ସାଇକେଲ ଚଳାଇ ପୁଲିସକୁ ଦାନ
କରୋନା ଭାଇରସ ସଙ୍କଟରେ ଦେଶର ପ୍ରତ୍ୟେକ ବ୍ୟକ୍ତି ନିଜ ନିଜ ସାମର୍ଥ୍ୟ ଅନୁସାରେ ସାହାଯ୍ୟର ହାତ ବଢ଼ାଇଛନ୍ତି । ଏହି କ୍ରମରେ ଡା.ଅମିତ ସମର୍ଥ ସାଇକେଲ ଚାଳନା ମାଧ୍ୟମରେ ପାଣ୍ଠି ସଂଗ୍ରହ କରିଛନ୍ତି ଏବଂ ଏହାକୁ ପୁଲିସ ସହାୟତା ପାଇଁ ଦାନ କରିଛନ୍ତି । ଅମିତ ଜଣେ ଅଲଟ୍ରା ସାଇକେଲ ଚାଳକ । ସେ ଏହି ଅଭିଯାନର ନାମ ରଖିଛନ୍ତି ‘ପେଡାଲିଂ ଏଗେନଷ୍ଟ କୋଭିଡ-୧୯’ । ପ୍ରାୟ ୪୮ ଘଣ୍ଟା ସାଇକେଲ ଚାଳନା କରି ଗତ ସୋମବାର ସନ୍ଧ୍ୟା ୫ଟାରେ ଶେଷ କରିଛନ୍ତି । ଏହି ସମୟରେ ସେ ୧୩୦୧ କିମି ନିରନ୍ତର ଘରେ ସାଇକେଲ ଚଳାଇଛନ୍ତି । ଏହା ମାଧ୍ୟମରେ ଅମିତ ୧.୭ ଲକ୍ଷ ଟଙ୍କା ସଂଗ୍ରହ କରିଛନ୍ତି । ଏହି ଅର୍ଥ ତାଙ୍କର ବନ୍ଧୁ ଏବଂ ସୋସିଆଲ ମିଡିଆ ଜରିଆରେ ଲୋକେ ତାଙ୍କୁ ଦେଇଛନ୍ତି । କରୋନା ଲଢେ଼ଇରେ ନିଜର ଯୋଗଦାନ ଦେବାକୁ ଅମିତ ଏହି ଅର୍ଥ ମହାରାଷ୍ଟ୍ର ପୁଲିସ ବିଭାଗକୁ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସାଇକେଲ ଚାଳନା ସମୟରେ ଅମିତ ଫେସବୁକରେ ଲାଇଭ ଥିଲେ । ଲୋକଙ୍କସହ କଥା ହେଉଥିଲେ । ପରିବାର ସଦସ୍ୟ ଓ ସୋସିଆଲ ମିଡିଆରେ ପ୍ରଶଂସକମାନେ ତାଙ୍କୁ ଏଥିପାଇଁ ଶୁଭେଚ୍ଛା ଜଣାଇଥିଲେ । ସେ ସ୍ୱଚ୍ଛ ଭାରତ ଅଭିଯାନର ବ୍ରାଣ୍ଡ ଆମ୍ବାସଡ଼ର ମଧ୍ୟ ଅଛନ୍ତି । ଏହା ପୂର୍ବରୁ ସେ ଏସୀୟ ଓ ଭାରତୀୟ ସାଇକେଲ ଚାଳକ ରହିଛନ୍ତି । ଯିଏକି ୯୧୦୦ କିମି ବିଶିଷ୍ଟ ବିଶ୍ୱର ସବୁଠୁ ଲମ୍ବା ସାଇକେଲ ରେସ ପୂରା କରିଛନ୍ତି ।


