ସତର୍କ କରାଇଲେ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ମୁଖ୍ୟ
ନୂଆଦିଲ୍ଲୀ: ବିଶ୍ୱ ଏବେ କେବଳ କରୋନା ମହାମାରୀ ଜନିତ ଅସୁବିଧା ଦେଇ ଗତି କରୁନାହିଁ। ଏହି ମହାମାରୀ ପାଇଁ ବିଶ୍ବରେ ଆସନ୍ତା ବର୍ଷ ଅର୍ଥାତ୍ ୨୦୨୧ରେ ଗୁରୁତର ଦୁର୍ଭିକ୍ଷ ଦେଖାଦେବାର ଆଶଙ୍କା ମଧ୍ୟ ରହିଛି। ଏଭଳି ପୂର୍ବାନୁମାନ କରିଛି ବିଶ୍ବ ଖାଦ୍ୟ ସଂଗଠନ। ଚଳିତବର୍ଷ ଏହି ସଂଗଠନକୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଥିବାବେଳେ ଏହି ସଂସ୍ଥା ମୁଖ୍ୟ ଡେଭିଡ୍ ବିସ୍ଲିଙ୍କ ଦ୍ବାରା କରାଯାଇଥିବା ଏଭଳି ଆକଳନ ଏବେ ଗଭୀର ଚିନ୍ତାର ବିଷୟ ପାଲଟିଛି । ସେ ଏହା ମଧ୍ୟ କହିଛନ୍ତି ଯେ ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମକୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇ ଏକ ସ୍ପଟଲାଇଟ ଓ ମେଗାଫୋନ୍ ଧରାଇ ଦିଆଯାଇଛି। ଏହି ଦୁଇଟି ସାଧନ ମାଧ୍ୟମରେ ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମ ପକ୍ଷରୁ ବିଭିନ୍ନ ଦେଶର ନେତୃବୃନ୍ଦଙ୍କ ନିକଟରେ ଏହି ବାର୍ତ୍ତାକୁ ପହଞ୍ଚାଇ ସେମାନଙ୍କୁ ସତର୍କ କରାଯିବ ବୋଲି ସେ କହିଛନ୍ତି। ଗତ ଏପ୍ରିଲରେ ଜାତିସଂଘ ନିରାପତ୍ତା ପରିଷଦକୁ ସେ କରାଇଥିବା ସତର୍କତା ବିଷୟକୁ ମଧ୍ୟ ମନେ ପକାଇ ଦେଇଛନ୍ତି। ବିଶ୍ବ କରୋନା ଭୂତାଣୁ ଜନିତ ମହାମାରୀକୁ ମୁକାବିଲା କରିବା ସହିତ କ୍ଷୁଧା ମହାମାରୀର ଦ୍ବାରଦେଶରେ ମଧ୍ୟ ବିଶ୍ବ ପହଞ୍ଚିଥିବା କହିଥିଲେ। ଏହାର ମୁକାବିଲା ପାଇଁ ଯଦି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆ ନଯାଏ ତାହେଲେ ବିଶ୍ବକୁ ଭୟଙ୍କର କ୍ଷୁଧା ବା ଦୁର୍ଭିକ୍ଷକୁ ସାମ୍ନା କରିବାକୁ ପଡ଼ିପାରେ ବୋଲି ସେ କହିଥିଲେ।


