ଶ୍ରୀଜଗନ୍ନାଥ ଚେତନା ଓ କୃଷି ସଂସ୍କୃତିର ଅପୂର୍ବ ପର୍ବ ଅକ୍ଷୟ ତୃତୀୟା

ଅଧ୍ୟାପକ ଶ୍ରୀହେମନ୍ତ କୁମାର ଗନ୍ତାୟତ।
ଶ୍ରେଷ୍ଠୋତ୍ତମ ଭାରତ ବର୍ଷର ଖ୍ୟାତ ସମ୍ପର୍ଣ୍ଣ ପୁଣ୍ୟ ଭୂମି ହେଉଛି ଉତ୍କଳ ବା ଓଡିଶା ପ୍ରଦେଶ। ଏହାର ସଂସ୍କୃତି ଓ ପରମ୍ପରା ଅତୀବ ପ୍ରାଚୀନ। ଏ ପ୍ରଦେଶର ଦୃଷ୍ଟାନ୍ତ ମହର୍ଷି ବେଦବ୍ୟାସଙ୍କ ବିରଚିତ ସ୍କନ୍ଦ ପୁରାଣର ଉତ୍କଳ ଖଣ୍ଡରେ ଦେଖିବାକୁ ମିଳେ: “ଉତ୍କଳୋନାମ ଦେଶୋଽସ୍ତି ଖ୍ୟାତଃ ପରମପାବନଃ” । ଅର୍ଥାତ୍ ଉତ୍କଳ ନାମରେ ଏ’ପରି ଏକ ଦେଶ ରହିଛି”, ଯା’ର ଖ୍ୟାତି ଚତୁର୍ଦ୍ଦିଗରେ ସୁବିଦିତ। ଏହି ପବିତ୍ର ଭୂମିରେ ବାର ମାସରେ ତେର ପର୍ବ ପାଳନ କରାଯାଏ। ଏଥି ମଧ୍ୟରୁ ‘ଅକ୍ଷୟ ତୃତୀୟା’ ବା ‘ଅକ୍ଷି ତୃତୀୟା’ ଅନ୍ୟତମ। ଯାହା ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ତିଥିରେ ପାଳନ କରାଯାଏ। ଏହି ଦିନ କରାଯାଇଥିବା ଶୁଭ କାର୍ଯ୍ୟର ଫଳ ଅକ୍ଷୟ ରହିଥାଏ ବୋଲି ବିଶ୍ବାସ ରହିଛି। ଏଣୁ ‘ଅକ୍ଷୟ’ ଶବ୍ଦର ଅର୍ଥ କୁହାଯାଇଛି ଯାହାର କ୍ଷୟ ହୁଏନାହିଁ।
ଏହି ପବିତ୍ର ତିଥିର ଧାର୍ମିକ, ପୌରାଣିକ,କୃଷି ଓ ସଂସ୍କୃତି ଆଦିର ପ୍ରମୁଖ ଭୂମିକା ରହିଛି। ତେଣୁ ଧାର୍ମିକ ବିଧି ଅନୁଯାୟୀ ଶାସ୍ତ୍ରରେ କୁହାଯାଇଛି:
ଅସ୍ୟାଂ ତିଥୌ କ୍ଷୟମୁପୈତି ହୁତଂ ନ ଦତ୍ତଂ
ତେନାକ୍ଷୟେତି କଥିତା ମୁନିଭିସ୍ତୃତୀୟା ।
ଅର୍ଥାତ୍ ଏହି ତିଥିରେ କରାଯାଇଥିବା ହୋମ, ଜପ, ଦାନ ଓ ପୂଜା କେବେହେଲେ କ୍ଷୟ ବା ନଷ୍ଟ ହୁଏନାହିଁ। ଏହାର ପୁଣ୍ୟ ଫଳ ଅନନ୍ତକାଳ ପର୍ଯ୍ୟନ୍ତ ଅକ୍ଷୟ ହୋଇ ରହିଥାଏ । ସେଥିପାଇଁ ମୁନିଋଷିମାନେ ଏହାକୁ ‘ଅକ୍ଷୟ ତୃତୀୟା’ ବୋଲି କହିଛନ୍ତି । ସେପରି ପୌରାଣିକ କଥା ଅନୁସାରେ ସତ୍ୟଯୁଗ ଏବଂ ତ୍ରେତୟାଯୁଗ ଏହି ଦିନ ଆରମ୍ଭ ହୋଇଥିଲା ବୋଲି କୁହାଯାଇଛି। ଭଗବାନ ବିଷ୍ଣୁଙ୍କ ଷଷ୍ଠ ଅବତାର ରୂପେ ଶ୍ରୀପର୍ଶୁରାମଙ୍କ ଜନ୍ମ ଏବଂ ପତିତ ପାଵନୀ ମା’ ଗଙ୍ଗା ଏହି ଦିନ ହିଁ ସ୍ଵର୍ଗରୁ ଭୂମିରେ ଅବତରଣ କରିଥିଲେ। ସେଭଳି
ଭଗବାନ ଗଣେଶ ଏ ତିଥିରେ ବେଦବ୍ୟାସଙ୍କ ଦ୍ଵାରା କୁହାଯାଇଥିବା ମହାଭାରତକୁ ଲେଖିଥିଲେ। ଅକ୍ଷୟ ତୃତୀୟା ହେଉଛି ଭଗବାନ ବିଷ୍ଣୁଙ୍କୁ ସମର୍ପିତର ଏକ ପବିତ୍ର ଦିନ। ଉକ୍ତ ଦିବସରେ ମାତା ଲକ୍ଷ୍ମୀ ଓ ନାରାୟଣଙ୍କ ପୂଜା କଲେ ସୁଖ, ସମୃଦ୍ଧି ଏବଂ ଧନ ଧାନ୍ୟର ବୃଦ୍ଧି ଘଟିଥାଏ। ଏହି ଦିନ ଜୈନଧର୍ମାଲମ୍ବୀମାନେ ଭଗବାନ ଋଷଭଦେବଙ୍କ ବର୍ଷଧରି ଉପବାସର ସମାପ୍ତି ଉପଲକ୍ଷେ ଉତ୍ସବ ପାଳନ କରନ୍ତି।
ଆମ ଓଡ଼ିଶା ହେଉଛି ଏକ କୃଷି ପ୍ରଧାନ ପ୍ରଦେଶ। ଏ ରାଜ୍ୟର ମେରୁଦଣ୍ଡ ଅଟନ୍ତି କୃଷକ ସମାଜ। ଏହି ସମାଜର ପ୍ରତିନିଧି ମହର୍ଷି ଜନକଙ୍କୁ କୁହାଯାଏ। ସେ ପ୍ରଥମେ ଭୂମି ପୂଜନକରି ବୀଜବପନ କରୁଥିଲେ ବୋଲି ବିଶ୍ବାସ ରହିଛି। ପୁରାଣରେ ବର୍ଣ୍ଣିତ କରାଯାଇଛି ଯେ, ମାତା ସୀତାଙ୍କୁ ମହର୍ଷି ଭୂମିକର୍ଷଣ ସମୟରେ ଲାଭ କରିଥିଲେ। ଏଣୁ ଋକ୍ ବେଦରେ ସୀତା ଉତ୍କୃଷ୍ଟ ବୀଜଦାତ୍ରୀ ରୂପେ ବର୍ଣ୍ଣିତ କରାଯାଉଛି। ଅତଃ ବୈଦିକ ଋଷିମାନେ ଅକ୍ଷୟ ଶସ୍ୟ ପ୍ରଦାନ କରିବା କାମନାରେ ସୀତାଙ୍କୁ ସ୍ତୁତି କରୁଥିଲେ । ଏହି ପରମ୍ପରାକୁ ପାଥେୟ କରି ଆଜି ମଧ୍ୟ ଉତ୍କଳର କୃଷକମାନେ ଏହି ଦିନ ଅକ୍ଷିମୁଠି ଆରମ୍ଭ କରିଥାନ୍ତି। ଅକ୍ଷୟ ତୃତୀୟାକୁ ଆମ ପ୍ରଦେଶରେ ‘ଅକ୍ଷି ତୃତୀୟା’ ଭାବେ ପାଳନ କରାଯାଏ। ଏହି ଦିନରୁ ହିଁ କୃଷି କାର୍ଯ୍ୟର ଶୁଭାରମ୍ଭ ହୋଇଥାଏ। ପ୍ରଥମେ ଚାଷୀ ନୂତନ ବସ୍ତ୍ର ପରିଧାନ କରି ମାଆ ଲକ୍ଷ୍ମୀ ଠାକୁରାଣୀଙ୍କୁ ପୂଜା କରିବା ପରେ ବିହନ ବୁଣିଥାଏ। ଅକ୍ଷୟ ତୃତୀୟାକୁ ପ୍ରଶସ୍ତ ଶୁଭଦିନ ରୂପେ ଆଗ୍ନେୟ ପୁରାଣ, ବିଷ୍ଣୁ ପୁରାଣ, ଧର୍ମୋତ୍ତର ପୁରାଣ ଓ ଭବିଷ୍ୟ ପୁରାଣାଦିରେ ବର୍ଣ୍ଣନା କରାଯାଉଛି।
ଆମ ଓଡ଼ିଆ ସଂସ୍କୃତି ଜଗନ୍ନାଥ ସଂସ୍କୃତିର ଏକ ଅବିଚ୍ଛେଦ୍ୟ ଅଙ୍ଗ। ମହାପ୍ରଭୁଙ୍କ ବିନା ଆମର ଅସ୍ତିତ୍ୱ ଶୂନ୍ୟ। କାଳିଆ ଠାକୁର ଏ ଜାତିର ପ୍ରଧାନ ଦେଵତା। ଏଣୁ ଆମ ପ୍ରଦେଶରେ ଦାରୁବ୍ରହ୍ମଙ୍କ ଲାଗି, ବାରମାସରେ ତେର ପର୍ବ ପାଳନ କରାଯାଏ। ସେଥି ମଧ୍ୟରୁ ଅକ୍ଷୟ ତୃତୀୟା ଶ୍ରେଷ୍ଠୋତ୍ତମ। ଏହି ଦିନ ଠାରୁ ପାବନ ଶ୍ରୀକ୍ଷେତ୍ର ପୁରୀରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ଅୟମାରମ୍ଭ ହୋଇଥାଏ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବନଯାଗ ବିଧି ଅନୁସାରେ ତିନୋଟି ଧଉରା କାଠ ଗଣ୍ଡିକୁ ପୂଜାର୍ଚ୍ଚନା କରାଯାଏ। ରାଜଗୁରୁଙ୍କ ଦ୍ୱାରା ପୂଜା ପରେ ମହାରଣା ସେବାୟତମାନେ ସୁନା କୁରାଢ଼ି ସ୍ପର୍ଶ କରି ରଥ ନିର୍ମାଣର ଶୁଭ ଅନୁକୂଳ କରନ୍ତି। ତାହା ସହିତ ମହାପ୍ରଭୁଙ୍କର ୪୨ ଦିନିଆ ପ୍ରସିଦ୍ଧ ଚନ୍ଦନ ଯାତ୍ରା ଆରମ୍ଭ ହୁଏ, ସେଥି ମଧ୍ୟରୁ ପ୍ରଥମ ୨୧ ଦିନ ‘ବାହାର ଚନ୍ଦନ ଏବଂ ଅନ୍ୟ ଦିନମାନ ଭିତର ଚନ୍ଦନ ଯାତ୍ରା କୁହାଯାଏ। ପ୍ରବଳ ଗ୍ରୀଷ୍ମ ଉତ୍ତାପରୁ ରକ୍ଷା ପାଇବା ପାଇଁ ବାହାର ଚନ୍ଦନ ଯାତ୍ରା ହୋଇଥାଏ। ଏ ସମୟରେ ପ୍ରତିଦିନ ଶ୍ରୀମନ୍ଦିରର ମଧ୍ୟାହ୍ନ ଧୂପ ପରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ଭୂଦେବୀ ଓ ଶ୍ରୀଦେବୀଙ୍କ ସହ ରାମକୃଷ୍ଣ ଏବଂ ପାଞ୍ଚ ପାଣ୍ଡବ ରୂପୀ ପାଞ୍ଚ ମହାଦେବ ଯଥା: ଯମେଶ୍ୱର, କପାଳମୋଚନ, ଲୋକନାଥ, ମାର୍କଣ୍ଡେଶ୍ୱର ଓ ନୀଳକଣ୍ଠେଶ୍ୱର ବିମାନରେ ବସି ନରେନ୍ଦ୍ର ପୁଷ୍କରିଣୀକୁ ଯାଇଥାନ୍ତି। ସେଠାରେ ଦୁଇଟି ସୁସଜ୍ଜିତ ନୌକା ବା ‘ଚାପ’ ରହିଥାଏ, ଯା’ର ନାମ ନନ୍ଦା ଓ ଭଦ୍ରା। ନନ୍ଦା ନାମକ ଚାପରେ ମହାପ୍ରଭୁ ଶ୍ରୀମଦନମୋହନ, ମାଆ ଶ୍ରୀଦେବୀ ଓ ମାଆ ଭୂଦେବୀ ବିରାଜମାନ କରନ୍ତି । ସେପରି ଭଦ୍ରାରେ ଶ୍ରୀରାମକୃଷ୍ଣ (ବଳଭଦ୍ରଙ୍କ ପ୍ରତିମା) ଏବଂ ପାଞ୍ଚ ପାଣ୍ଡବଙ୍କ ବିଗ୍ରହ ବିଜେ କରିବା ପରେ ଉଭୟ ଚାପରେ ବସିଥିବା ଠାକୁରମାନେ ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡ଼ା କରିଥାନ୍ତି। ଏଠାରେ ଠାକୁରମାନଙ୍କ ସର୍ବାଙ୍ଗରେ କର୍ପୂର ମିଶ୍ରିତ ଚନ୍ଦନ ଲାଗି କରାଯାଏ। ବାହାର ଚନ୍ଦନ ଯାତ୍ରାର ୨୦ତମ ଦିନକୁ ଭଉଁରୀ ଯାତ୍ରା କୁହାଯାଏ । ଏହି ଦିନ ନରେନ୍ଦ୍ର ପୁଷ୍କରିଣୀରେ ଚାପ ୨୧ ଘେରା ବୁଲିଥାଏ।
ଏହି ଚାପରେ ବିରାଜିତ ଠାକୁରଙ୍କୁ ମଧୁସୂଦନ କୁହାଯାଏ। ଏଣୁ ଶାସ୍ତ୍ରରେ କୁହାଯାଇଛି ଚାପେଷୁ “ମଧୁସୂଦନଃ”। ଅର୍ଥାତ୍ ଯେଉଁମାନେ ଏହି ଚାପରେ ମହାପ୍ରଭୁଙ୍କୁ ଦର୍ଶନ କରନ୍ତି, ସେମାନଙ୍କ ପୁନର୍ଜନ୍ମ ହୋଇନଥାଏ। ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରା କେବଳ ଧାର୍ମିକ ପରମ୍ପରା ନୁହେଁ, ବରଂ ଏହା ଓଡ଼ିଆ ଜାତିର ସ୍ୱାଭିମାନ, କୃଷି ସଂସ୍କୃତି ଏବଂ ଜଗନ୍ନାଥ ଚେତନାର ଏକ ଅପୂର୍ବ ମିଶ୍ରଣ ସହିତ ଆଶା-ସମୃଦ୍ଧି-ନୂତନ ଆରମ୍ଭର ପର୍ବ।
ଖମ୍ବେଶ୍ଵରୀ ପାଟଣା
ଆସିକା, ଗଞ୍ଜାମ।
୯୮୬୧୩୩୪୮୬୮


