ସରକାରୀ ନିୟମ ଅନୁଯାୟୀ ପାଳନ ହେଲା ଇଦୁଲ୍ଫିଦର
ବନ୍ତ, (ଚାନ୍ଦିନୀ ମହାନ୍ତି):ସୋମବାର ସରକାରୀ ନିୟମ ଅନୁଯାୟୀ ବନ୍ତ ବ୍ଲକର ବିଭିନ୍ନ ସ୍ଥାନରେ ଶାନ୍ତିଶୃଂଖଳାର ସହ ଇଦୁଲଫିଦର ପାଳନ ହୋଇଯାଇଛି । ମୁସଲମାନ ଭାଇ ଓ ଭଉଣୀ ମାନେ ଭଦ୍ରକ ଉପ ଜିଲ୍ଲାପାଳ ତଥା ସବ୍ ଡିଭିଜିନାଲ ମାଜିଷ୍ଟ୍ରେଟ୍ଙ୍କ ଚିଠି ନଂ-୯୧୭/ତା-୨୧-୫-୨୦ ରିଖ ମୂଳେ ଭଦ୍ରକ ଜିଲ୍ଲାର ସମସ୍ତ ମନ୍ଦିର ଓ ମସଜିଦ୍ ଅଞ୍ଚଳରେ ୧୪୪ ଧାରା ଜାରି କରାଯିବା ସହିତ ସର୍ବସାଧାରଣଙ୍କ ଧର୍ମୀୟ କାର୍ଯ୍ୟ ଉପରେ ଉକ୍ତ ଅଞ୍ଚଳରେ ଅଙ୍କୁଶ ଲଗାଇଥିଲେ । ମସଜିଦ୍ରେ ମାତ୍ର ୩ ଜଣ ମୌଲବୀ ପ୍ରବେଶ କରି ଧର୍ମୀୟ ପୂଜାର୍ଚ୍ଚନା ପାଇଁ ପ୍ରଶାସନ ଅନୁମତି ଦେଇଥିଲା । ଏହି ନିୟମକୁ ପାଳନ କରି ବ୍ଲକର ବିଭିନ୍ନ ମସଜିଦ୍ ଗୁଡିକରେ ଧର୍ମୀୟ ପୂଜାପାଠ କରାଯାଇଥିଲା । ମୁସଲମାନ ଭାଇ ଓ ଭଉଣୀ ମାନେ ନିଜ ନିଜ ଘରେ ନିରାଡମ୍ବର ଭାବେ ଇଦୁଲଫିଦର ପାଳନ କରିଥିବାର ଦେଖାଯାଇଛି । ଅତିରିକ୍ତ ତହସିଲଦାର ବନିତାରାଣୀ କିସ୍କୁ ଆଗରପଡା ଅଞ୍ଚଳର ଅଣିଜୋ, ହରିପୁର, ଚାରିଘରିଆ ଓ ପୁରୁଷଣ୍ଢ ମସଜିଦ୍ ଆଦି ବିଭିନ୍ନ ସ୍ଥାନ ପରିଦର୍ଶନ କରି ସରକାରୀ ନିର୍ଦ୍ଦେଶନାମା ପାଳନ ଉପରେ ତୀକ୍ଷ୍ଣ ନଜର ରଖିଥିଲେ । ସେହିପରି ତହସିଲଦାର ଇନ୍ଦିରା ସାହୁ ପଧାନପଡା, ବନ୍ତ ଆଦି ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଉପରେ କଡା ନଜର ରଖି ଥିବାର ଦେଖାଯାଇଥିଲା ।


