ମହିଳାଙ୍କୁ ଦଳିଦେଲା ଦନ୍ତା, ବର୍ଷକରେ ଗଲାଣି ୪ଜୀବନ
ହାଟଡ଼ିହି : ପଢ଼ିଆରିପଲ୍ଲି ପଞ୍ଚାୟତର ଆତୁରିକୋଣା ଗ୍ରାମର ଡାହିସାହିରେ ଜଣେ ମହିଳା ଆଜି ସକାଳୁ ସକାଳୁ ଶୌଚ ପାଇଁ ଯାଇଥିବାବେଳେ ଏକ ଦନ୍ତାହାତୀ ତାଙ୍କୁ ଶୁଣ୍ଢରେ ଟେକି ଫୋପାଡି ଦେବାରୁ ମହିଳାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଖବରରୁ ଜଣାଯାଇଛି ଯେ ଗ୍ରାମର ଚନ୍ଦ୍ରମୌଳି ପାତ୍ରଙ୍କ ପତ୍ନୀ ଲାବଣ୍ୟ ପାତ୍ର (୬୦) ଆଜି ସକାଳୁ ସକାଳୁ ନିକଟସ୍ଥ ବିଲ ଆଡକୁ ଶୌଚପାଇଁ ଯାଇଥିବାବେଳେ ଦନ୍ତାହାତୀ ହାବୁଡରେ ପଡିଯାଇଥିଲେ । ହାତୀଟି ଲାବଣ୍ୟକୁ ଶୁଣ୍ଢରେ ଟେକି ଫେପାଡି ଦେଇଥିଲା । ହାତୀଟି ଚାଲିଯିବାପରେ ମହିଳା ଜଣକୁ ତୁରନ୍ତ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନା ନିଆଯାଇଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରେ ସୋସୋ ପୁଲିସ ଓ ଜଂଗଲ ବିଭାଗର ଅଧିକାରୀ ମାନେ ପହଞ୍ଚି ଘଟଣାର ତଦନ୍ତ କରିବା ସହିତ ଶବକୁ ବ୍ୟବଚ୍ଛେଦ କରିଛନ୍ତି । ଏଠାରେ ସୁଚନାଯୋଗ୍ୟ ଯେ ଗତବର୍ଷ ଏହି ଦନ୍ତାଟି ପଢ଼ିଆରିପଲ୍ଲୀ ଓ ସୋସୋ ପଞ୍ଚାୟତରେ ତିନିଜଣଙ୍କ ଜୀବନ ନେଇଥିଲା ।


