ସର୍ବସାଧାରଣରେ ଛେପ ପକାଇଲେ ଗଣିବେ ୨୦୦୦ ଟଙ୍କା

ନୂଆଦିଲ୍ଲୀ: ଦିଲ୍ଲୀରେ ଏବେ ଗୁଟ୍‌ଖା ଓ ପାନ୍‌ ଛେପ ପକାଇଲେ ନିସ୍ତାର ନାହିଁ। ଏନଡିଏମସି ଏନେଇ ଏକ ସ୍ବତନ୍ତ୍ର ପ୍ଲାନ୍‌ ପ୍ରସ୍ତୁତ କରିଛନ୍ତି। ଏଥିପାଇଁ ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ମୋଟା ଅଙ୍କର ଜରିମାନା ଆଦାୟ କରାଯିବ। ଛେପ ପକାଇଲେ ୨୦୦୦ ଟଙ୍କାର ତଣ୍ଡ ଗଣିବାକୁ ପଡିବ ବୋଲି ନିର୍ଦ୍ଦେଶ ଜାରି କରାଯାଇଛି। ନିକଟରେ ମଧ୍ୟ ଛେପ ପକାଇବା ବାରଣ କରିବା ସହ ଏନେଇ ଜରିମାନା ଆଦାୟ କରିବା ନେଇ ଗୃହ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଥିଲେ। ନୂତନ ନିର୍ଦ୍ଦେଶ ଅନୁଯାୟୀ ସାର୍ବଜନିକ ସ୍ଥାନରେ ଛେପ ପକାଇଲେ ଏହା ଦଣ୍ଡନୀୟ ଅପରାଧ ରୂପେ ବିବେଚନା ହେବ। ଏହା ପରେ ଦିଲ୍ଲୀରେ ଏହାକୁ ନେଇ ନିୟମକୁ ବେଶ କଡାକଡି କରାଯାଇଛି। ଗତ ବର୍ଷ ମଧ୍ୟ ଦିଲ୍ଲୀର ସର୍ବସାଧାରଣ ସ୍ଥାନରେ ଛେପ ନ ପକାଇବା ପାଇଁ ସିଭିକ୍‌ ଓ୍ବାର୍ଡେନ୍‌ଙ୍କୁ ନିୟୋଜିତ କରାଯାଇଥିଲା। ଯାହା ଦ୍ବାରା ଲୋକମାନେ ଯେପରି ଅପରିଷ୍କାର ନ କରନ୍ତି ଏବଂ ସର୍ବସାଧାରଣ ସ୍ଥାନରେ ଛେପ ନ ପକାଇବାକୁ ପ୍ରୟାସ ଆରମ୍ଭ କରାଯାଇଥିଲା। କିନ୍ତୁ ଦିଲ୍ଲୀବାସୀ ଏଥିରେ ପରିବର୍ତ୍ତନ ହୋଇନଥିଲେ। ମେ ୩ ତାରିଖ ପର୍ଯ୍ୟନ୍ତ ମଦ, ଗୁଟ୍‌ଖା, ତମାଖୁର ବିକ୍ରି ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି। ସେହିପରି ଜାରି ହୋଇଥିବା ନିର୍ଦ୍ଦେଶନାମାରେ ସମସ୍ତ ଅଫିସ୍‌ରେ ଥର୍ମାଲ୍‌ ସ୍କ୍ରିନିଂ, ସାନିଟାଇଜର୍‌କୁ ପ୍ରାଧାନ୍ୟ ଦିଆଯାଇଛି। ଏହା ସହିତ ସାର୍ବଜନିକ ସ୍ଥାନରେ ପାଞ୍ଚରୁ ଅଧିକ ଲୋକଙ୍କ ଏକାଠି ହେବା ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି । କୌଣସି କର୍ମଚାରୀ ଏକା ସହିତ ଲଞ୍ଚ କରିପାରିବେ ନାହିଁ। ସେହିପରି ବୟସ୍କ ଓ ଛୋଟ ପିଲା ଥିବା ମାତା ପିତାଙ୍କୁ ଓ୍ବାର୍କ ଫ୍ରମ୍‌ ହୋମ୍‌ ପାଇଁ ପ୍ରାବଧାନ ରହିଛି। ଏହା ସହିତ ଆରୋଗ୍ୟ ସେତୁ ଆପ୍‌କୁ ଡାଉନ୍‌ଲୋଡ୍‌ କରିବାକୁ କୁହାଯାଇଛି। କେନ୍ଦ୍ରର ନିର୍ଦ୍ଦେଶ ପୂର୍ବରୁ ବହୁ ରାଜ୍ୟରେ ଛେପ ପକାଇବାକୁ ନେଇ କଡା ନିୟମ ପ୍ରଚଳନ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ