ଶ୍ରୀ ଲିଙ୍ଗରାଜ ମନ୍ଦିରରେ ଶ୍ରମଦାନ ଶିବିର
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ପବିତ୍ର ମହାଶିବରାତ୍ରି ପରେ ଏକାମ୍ରକ୍ଷେତ୍ରର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ପୀଠରେ ଏକ ସ୍ୱେଚ୍ଛାକୃତ ଶ୍ରମଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଆଜକୁ ୨୦ ବର୍ଷ ଧରି ଝାଡୁ ଓ ଝୁଡିର ଏ ନିଆରା ନିରନ୍ତର, ନିରବଚ୍ଛିନ୍ନ ସେବା ସ୍ୱେଚ୍ଛାସେବୀ ମାନଙ୍କ ଦ୍ୱାରା ଜାରି ରହିଛି । ମହାଶିବରାତ୍ରିରେ ଭକ୍ତ ଓ ଶ୍ରଦ୍ଧାଳୁମାନେ ଛାଡ଼ି ଯାଇଥିବା ଦୀପ, ବେଲପତ୍ର, କୁଡୁଆ, ପଲିଥିନ୍ ଆଦିକୁ ସ୍ୱେଚ୍ଛାସେବୀମାନେ ପରିଷ୍କାର କରିଥିଲେ । ଏତଦ୍ସହ ମନ୍ଦିରର ପରିସର ମଧ୍ୟରେ ଜମା ହୋଇ ରହିଥିବା କୁଢ କୁଢ ବର୍ଜ୍ୟ ଗୁଡ଼ିକୁ ସଫା କରି ବାହାରେ ନେଇ ପକାଇଥିଲେ । ସୂଚନାଯୋଗ୍ୟ, ୨୦୦୩-୨୦୨୨ ମସିହା ଦୀର୍ଘ ୨୦ ବର୍ଷ ଧରି ପରିବେଶ, ପରିମଳ ଏବଂ ଜାତୀୟ ଐତିହ୍ୟ ଓ କୀର୍ତ୍ତିରାଜିର ସୁରକ୍ଷା ସହ ଆଧ୍ୟାତ୍ମିକ ଚିନ୍ତାଧାରାରେ ଜନସାଧାରଣଙ୍କୁ ଉଦ୍ରେକ କରିବା ଉଦ୍ଦେଶ୍ୟରେ ସାମାଜିକ କର୍ମୀ ତଥା ପରିବେଶବିତ୍ ସୁଶାନ୍ତ ସାହୁ ବିଭିନ୍ନ ସାମାଜିକ ସଂଗଠନର ସଦସ୍ୟ ମାନଙ୍କୁ ଏକତ୍ରିତ କରି ଏହି ଶ୍ରମଦାନ ଶିବିର ଆୟୋଜନ କରି ଆସୁଛନ୍ତି । ଚଳିତବର୍ଷ ସାମାଜିକ ସଂଗଠନ ମିସିଂ ଫାଉଣ୍ଡେସନ୍, ସୁରେନ୍ଦ୍ରନାଥ ଜେନା ଟ୍ରଷ୍ଟ, ମାଇଣ୍ଡ୍ ଏମ୍ପାୱାରମେଣ୍ଟ୍ ଫାଉଣ୍ଡେସନ୍, ଧଉଳି ଚାରୁକଳା ମହାବିଦ୍ୟାଳୟର ଏନ୍.ଏସ୍.ଏସ୍ ଛାତ୍ରଛାତ୍ରୀ, ରେଡ୍ ସ୍ୱସ୍ତିକ ସୋସାଇଟି ଓଡ଼ିଶା ଶାଖାର କର୍ମଚାରୀ ଓ ସମ।।ଜିକ କର୍ମୀମାନେ ସାମିଲ୍ ହୋଇଥିଲେ । ଶିବିରକୁ ସାମାଜିକ କର୍ମୀ ରଞ୍ଜନ କୁମାର ଦାଶ, ଗୋପୀମୋହନ ପଟ୍ଟନାୟକ, ଚନ୍ଦନ ସାମଲ, ଲକ୍ଷ୍ମୀଧର ସ୍ୱାଇଁ, ପ୍ରତାପ ଚନ୍ଦ୍ର ପ୍ରଧାନ, ଶୁଭ୍ରାଂଶୁ ମହାନ୍ତି, ପ୍ରିୟବ୍ରତ ପଣ୍ଡା, ଦେବାଶିଷ ପଟ୍ଟନାୟକ, ମନୋଜ କୁମାର ପ୍ରଧାନ, ସୁମନ୍ତ କୁମାର ବେହେରା, ଦୀପକ କୁମାର ଚୌଧୁରୀ, ତ୍ରିଲୋଚନ ବେଉରା, ସୁସ୍ମିତାରାଣୀ ରାଉତ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ସ୍ୱେଚ୍ଛାସେବୀମାନଙ୍କ ଏତାଦୃଶ କାର୍ଯ୍ୟ ଓ ନିରନ୍ତର ସେବାକୁ ବିଭିନ୍ନ ମହଲରେ ପ୍ରଶଂସା କରିବା ସହ ସ୍ୱାଗତ କରାଯାଇଥିବାର ଜଣାପଡ଼ିଛି ।


