ସାନଖେମୁଣ୍ଡିରେ ଖରିଫ ଧାନ କ୍ରୟ ପ୍ରସ୍ତୁତି ବୈଠକ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ସାନଖେମୁଣ୍ଡି ବ୍ଲକ୍ ପ୍ରଶାସନ ପକ୍ଷରୁ ଗୁରୁବାର ଦିନ ବ୍ଲକ୍ କାର୍ଯ୍ୟାଳୟ ବୈଠକ ଗୃହ ଠାରେ ଚଳିତ ବର୍ଷର ଖରିଫ ଧାନ କ୍ରୟ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଯୋଗାଣ ନିରୀକ୍ଷକ ପ୍ରଶାନ୍ତ କୁମାର ରାଓଙ୍କ ସଂଯୋଜନାରେ ଆୟୋଜିତ ଏହି ବୈଠକରେ ସମିତି ଅଧ୍ୟକ୍ଷ ସୀମାଞ୍ଚଳ ପାତ୍ର ଉପସ୍ଥିତ ରହି ପୌରହିତ୍ୟ କରିଥିଲେ । ଗୋଷ୍ଠି ଉନ୍ନୟନ ଅଧିକାରୀ ଜୀତେନ୍ଦ୍ର କୁମାର ମିଶ୍ର ,, ସହକାରୀ ଯୋଗାଣ ଅଧିକାରୀ ସକଲେଶ୍ୱର୍ ଦାସ , ବ୍ରହ୍ମପୁର ଆର୍ ଏମସି ରୁ ଅରୁଣ କୁମାର ପଣ୍ଡା , ମିଶନ ଶକ୍ତି ବ୍ଲକ୍ କାର୍ଯ୍ୟକ୍ରମ ସଂଯୋଜକ ଦୁର୍ଯ୍ୟୋଧନ ମାଲିକଙ୍କ ସମେତ ଆସିକା କେନ୍ଦ୍ର ସମବାୟ ବ୍ୟାଙ୍କ୍ ଅଧୀନ ସମସ୍ତ ସେବା ସମବାୟ ସମିତି ସଂପାଦକ ଏବଂ ଅଞ୍ଚଳ ରାଜସ୍ବ ନିରୀକ୍ଷକଙ୍କ ସହିତ ସମସ୍ତ ପଞ୍ଜୀକୃତ ଧାନ ସଂଗ୍ରହକାରୀ ମିଲର ଓ ଧାନ କ୍ରୟ ଦାୟିତ୍ୱରେ ଥିବା ମହିଳା ସଂଚାୟିକା ଗୋଷ୍ଠି କର୍ମକର୍ତ୍ତା ପ୍ରମୁଖ ପ୍ରମୁଖ ଯୋଗ ଦେଇଥିଲେ । ଅନୁଷ୍ଠିତ ଏହି ବୈଠକରେ ଚଳିତ ବର୍ଷର ମରୁଡି ଏବଂ ପରବର୍ତ୍ତୀ ଲଗାଣ ବର୍ଷା କାରଣରୁ କ୍ଷତିଗ୍ରସ୍ତ ଚାଷୀଙ୍କ ଅମଳ ଖରିଫ ଧାନ କିପରି ମଣ୍ଡୀରେ ସୁବ୍ୟବସ୍ଥିତ ଭାବେ କ୍ରୟ କରାଯାଇ ପାଯିବ , ଚାଷୀଙ୍କ ଧାନ କ୍ରୟ ନେଇ ପ୍ରଦାନ କରାଯାଇଥିବା ଟୋକେନର ସମୟସୀମା ଭିତରେ କିଭଳି ଚାଷୀଙ୍କୁ ସମସ୍ତ ସହଯୋଗ କରାଯାଇପାରିବ ସେ ନେଇ ବୈଠକରେ ଆଲୋଚନା କରାଯାଇଥିଲା । ଏହା ସହିତ ସରକାରଙ୍କ ଧାର୍ଯ୍ୟ ଗୁଣାତ୍ମକ ମାନର ଧାନର ସହାୟକ ମୂଲ୍ୟ ପ୍ରକାରେ ଚଳିତ ବର୍ଷ ସାଧାରଣ ଧାନର ଦର କୁଇଣ୍ଟାଲ ପିଛା ୨୧୮୩ ଟଙ୍କା ଏବଂ ଗ୍ରେଡ ‘ ଏ’ ସରୁ ଧାନ କୁଇଣ୍ଟାଲ ପିଛା ୨୨୦୩ ଟଙ୍କା ଧାର୍ଯ୍ୟ ରହିଥିବା ନେଇ ବୈଠକରେ ସୂଚନା ଜାରି କରାଯାଇଥିଲା ।


