ସାମ୍ବାଦିକ ସମ୍ମିଳନୀରେ ପ୍ରାର୍ଥୀ ଘୋଷଣା କଲା ବିଜେପି
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ଭଣ୍ଡାରିପୋଖରୀ ବ୍ଲକ ବିଜେପି ଶାଖା ପକ୍ଷରୁ ଦଳୀୟ କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ବ୍ଲକର ୨୩ଗୋଟି ପଂଚାୟତ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ଆଜି ଦଳୀୟ ସମର୍ଥନରେ ସରପଞ୍ଚ ଓ ସମିତିସଭ୍ୟଙ୍କୁ ମିଶାଇ ମୋଟ ୨୪ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ଦଳର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ବିଧାନସଭା ସ୍ତରୀୟ ନେତା ବଦ୍ରିନାରାୟଣ ଧଳ ଯୋଗଦେଇ ଭୋଟର ତାଲିକା ପ୍ରସ୍ତୁତରେ ଶାସକ ଦଳ ଚଂଚକତା କରିଥିବା ଅଭିଯୋଗ କରିଥିଲେ । ବ୍ଲକ ଓ ପଞ୍ଚାୟତରେ ନିର୍ବାଚନ ପରିଚାଳନାରେ ନିଯୁକ୍ତ ଅଧିକାରୀ ମାନେ ବିରୋଧୀ ଦଳର ଲୋକମାନଙ୍କୁ ସଠିକ ତଥ୍ୟ ପରିବର୍ତ୍ତେ ମିଥ୍ୟା ତଥ୍ୟ ଦେଉଥିବାରୁ ଅବାଧ ଓ ମୁକ୍ତ ନିର୍ବାଚନ ହେବାନେଇ ଆଶଙ୍କା ପ୍ରକାଶ କରି ଶ୍ରୀ ଧଳ ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି । ସର୍ବୋପରି ପଞ୍ଚାୟତ ନିର୍ବାଚନକୁ ବିଜେପି ନିଜସ୍ୱ ଶକ୍ତିରେ ଲଢ଼ିବ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ଦଳୀୟ ନେତୃତ୍ୱ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଘୋଷିତ ପ୍ରାର୍ଥୀ ପ୍ରାର୍ଥୀନୀଙ୍କୁ ନିର୍ବାଚନ ମଣ୍ଡଳୀ ନେତା ଶ୍ରୀଧଳ ଦଳୀୟ ଉତ୍ତରୀୟ ପ୍ରଦାନ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଦଳର ରାଜ୍ୟ ସମ୍ପାଦକ ଅଭିମନ୍ୟୁ ସେଠୀ, ଜିଲ୍ଲା ଉପସଭାପତି ଜଗବନ୍ଧୁ ଦାସ, ନିର୍ମଳ କର, ପ୍ରକାଶ ମହାପାତ୍ର, ବସନ୍ତ ରାଉତ, ନୃସିଂହ ଖିଲାର, ବ୍ଲକ ଉପାଧ୍ୟକ୍ଷ ସତ୍ୟବ୍ରତ ଦାସ, ଗିରିଶ ସାମଲ, ମୁକୁନ୍ଦ ମଲ୍ଲିକ, ପ୍ରଫୁଲ୍ଲ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।


