ସଂସଦରେ ଉଠିଲା ସ୍ମିତାରାଣୀ ପ୍ରସଙ୍ଗ,କଂଗ୍ରେସର ସିବିଆଇ ତଦନ୍ତ ଦାବି

ନୂଆଦିଲ୍ଲୀ/ଯାଜପୁର : ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ରହସ୍ୟଜନକ ମୃତ୍ୟୁ ମାମଲା ଶୁକ୍ରବାର ସଂସଦରେ ଉଠିଛି । ଅପରପକ୍ଷରେ ଏହି ଘଟଣାରେ ଗିରଫ ହୋଇ ଜେଲରେ ଥିବା ରୂପେଶ ଭଦ୍ରଙ୍କ ଜାମିନ ନାମଞ୍ଜୁର ହୋଇଯାଇଛି । ଲୋକସଭାର ଶୂନ୍ୟକାଳରେ କଂଗ୍ରେସ ସାଂସଦ ସପ୍ତଗିରି ଉଲାକା ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ହରିଦାସପୁର ପଞ୍ଚାୟତ ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ ଦାବି କରିଥିଲେ । ଏହି ପ୍ରସଙ୍ଗକୁ ଲୋକସଭାରେ ଉପସ୍ଥାପନ କରି ସପ୍ତଗିରି କହିଥିଲେ, ସ୍ମିତାରାଣୀଙ୍କ ମୃତ୍ୟୁର କାରଣ ଏବେ ବି ସନ୍ଦେହଜନକ ଅବସ୍ଥାରେ ରହିଛି ଓ ସ୍ପଷ୍ଟ ହୋଇପାରିନାହିଁ । ସ୍ଥାନୀୟ ପୋଲିସ ଦ୍ୱାରା ଏହାକୁ ତଦନ୍ତ କରାଯାଉଛି ଏବଂ ତଦନ୍ତ ସମ୍ପୂର୍ଣ୍ଣ ନହେବା ପୂର୍ବରୁ ମୃତ୍ୟୁର କାରଣ ଆତ୍ମହତ୍ୟା ବୋଲି କୁହାଯାଇଛି । ଏହି ମାମଲାର ସିବିଆଇ ତଦନ୍ତ କରାଯାଉ ବୋଲି ସେ ଦାବି କରିଥିଲେ । ତେବେ, ବିଜେଡି ସାଂସଦମାନଙ୍କ ପକ୍ଷରୁ ଏହାର ଜୋରଦାର୍ ପ୍ରତିବାଦ ଓ ବିରୋଧ କରାଯାଇଥିଲା । ଲୋକସଭାରେ ବିଜେଡି ସଂସଦୀୟ ଦଳର ନେତା ପିନାକୀ ମିଶ୍ର, ସାଂସଦ ଭର୍ତ୍ତୃହରି ମହତାବ, ଅନୁଭବ ମହାନ୍ତି ଏଭଳି ପ୍ରସଙ୍ଗ ଗୃହରେ ନଉଠାଇ ପାଇଁ ବାଚସ୍ପତି ଓମ ବିର୍ଲାଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ । ବିଜେଡି ସଂସଦୀୟ ଦଳର ନେତା ପିନାକୀ ମିଶ୍ର ନିୟମ ୩୬୭ ଅନ୍ତର୍ଗତ ପଏଣ୍ଟ ଅଫ୍ ଅର୍ଡର ଉଠାଇଥିଲେ । ସେ କହିଥିଲେ, ନିୟମ ୩୫୨ର ସବ୍ କ୍ଲଜ୍ (୧) ରେ ମାମଲା ବିଚରାଧୀନ ଥିବା ତଥା ସବ୍  କ୍ଲଜ୍ (୩) ରେ ଯଦି ଏହି ମାମଲା ବିଧାନସଭାରେ ଉଠିଛି, ତାହାହେଲେ ସଂସଦରେ ତାହା ଉଠାଯାଇ ପାରିବ ନାହିଁ ବୋଲି ବ୍ୟବସ୍ଥା ରହିଥିବାର ବାଚସ୍ପତିଙ୍କୁ ଅବଗତ କରାଇଥିଲେ । ଏ ସମ୍ପର୍କରେ ବାଚସ୍ପତି ଆଦେଶ ଦିଅନ୍ତୁ ବୋଲି ପିନାକୀ ଦାବି କରିଥିଲେ । ହେଲେ ଏନେଇ ବାଚସ୍ପତି ଅନୁଧ୍ୟାନ କରିବେ ବୋଲି କହିଥିଲେ । ଅପରପକ୍ଷରେ, ଶୁକ୍ରବାର ଯାଜପୁର ଜିଲ୍ଲା କୋର୍ଟରେ ରୂପେଶ ଭଦ୍ରଙ୍କ ଜାମିନ ଆବେଦନର ଶୁଣାଣି ହୋଇଥିଲା । ଜିଲ୍ଲାଜଜ୍ ବିରଞ୍ଚି ନାରାୟଣ ମିଶ୍ର ଉଭୟ ପକ୍ଷ ଓକିଲଙ୍କ ଯୁକ୍ତି ଓ ପୁଲିସ୍ ଦାଖଲ କରିଥିବା ସିଡି ରିପୋର୍ଟ ତର୍ଜମା କରି ରୂପେଶଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି । ଏହାପୂର୍ବରୁ ଚଣ୍ଡିଖୋଲ ଜେଏମ୍ଏଫ୍ସି କୋର୍ଟ ମଧ୍ୟ ରୂପେଶଙ୍କ ଜାମିନ ଆବେଦନ ଖାରଜ କରିଥିଲେ । ସୂଚନାଯୋଗ୍ୟ ଯେ, ପିଇଓ ସ୍ମିତାରାଣୀଙ୍କ ଗତମାସ ୧୬ତାରିଖରେ ରୂପେଶଙ୍କ ରଙ୍ଗଶାଳାରେ ରହସ୍ୟଜନକ ଅବସ୍ଥାରେ ମୃତ୍ୟୁ ଘଟିଥିଲା । ଏହି ଘଟଣାରେ ଗିରଫ ରୂପେଶ ଏବେ ରଗଡ଼ି ଜେଲରେ ଅଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ