ଷଷ୍ଠ ଥର ପାଇଁ ମହଙ୍ଗା ହେଲା ଏଲ୍ପିଜି
ନୂଆଦିଲ୍ଲୀ : ଅଣ ସବ୍ସିଡି ଏଲ୍ପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି ଘଟିଛି । ବୁଧବାର ଦିନ ସରକାରଙ୍କ ପକ୍ଷରୁ ଏହି ଘୋଷଣା କରାଯାଇଛି । ବିଗତ ୬ ମାସ ମଧ୍ୟରେ ଷଷ୍ଠ ଥର ପାଇଁ ଏଲ୍ପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରାଯାଇଛି । ଏହି ସମୟରେ ସବ୍ସିଡି ଯୁକ୍ତ ସିଲିଣ୍ଡରର ମୂଲ୍ୟ ୫୫୬ ଟଙ୍କା ରହିଛି । ଇଣ୍ଡିଆନ୍ ଅଏଲ୍ ଓ୍ବେବ୍ସାଇଟ୍ରେ ବିଭିନ୍ନ ରାଜ୍ୟରେ ଗ୍ୟାସ୍ ଉପରେ ବର୍ଦ୍ଧିତ ମୂଲ୍ୟ ସମ୍ପର୍କରେ ତଥ୍ୟ ଜାରି କରାଯାଇଛି । ଦିଲ୍ଲୀରେ ଗ୍ୟାସ୍ର ମୂଲ୍ୟ ସିଲିଣ୍ଡର ପିଛା ୧୪୪.୫୦ ଟଙ୍କା ବୃଦ୍ଧି ପାଇ ୮୫୮.୫୦ ପଇସାରେ ପହଞ୍ଚିଛି । କୋଲକାତାରେ ଗ୍ୟାସ୍ ସିଲିଣ୍ଡର ଉପରେ ୧୪୯ ଟଙ୍କା ବୃଦ୍ଧି ପାଇଥିବା ବେଳେ ମୁମ୍ବାଇ ଏବଂ ଚେନ୍ନାଇରେ ଯଥାକ୍ରମେ ୧୪୫ ଏବଂ ୧୪୭ ଟଙ୍କା ବୃଦ୍ଧିପାଇଛି । ଅନ୍ତର୍ଜାତୀୟ ବଜାରରେ ମୂଲ୍ୟ ବୃଦ୍ଧି କାରଣରୁ ଇଣ୍ଡିଆନ୍ ଅଏଲ୍ ପକ୍ଷରୁ ଗ୍ୟାସ୍ ମୂଲ୍ୟ ବୃଦ୍ଧି କରାଯାଇଥିବା ଜଣାପଡିଛି ।


