ସଣ୍ଡେ ସମ୍ବାଦ-୬ ଅବସରରେ ସମସ୍ତଙ୍କୁ ଶରତ ନବରାତ୍ରୀର ଶୁଭେଚ୍ଛା ଜଣାଇଲେ ଡ. ହର୍ଷବର୍ଦ୍ଧନ
ନୂଆଦିଲ୍ଲୀ :କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ଆଜି ସଣ୍ଡେ ସମ୍ବାଦର ଛଷ୍ଠ ଅଧ୍ୟାୟରେ ସୋସିଆଲ ମିଡିଆର ଅନେକ ଜିଜ୍ଞାସୁ ଆଲୋଚକମାନଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ ଏବଂ ସମସ୍ତଙ୍କୁ ନବରାତ୍ରୀ ପାଇଁ ଶୁଭକାମନା ଜଣାଇଥିଲେ । ସେ ସୋସିଆଲ ମିଡିରେ ନିଜର ପ୍ରଶଂସକମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଜନ ଆନ୍ଦୋଳନର ଆହ୍ୱାନକୁ ସମ୍ମାନ କରିବା ଏବଂ କୋଭିଡ ଉପଯୁକ୍ତ ବ୍ୟବହାର ପାର୍ବଣ ଋତୁରେ ପାଳନ କରିବା ଉପରେ ବିଶେଷ ଗୁରୁତ୍ୱାରୋପ କରିଥିଲେ । ସେ ସମସ୍ତଙ୍କୁ ଅନୁରୋଧ କରି କହିଥିଲେ ଯେ ସମସ୍ତେ ନିଜ ନିଜ ଘରେ ପ୍ରିୟଜନମାନଙ୍କ ସହିତ ପାରମ୍ପରିକ ପଦ୍ଧତିରେ ପାର୍ବଣକୁ ଉପଭୋଗ କରନ୍ତୁ । ଡା. ହର୍ଷ ବର୍ଦ୍ଧନ କହିଥିଲେ ଯେ ଏହି ପାର୍ବଣ ଋତୁରେ ଉତ୍ସବ ପରିବର୍ତ୍ତେ ଦାନକୁ ଗୁରୁତ୍ୱାରୋପ କରାଯିବା ଉଚିତ ଏବଂ ଅଧିକ ଜନଗହଳିପୂର୍ଣ୍ଣ ସ୍ଥାନକୁ ଯିବା ବଦଳରେ ନିଜ ପ୍ରିୟଜନମାନଙ୍କ ସହିତ ଘରେ ହିଁ ପାର୍ବଣ ପାଳନ କରନ୍ତୁ । ସେ କହିଥିଲେ ଯେ ସାରା ବିଶ୍ୱରେ କରୋନା ଯୋଦ୍ଧା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ସମେତ ଅନ୍ୟ କରୋନା ଯୋଦ୍ଧାଙ୍କ ଉପରେ ଯେଉଁ ପ୍ରଭାବ ପଡ଼ୁଛି ତାହାକୁ ଦେଖି ପର୍ବ ପାଳନ କରିବା ଲାଗି ମୋର ଉତ୍ସାହ ହ୍ରାସ ପାଇଛି ।ଡା. ହର୍ଷବର୍ଦ୍ଧନ ନିକଟରେ କେରଳରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ସମ୍ପର୍କରେ ନିଜର ବିଚାର ରଖିଥିଲେ । ସେ କହିଥିଲେ ଯେ ୩୦ ଜାନୁଆରୀରୁ ୩ ମଇ ମଧ୍ୟରେ କେରଳରେ ମାତ୍ର୪୯୯ କରୋନା ମାମଲା ଚିହ୍ନଟ ହୋଇଥିଲା ଏବଂ ଦୁଇ ଜଣ ଲୋକଙ୍କର ମୃତ୍ୟୁ ଘଟିଥିଲା । କିନ୍ତୁ ନିକଟରେ ଓଣମ ପର୍ବ ସମୟରେ ଲୋକମାନେ ଯେପରି ଭାବେ ଅବହେଳା ପ୍ରଦର୍ଶନ କଲେ ତା’ର ଫଳ କେରଳକୁ ଭୋଗିବାକୁ ପଡ଼ିଲା । ବ୍ୟବସାୟ ଓ ପର୍ଯ୍ୟଟନ ପାଇଁ ରାଜ୍ୟରେ ଲୋକମାନଙ୍କ ସଂଖ୍ୟା ବୃଦ୍ଧି ଫଳରେ ଅନେକ ଜିଲ୍ଲା କରୋନା ସଂକ୍ରମଣ କବଳକୁ ଚାଲିଆସିଲା । ସେ କହିଥିଲେ ରାଜ୍ୟରେ ଓଣମ ପର୍ବ ସମୟରେ କରୋନା ସଂକ୍ରମଣର ଗ୍ରାଫ ସମ୍ପୂର୍ଣ୍ଣ ଭାବେ ବଦଳିଗଲା ଏବଂ ଦୈନିକ ନୂଆ ମାମଲା ଦୁଇ ଗୁଣା ବୃଦ୍ଧି ପାଇଲା । ସବୁ ସରକାର ଏଥିରୁ ଶିକ୍ଷା ଲାଭ କରିବା ଉଚିତ ଯେଉଁମାନେ ପାର୍ବଣ ଋତୁ ପାଇଁ ଯୋଜନା ପ୍ରସ୍ତୁତିରେ ଅବହେଳା ପ୍ରଦର୍ଶନ କରିଛନ୍ତି ।ବିଶ୍ୱର ଅନେକ ଦେଶରେ କରୋନା ସଂକ୍ରମଣ ଏକ ସମୟରେ ହୋଇଥିଲା ବୋଲି ଚୀନ ପକ୍ଷରୁ କରାଯାଇଥିବା ଦାବି ସମ୍ପର୍କରେ ଡା. ହର୍ଷବର୍ଦ୍ଧନ ପ୍ରତିକ୍ରିୟା ରଖି କହିଥିଲେ ଯେ ଏହାର କୌଣସି ପ୍ରମାଣ ନାହିଁ ଯାହା ଚୀନର ଦାବିକୁ ସତ୍ୟ ପ୍ରମାଣିତ କରିପାରିବ । ଚୀନର ଉହାନ କ୍ଷେତ୍ରରୁ ହିଁ ସର୍ବପ୍ରଥମ କରୋନା ମାମଲା ଚିହ୍ନଟ କରାଯାଇଥିଲା ।ବଜାରରେ ଚୀନ ନିର୍ମିତ ଅକ୍ସିମିଟର ବ୍ୟାପକ ମାତ୍ରାରେ ଘୂରି ବୁଲୁଥିବା ସଂକ୍ରାନ୍ତରେ ଏକ ପ୍ରଶ୍ନର ଉତରରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଥିଲେ ଯେ ଉପଭୋକ୍ତାମାନେ ବଜାରରୁ କିମ୍ବା ଅନଲାଇନ ରିଟେଲରମାନଙ୍କ ଠାରୁ ପଲ୍ସ ଅକ୍ସିମିଟର କିଣିବା ସମୟରେ ଏଫଡିଏ/ସିଇ ମଞ୍ଜୁରି ଯୁକ୍ତ ଉତ୍ପାଦ ତଥା ଆଇଏସଓ /ଆଇଇସି ମାନକ ଦେଖିବା ଆବଶ୍ୟକ । ସେ କହିଥିଲେ ଯେ ଅକ୍ସିଜେନ ସ୍ତର ହ୍ରାସ ପାଇବା କୋଭିଡ-୧୯ର କୌଣସି ଲକ୍ଷଣ ନୁହେଁ ଏବଂ ଏହା ଅନ୍ୟ ଚିକିତ୍ସା ସମ୍ବନ୍ଧୀୟ ସମସ୍ୟା କାରଣରୁ ମଧ୍ୟ ହୋଇପାରେ ।
ଡା. ହର୍ଷବର୍ଦ୍ଧନ ଆଶ୍ୱାସନା ଦେଇଥିଲେ ଯେ ଭାରତରେ କରୋନା ଭୂତାଣୁର କୌଣସି ପ୍ରକାରର ମ୍ୟୁଟେସନ ବିଷୟରେ ଜଣାପଡ଼ିନାହିଁ । ୩୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶକୁ ଦ୍ୱିତୀୟ ପର୍ଯ୍ୟାୟରେ କରୋନା ପ୍ୟାକେଜ ଆକାରରେ ୧୩୫୨ ଟଙ୍କା ଜାରି କରାଯାଇଛି । ଦ୍ୱିତୀୟ ପର୍ଯ୍ୟାୟରେ ଅନୁଦାନ ରାଶି ଅଗଷ୍ଟ, ସେପ୍ଟେମ୍ବର ଏବଂ ଅକ୍ଟୋବର ୨୦୨୦ରେ ଜାରି କରାଯାଇସାରିଛି ।ଅନଲାଇନ ଶିକ୍ଷା କ୍ଷେତ୍ରରେ ତାଙ୍କ ମନ୍ତ୍ରଣାଳୟ ପଛରେ ପଡ଼ିନଥିବାରୁ ଡା. ହର୍ଷ ବର୍ଦ୍ଧନ ସନ୍ତୋଷ ବ୍ୟକ୍ତ କରିଥିଲେ । ଏମବିବିଏସ ଛାତ୍ରଛାତ୍ରୀଙ୍କ ପାଇଁ ଦେଶର ମେଡ଼ିକାଲ କଲେଜ ଓ ସଂସ୍ଥାନଗୁଡ଼ିକରେ ଅନଲାଇନ କ୍ଲାସ ଆରମ୍ଭ ହୋଇଛି । ଯାହାକୁ ରାଷ୍ଟ୍ରୀୟ ଚିକିତ୍ସା ଆୟୋଗ ମଞ୍ଜୁରି ଦେଇଛନ୍ତି । ଏହାବ୍ୟତୀତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କୋଭିଡ-୧୯କୁ ଦୃଷ୍ଟିରେ ରଖି ପୋଷ୍ଟ ଗ୍ରାଜୁଏଟ ମେଡ଼ିକାଲ ଛାତ୍ରଛାତ୍ରୀଙ୍କୁ ପେସାଦାର ଟ୍ରେନିଂ ନିମନ୍ତେ ମାନକ ପରିଚାଳନା ପଦ୍ଧତି (ଏସଓପି) ଜାରି କରିଛି । ସେ ଜଣେ ପ୍ରଶ୍ନକର୍ତ୍ତାକୁ ଏହା କହି ଆଶ୍ୱାସନା ଦେଇଥିଲେ ଯେ ସମ୍ବାଦପତ୍ର ଦ୍ୱାରା କରୋନା ଭୂତାଣୁ ବ୍ୟାପିବାର କୌଣସି ପ୍ରମାଣ ନାହିଁ । ସେ କହିଥିଲେ ଯେ ସମ୍ବାଦପତ୍ର କରୋନା ଭୂତାଣୁ ମହାମାରୀ ସମୟରେ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ।ଦେଶରେ କରୋନା ଭୂତାଣୁ ଜନିତ ମୃତ୍ୟୁ ସଂଖ୍ୟାରେ ବିସଙ୍ଗତି ସହ ଜଡ଼ିତ ଏକ ପ୍ରଶ୍ନର ଉତ୍ତରରେ ଡା. ହର୍ଷବର୍ଦ୍ଧନ କହିଥିଲେ ଯେ ଏହି ରୋଗରୁ ହେଉଥିବା ମୃତ୍ୟୁର ସଠିକ ପ୍ରମାଣିକତା ପ୍ରସଙ୍ଗ ରାଜ୍ୟଗୁଡ଼ିକ ଆଗରେ ମନ୍ତ୍ରଣାଳୟ ପକ୍ଷରୁ ଉପସ୍ଥାପନ କରାଯାଇଛି ଏବଂ କରୋନା ଯୋଗୁ ହେଉଥିବା ମୃତ୍ୟୁର ରିପୋର୍ଟିଂ କରିବା ସମୟରେ ସଠିକ ପଦ୍ଧତି ଆପଣାଇବା ନିମନ୍ତେ ସୁନିଶ୍ଚିତ କରାଯାଇଛି ।ଦେଶରେ ମେଡ଼ିକାଲ ଅକ୍ସିଜେନର ଅଭାବ ନଥିବା ମନ୍ତ୍ରୀ ଆଶ୍ୱାସନା ଦେଇଥିଲେ । ବର୍ତ୍ତମାନ ଭାରତରେ ଦୈନିକ ୬୪୦୦ ମେଟ୍ରିକ ଟନ ଅକ୍ସିଜେନ ଉତ୍ପାଦନ ହେଉଛି । ମହାମାରୀ ସମୟରେ ଅକ୍ସିଜେନର ଚାହିଦା ବଢ଼ିଲେ ସରକାର ଉତ୍ପାଦନ କ୍ଷମତା ବଢ଼ାଇବା ଲାଗି ପ୍ରସ୍ତୁତ ଥିବା ମନ୍ତ୍ରୀ କହିଥିଳେ । ବର୍ତମାନ ସୁଦ୍ଧା ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗକୁ ୧,୦୨,୪୦୦ ମେଡ଼ିକାଲ ଅକ୍ସିଜେନ ଯୋଗାଇ ଦିଆଯାଇସାରିଛି । ଏଥିସହିତ କୋଭିଡ-୧୯ ମହାମାରୀ ସମୟରେ ଅକ୍ସିଜେନର ଯୁକ୍ତିସଂଗତ ବ୍ୟବହାର ସୁନିଶ୍ଚିତ କରିବା ଲାଗି ଦିଶାନିର୍ଦ୍ଦେଶ ଜାରି କରାଯାଇଛି ।ଡା. ହର୍ଷବର୍ଦ୍ଧନ କହିଥିଲେ ଯେ ଦେଶରେ ବର୍ତ୍ତମାନ କୋଭିଡ-୧୯ ଅନ୍ତରନାସା ଟୀକା ପରୀକ୍ଷଣ ଚାଲୁନାହିଁ ଏବଂ ନିୟାମକ ମଞ୍ଜୁରି ମିଳିବା ପରେ ଆସନ୍ତା ମାସଗୁଡ଼ିକରେ ଦେଶରେ ସିରମ ଇଣ୍ଡିଆ ଏବଂ ଭାରତ ବାୟୋଟେକ ଏପରି ଟୀକାର କ୍ଲିନିକାଲ ପରୀକ୍ଷଣ କରିପାରିବେ । ସେ ସ୍ପଷ୍ଟ କରିଥିଲେ ଯେ ଦେଶରେ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲରେ ହଜାର ହଜାର ଲୋକ ଅଂଶଗ୍ରହଣ କରିଛନ୍ତି ଏବଂ ସେମାନଙ୍କ ସଂଖ୍ୟା ୩୦ ହଜାରରୁ ୪୦ ହଜାର ହୋଇପାରେ ।ଏହାଛଡ଼ା ସେ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ସଂକ୍ରାନ୍ତରେ ପଚରାଯାଇଥିବା ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ


