ପ୍ରବାସୀଙ୍କୁ ନେଇ ପ୍ରଶାସନ ଚିନ୍ତାରେ ଥିବାବେଳେ ଭଡାଟିଆଙ୍କୁ ନେଇ ସମସ୍ୟାରେ ଘରମାଲିକ

କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ପ୍ରବାସୀ ଓଡିଆଙ୍କ ଘରକୁ ଫେରିବା ନେଇ ପ୍ରଶାସନ ଚିନ୍ତାରେ ଥିବା ବେଳେ ଅନ୍ୟପଟରେ ଭଡାଟିଆଙ୍କୁ ନେଇ ସମସ୍ୟାରେ ପଡିଯାଇଛନ୍ତି ଘରମାଲିକ । କରୋନା ସଂକ୍ରମଣ ଆଶଙ୍କାରେ ସରକାରଙ୍କ ଲକଡାଉନ ବ୍ୟବସ୍ଥା ଦୀର୍ଘ ଦେଢମାସ ଧରି ଜାରି ରହିଥିବା ବେଳେ ଏବେ ପ୍ରବାସୀ ଓଡିଆଙ୍କ ଜିଲ୍ଲାକୁ ଆଗମନ ପରେ ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ବଢିଚାଲିବାରୁ ଏହା ପ୍ରଶାସନର ମୁଣ୍ଡବ୍ୟଥାର କାରଣ ପାଲଟିଛି । ନିକଟରେ ଗୁଜୁରାଟ ରାଜ୍ୟର ସୁରାଟରୁ ବସ ଯୋଗେ ଜିଲ୍ଲାକୁ ଫେରିଥିବା ୫୮ଜଣଙ୍କ ମଧ୍ୟରୁ ମହାକାଳପଡା, ମାର୍ଶାଘାଇ ଓ ପଟ୍ଟାମୁଣ୍ଡାଇ ବ୍ଲକ ଅଂଚଳର ୫ଜଣଙ୍କ ସ୍କ୍ୱାବ ପରୀକ୍ଷା ପରେ ସେମାନଙ୍କ ମଧ୍ୟରୁ ୫ଜଣଙ୍କର କରୋନା ପଜିଟିଭ ଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହାକୁ ନେଇ ଜିଲ୍ଲା ପ୍ରଶାସନର ଚିନ୍ତା ବଢିଯାଇଥିବା ବେଳେ ଅନ୍ୟ ପଟରେ ଜିଲ୍ଲାର ବିଭିନ୍ନ ବ୍ଲକ ଅଂଚଳ ଓ କେନ୍ଦ୍ରାପଡା ଏବଂ ପଟ୍ଟାମୁଣ୍ଡାଇ ପୈାରାଚଂଳରେ ଭଡାରେ ରହିଥିବା ଭଡାଟିଆଙ୍କୁ ନେଇ ଘର ମାଲିକମାନେ ବିଭିନ୍ନ ସମସ୍ୟାର ସମ୍ମୁଖିନ ହୋଇଥିବା ସୂଚନା ମିଳିଛି । ଏହି ଜିଲ୍ଲାରେ ବିଭିନ୍ନ ସରକାରୀ, ବେସରକାରୀ ଓ ନିଗମ ପ୍ରଭୃତିରେ ଚାକିରୀ କରିଥିବା ବ୍ୟକ୍ତି ବିଶେଷମାନେ ଘରଭଡା ନେଇ ରହୁଛନ୍ତି । ଏତଦବ୍ୟତିତ ବାହାରୁ ଆସି ଏହି ଜିଲ୍ଲାରେ ବିଭିନ୍ନ ବ୍ୟବସାୟ କରୁଥିବା ବା ବ୍ୟବସାୟ ପ୍ରତିଷ୍ଠାନରେ ଚାକିରୀ କରୁଥିବା ବ୍ୟକ୍ତି ବିଶେଷମାନେ ମଧ୍ୟ ଘରଭଡା ନେଇ ରହୁଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ କେଉଁଝର, ଯାଜପୁର, ଭଦ୍ରକ ଓ ପୁରୀ ଜିଲ୍ଲା ସମେତ ବିଶାଖାପାଟଣା, କଲିକତା ଭଳି ରାଜ୍ୟରୁ ଆସି ଏଠାରେ ଘରଭଡା ନେଇ ରହୁଛନ୍ତି । କୋଭିଡ ଲକଡାଉନ ପରେ ଏହିଭଳି ବ୍ୟକ୍ତି ବିଶେଷଙ୍କ ମଧ୍ୟରୁ ଅନେକ ଲୋକ ସେମାନଙ୍କ ଜିଲ୍ଲା ବା ରାଜ୍ୟକୁ ପଳାଇଯାଇଥିଲେ । ସେହିସବୁ ସ୍ଥାନରେ କରୋନା ସଂକ୍ରମଣ ବ୍ୟାପିବା ପରେ ସେମାନେ ପୁନର୍ବାର ଏହି ଜିଲ୍ଲାକୁ ଫେରି ଆସିଛନ୍ତି । କିନ୍ତୁ ସେମାନେ ପ୍ରଶାସନ ବା ପୋଲିସକୁ ଏସମ୍ପର୍କରେ ନଜଣାଇବା ସହ ସଙ୍ଗରୋଧରେ ମଧ୍ୟ ରହୁ ନାହାନ୍ତି । ଏହାକୁ ନେଇ ସେମାନଙ୍କୁ ଭଡା ଦେଇଥିବା ଘରମାଲିକଙ୍କ ସମେତ ସ୍ଥାନୀୟ ଅଧିବାସୀ, ସେମାନଙ୍କ ଅଫିସ କର୍ମଚାରୀ ଓ ସହକର୍ମୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଡରରେ କେହି କିଛି କହିପାରୁନଥିବା ବେଳେ ନିଜ ମନ ମଧ୍ୟରେ କିନ୍ତୁ ଭୟଭିତ ଅବସ୍ଥାରେ ରହିଥିବାର ଦେଖାଦେଇଛି । କେନ୍ଦ୍ରାପଡା ସହର ସନ୍ନିକଟରେ ରହୁଥିବା ଜନୈକ ନିର୍ବାହୀ ଯନ୍ତ୍ରୀ ନିଜ ଘର ଭଦ୍ରକ ଜିଲ୍ଲାକୁ ଲକଡାଉନ ପରେ ଚାଲିଯାଇଥିଲେ କିନ୍ତୁ ୪/୫ଦିନ ତଳେ ସେ ଭଦ୍ରକରୁ ଏଠାକୁ ଫେରି ଆସିଛନ୍ତି । ତାଙ୍କୁ ଅଫିସ କର୍ମଚାରୀ ଓ ସହକର୍ମୀମାନେ କିଛି କହି ପାରୁନଥିଲେବି ମନେ ମନେ ଭୟଭିତ ହୋଇ ରହିଥିବା ଦେଖାଯାଇଛି । ସେହିଭଳି ସହରର ନୁଆବସଷ୍ଟାଣ୍ଡ ନିକଟରେ ଭଡାଘରେ ରହୁଥିବା ଓ ଲକଡାନ ପରେ କେଉଁଝର ଜିଲ୍ଲାରୁ ଆସିଥିବା ଜନୈକ ଫ୍ରିଜ,ଏସି ଓ ୱାସିଂମେସିନ ମେକାନିକ ଜଣକୁ ଘରମାଲିକ ରଖିବାକୁ ମନାକରିଦେବାରୁ ସେ ଇଛାପୁର ନିକଟ ବୀରସ୍ୱତୀ ଗ୍ରାମରେ ଯାଇ ଘରଭଡା ନେଇ ରହୁଥିବା ଖବର ମିଳିଛି । ସେହିଭଳି ଆମାଜନ, ଫ୍ଲିପକାର୍ଡ ଭଳି ଅନଲାଇନରେ ବ୍ୟବସାୟ କରୁଥିବା ବହୁ କମ୍ପାନୀର କର୍ମଚାରୀମାନେ କଂଟେନମେଂଟ ଜିଲ୍ଲାରୁ ଲକଡାଉନ ପରେ ଆସି ଏଠାରେ ରହି ବିଭିନ୍ନ ଜିନିଷ ମଗାଉଥିବା ଲୋକମାନଙ୍କ ଘରକୁ ଘର ବୁଲି କମ୍ପାନୀ ପକ୍ଷରୁ ମାଲ ଡେଲିଭରି କରୁଥିବାର ଦେଖାଯାଇଛି । ଏଭଳି ପରିସ୍ଥିତିରେ ଯଦି ଏହି କମ୍ପାନୀର କର୍ମଚାରୀଙ୍କୁ ରୋକ ଦିଆନଯାଏ ତେବେ ଭବିଷ୍ୟତରେ ବହୁ ସମସ୍ୟା ସୃଷ୍ଟି ହେବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ । ଏଭଳି ପରିସ୍ଥିତିରେ ଏହିସବୁ ଘଟଣା ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ