ସର୍ବସାଧାରଣ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯିବା ନେଇ ଗ୍ରାମବାସୀଙ୍କ ଅଭିଯୋଗ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ସେଣ୍ଢତୀରା ପଞ୍ଚାୟତ ରାଧାନଗର ଗ୍ରାମର ଜନୈକ ବ୍ୟକ୍ତି ସର୍ବସାଧାରଣ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଇବା ନେଇ ଅନୀଲ କୁମାର ବିଶ୍ୱାଳ, ଗୌରାଙ୍ଗ ବିଶ୍ୱାଳ, ସମ୍ପଦ ବିଶ୍ୱାଳ, ଜାନକୀ ନାୟକ, ସମିତି ସଭ୍ୟା ଶଶୀଲତା ଭୂୟାଁ, ଗଦାଧର ନାୟକ, ପ୍ରଭାତି ନାୟକ, ହରେକୃଷ୍ଣ ସାମଲ, ସୋମନାଥ ନାୟକଙ୍କ ସମେତ ଗ୍ରାମବାସୀ ମାନେ ସରପଞ୍ଚଙ୍କ ଠାରେ ଅଭିଯୋଗ କରିଛନ୍ତି । ଅଭିଯୋଗରେ ଦର୍ଶାଯାଇଛି ଯେ, ଗତ କିଛି ମାସ ହେବ ସଂପୃକ୍ତ ବ୍ୟକ୍ତି ଜଣକ ଗ୍ରାମର ସର୍ବସାଧାରଣ ସ୍ଥାନରେ ବେଆଇନ ଭାବେ ସିସିଟିଭି କ୍ୟାମେରା ଲଗାଇଛନ୍ତି । ଯାହାଫଳରେ ଗ୍ରାମର ପୁରୁଷ ଓ ମହିଳା ମାନଙ୍କର ନମ୍ରତା ଓ ସ୍ୱାଧୀନତା ଉପରେ ପ୍ରଭାବ ପଡୁଛି । ସଂପୃକ୍ତ ବ୍ୟକ୍ତି ବ୍ୟକ୍ତିଗତ ସୁରକ୍ଷା ପାଇଁ ନିଜ ଜାଗାରେ ସିସିଟିଭି ଲଗାଇ ପାରିବା କଥା । ମାତ୍ର ନିଜର ବ୍ୟକ୍ତିଗତ ଉଦ୍ଦେଶ୍ୟ ପାଇଁ ସେ ସର୍ବସାଧାରଣ ସ୍ଥାନରେ ଏହାକୁ ଲଗାଇଥିବା ଜଣାଯାଇଛି । ଏଥିନେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଗ୍ରାମବାସୀ ମାନେ ଦାବୀ କରିଛନ୍ତି ।


