ଶ୍ରୀ ଜଗନ୍ନାଥ ମନ୍ଦିର କୁ ଇଫକୋ ପକ୍ଷରୁ ହ୍ୱିଲ୍ ଚେୟାର ପ୍ରଦାନ

ପାରାଦୀପ, (ପୀତବାସ ପ୍ରଧାନ) :-ପ୍ରତିଦିନ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ହଜାର ହଜାର ଭକ୍ତ ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥାନ୍ତି । ଜଗା ଦର୍ଶନ କରିବାକୁ ଆସୁଥିବା ଭକ୍ତ ମାନଙ୍କ ମଧ୍ୟରେ ବହୁ ବୟସ୍କ ଓ ଦିବ୍ୟାଙ୍ଗ ଭକ୍ତମାନେ ରହିଥାନ୍ତି । ଜଗା ଦର୍ଶନ ସମୟରେ ଏହି ବୟସ୍କ ଓ ଦିବ୍ୟାଙ୍ଗ ଭକ୍ତମାନେ ଭିଡ ଭିତରେ ପଶି ଦର୍ଶନ କରିବାକୁ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଏହାକୁ ଦୃଷ୍ଟିରେ ରଖି ଇଫକୋ ପାରାଦୀପ ୟୁନିଟ୍ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ୧୫ ଗୋଟି ହ୍ୱିଲ୍ ଚେୟାର ଓ ୫୦ ଗୋଟି ହାତବାଡି ପ୍ରଦାନ କରାଯାଇଛି । ଏହା ଦ୍ୱାରା ଶ୍ରୀମନ୍ଦିରକୁ ଦର୍ଶନ କରିବାକୁ ଆସୁଥିବା ବୟସ୍କ ଓ ଦିବ୍ୟାଙ୍ଗ ଭକ୍ତମାନେ ସୁବିଧାରେ ଦର୍ଶନ କରିପାରିବେ । ଇଫକୋ ପକ୍ଷରୁ ଭକ୍ତମାନଙ୍କୁ ମାଗଣାରେ ଏହି ସେବା ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଇଛି । ଏହି କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲାପାଳ ତଥା ଶ୍ରୀମନ୍ଦିରର ଉପମୁଖ୍ୟ ପ୍ରଶାସକ ସମର୍ଥ ବର୍ମା, ଇଫକୋର ନିର୍ଦ୍ଦେଶକ କେ.ଜେ.ପଟେଲ, ଶ୍ରୀମନ୍ଦିରର ପ୍ରଶାସକ(ଉନ୍ନୟନ) ଅଜୟ କୁମାର ଜେନା,ଇଫକୋର ଜ୍ୟୋତି ଲେଡିଜ୍ କ୍ଲବ୍ ର ସଭାନେତ୍ରୀ ମମତାବେନ୍ ପଟେଲ୍‌, ଦଇତାପତି ବିଶ୍ୱାବସୁ ବିନାୟକ ଦାସମହାପାତ୍ର, ବଳଭଦ୍ରଙ୍କ ବାଡଗ୍ରାହୀ ଅନାଥ ଦାସମହାପାତ୍ର, ଇଫକୋର ସହକାରୀ ପ୍ରବନ୍ଧକ(ପ୍ରଶାସନ) ପ୍ରସନ୍ନ କୁମାର ବେଉରା ପ୍ରମୁଖ ଯୋଗ ଦେଇଥିଲେ । ପାରାଦୀପର ଏହି ଇଫକୋ କର୍ତ୍ତୃପକ୍ଷ ପୁରୀର ଶ୍ରୀମନ୍ଦିରରେ ଭକ୍ତମାନଙ୍କ ସୁବିଧା ନିମନ୍ତେ ଏହି ସେବା ଯୋଗାଇ ଦେଇ ପୁର୍ନବାର ନିଜର ସାମାଜିକ ଅଙ୍ଗୀକାରବଦ୍ଧତାର ପରିଚୟ ସୃଷ୍ଟି କରିପାରିଛି । ଏହି ମହାନ କାର୍ଯ୍ୟକୁ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ